ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜାଗା ମିଶନରେ ଦୁର୍ନୀତି ନେଇ ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ ନିଜର ମତ ରଖି କହିଛନ୍ତି, ‘ସାରା ଓଡ଼ିଶାରେ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରନ୍ତି। ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦେଉଥିବା କହୁଛନ୍ତି। ହେଲେ ପ୍ରକୃତ ହିତାଧିକାରୀ ବଦଳରେ ଏଠି ଦଳୀୟ କର୍ମୀ ପାଉଛନ୍ତି ଜାଗା। ବସ୍ତିର ବିକାଶ ପାଇଁ, ସହରାଞ୍ଚଳର ବିକାଶ ପାଇଁ ଉପା ସରକାର ସମୟରେ ଏହି ଯୋଜନା କରାଯାଇଥିଲା।
ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ। ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ତିଆରି କଲେ ଜାଗା ମିଶନ । ୨୦୧୧ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି। ହେଲେ ରାଜ୍ୟ ସରକାର ୨୦୨୩ରେ ନୂଆ ତାଲିକା କରିଛନ୍ତି।
ଏହି ନୂଆ ତାଲିକାରେ ଦୁଇ ମହଲା କୋଠା, ସୁଇଟସ୍ ଷ୍ଟଲ୍ ଥିବା ଲୋକଙ୍କ ନାମ ରହିଛି । ଏଥିରେ ଦଳୀୟ ଲୋକଙ୍କୁ ଜାଗା ଦିଆଯାଇଛି । ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି। ସେଥିରେ ଗୋଟିଏ ଦିନ ରବିବାର ରହିଛି। ଏଥିରୁ ଜଣାପଡୁଛି ବିଏମ୍ସି ପକ୍ଷରୁ ତଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି। କଂଗ୍ରେସର ଦାବି ଜାଗା ମିଶନରେ ସ୍ବଚ୍ଛତା ଅବଲମ୍ବନ କରାଯାଉ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/06081e4e-ce77-4b23-93ba-2bf3b0400999.jpg)