ଜଳ ଉତ୍ସ ସଂକ୍ରମଣ ଯୋଗୁ କାଶୀପୁର ଅଞ୍ଚଳରେ ହଇଜା ବ୍ୟାପିଛି, ସ୍ଥିତି ନିୟନ୍ତ୍ରଣରେ ଅଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ଓ ଦଶରଥପୁରରେ କଲେରା ବା ହଇଜା ସଂକ୍ରମଣର କାରଣ ସଂପର୍କରେ ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ‘କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ପାଣିର ଉତ୍ସ ସମସ୍ତଙ୍କ ଲାଗି ସମାନ ଥିଲା, ତେଣୁ ଆଖପାଖ ସ୍ଥାନକୁ ଏହି ସଂକ୍ରମଣ ବ୍ୟାପିଛି ବୋଲି ସେ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ସେଠାରେ  ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି । ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି । ଜଳ ବିଶୋଧନ କାର୍ଯ୍ୟକ୍ରମ ଚାଲିଛି । ଲୋକଙ୍କୁ କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ଏଠାରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇଥିଲେ । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଯାଇଛନ୍ତି । ପ୍ରତିଦିନ ସେଠାରୁ ନମୁନା ପରୀକ୍ଷା କରାଯାଉଛି । ଆଦିବାସୀ ଅଞ୍ଚଳ ହୋଇଥିବାରୁ ଲୋକେ ପିଇବା ଲାଗି ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ତେଣୁ ସଂକ୍ରମିତ ଝରଣା ପାଣି ଯୁଆଡେ ଯାଇଛି, ସେଠାରେ ସଂକ୍ରମଣ ଆଶଙ୍କା ରହିଛି । ସେଥିଲାଗି ଉକ୍ତ ଉତ୍ସରୁ ପାଣି ବ୍ୟବହାର ନକରିବାକୁ ଲୋକମାନଙ୍କୁ ବୁଝାଯାଉଛି । କିନ୍ତୁ ଏବେ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ।’

ସମ୍ବନ୍ଧିତ ଖବର