ଉତ୍ସାହ ଅଛି, ଉତ୍ସବ ନାହିଁ : ଫିକା ପଡ଼ିଲା ବିଜୟା ଦଶମୀ, ନୋହିଲା ରାବଣ ପୋଡ଼ି

ଜୟପୁର : ମହାମାରୀ କରୋନା ବିଗାଡ଼ିଦେଲା । କଟକଣା ଭିତରେ ରଥଯାତ୍ରା ଗଲା ଏବେ ଦଶହରାରେ ବି ସମାନ କଟକଣା । ପବିତ୍ର ଦଶହରା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ରହିଥିବା ବ‌େଳେ ଉତ୍ସବ ନଥିବା ଯୋଗୁଁ ସବୁକିଛି ଫିକା ପଡିଯାଇଛି । ଜୟପୁର ଦଶହରାର ଏକ ସ୍ବତନ୍ତ୍ରତା ରହିଥିବା ସହ ଏହାକୁ ମହୀଶୁର ଦଶହରା ସହ ସମତୁଳ କରାଯାଉଥିବା ବ‌େଳେ ଚଳିତ ବର୍ଷ କରୋନା ଯୋଗୁଁ ସବୁ ଫିକା ପଡିଯାଇଛି ।

ଦଶହରା ଦିନ ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ସହରମୁହାଁ ହେଉଥିବା ବେଳେ ଆଜି ସେଭଳି ପରିସ୍ଥିତି ଦେଖିବାକୁ ମିଳିନଥିଲା । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ସାଂଗକୁ ସଂଧ୍ୟାରୁ ସହରର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନବଜାରକୁ ବନ୍ଦ କରିଦିଆଯାଇଛି । ପୂର୍ବରୁ ସହରରେ ଯେତେସବୁ ସ୍ଥାନରେ ମଣ୍ଡପରେ ମାଁ ପୂଜା ପାଉଥିଲେ ସେହି ସଂଖ୍ୟା ବି ଚଳିତ ବର୍ଷ ହ୍ରାସ ପାଇଛି । ଯେଉଁ ମଣ୍ଡପରେ ପୂଜା ‌ପାଉଛନ୍ତି ସେଥିରେ ପୁଣି ଭକ୍ତଙ୍କ ପାଇଁ କଟକଣା । ମଣ୍ଡପ ଗୁଡିକରେ ମୂର୍ତ୍ତି ପୂଜା ପାଉଛନ୍ତି ସତ କିନ୍ତୁ ସମ୍ମୁଖ ଭାଗରେ ପରଦା ଢ଼ାଙ୍କି ଦିଆଯାଇଛି। ଏଭଳି କଟକଣା ଭିତରେ ବି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସହର ମୁଖ୍ୟରାସ୍ତାକୁ କେବଳ ରଂଗୀନ ଆଲୋକରେ ସଜ୍ଜିତ କରିଦିଆଯାଇଛି । ତଥାପି ଲୋକେ ଆଜି ପିଲାଛୁଆଙ୍କୁ ଧରି ବିଭିନ୍ନ ଦେବୀ ପୀଠ ଓ ପୂଜାମଣ୍ଡପକୁ ଯାଇ ପରଦା ଫାଙ୍କରେ ମାଙ୍କୁ ଦର୍ଶନ କରୁଛନ୍ତି ।

କରୋନା ଜନିତ କଟକଣା ଯୋଗୁଁ ବିଜୟାଦଶମୀରେ ଆୟୋଜିତ ହେଉଥିବା ରାବଣପୋଡ଼ି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଜୟପୁର ଦଶହରାକୁ ନେଇ ଦୀର୍ଘ ବର୍ଷର ପରମ୍ପରା ବି ଚଳିତ ବର୍ଷ ଭଂଗ ହୋଇଛି । ମା ଭଗବତୀଙ୍କ ବିଜୟା ଯାତ୍ରାକୁ ବନ୍ଦ କରିଦିଆଯାଇଛି । ଦଶହରା ଦିନ ମଧ୍ୟରାତ୍ରିରେ ସହରର ବିଭିନ୍ନ ଦେବୀପୀଠରୁ ମାଙ୍କ ବିମାନଯାତ୍ରା କରାଯାଇଥାଏ ଏବଂ ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀପୀଠରୁ ଆସିଥିବା ଲାଠୀ ଗୁଡିକ ଏଥିରେ ପରିକ୍ରମା କରିଥାନ୍ତି । ବିଜୟାଦଶମୀରେ ମାଙ୍କ ଶୋଭାଯାତ୍ରା ପରେ ମଧ୍ୟରାତ୍ର କିମ୍ବା ଭୋରୁ ଭୋରୁ ବିଶ୍ବଶାନ୍ତି ପାଇଁ ଅପରାଜିତା ପୂଜା କରାଯାଇଥାଏ । ତେବେ ପ୍ରଶାସନ ପକ୍ଷରୁ ଏହାକୁ ବାରଣ କରାଯାଇଥିବା ବେଳେ ପରମ୍ପରାକୁ ରକ୍ଷା କରିବାକୁ ଯାଇ ଏବଂ କୋଭିଡ଼ ନିୟମକୁ ପାଳନ କରି ବିମାନଯାତ୍ରା ଓ ଅପରାଜିତା ପୂଜାର ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର