ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଳମ୍ବିତ ରାତିରେ ଆଇଏଏସ୍ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସରକାର ବଦଳିବା ପରେ ଜିଲ୍ଲାପାଳସ୍ତରରେ କେବେ ବଦଳି ହେବ, ସେ ନେଇ ଚର୍ଚ୍ଚା ଧରିଥିଲା। ୫୫ ଦିନ ପରେ ଆଜି ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି। ମୋଟ୍ ୨୫ ଜଣ ଅଧିକାରୀଙ୍କର ବଦଳି ହୋଇଥିବା ବେଳେ ଏଥିରେ ୨୨ ଜଣ ଆଇଏଏସ୍, ୩ ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି। ଏହି କ୍ରମରେ ସରକାର ଆଜି ୧୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ମଧ୍ୟ ନିଯୁକ୍ତି ଦେଇଛନ୍ତି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ରାଜସ୍ବ ପର୍ଷଦ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୦ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ଦାୟିତ୍ବରେ ଥିବା ଦିଲ୍ଲୀପ ରାଉତରାଏଙ୍କର ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍ରେ ରାଜସ୍ବ ପର୍ଷଦର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଡିଭିଜନ୍ ନିର୍ଦ୍ଦେଶକ, ସିଏମ୍ସି କମିସନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ, ସେଠାରେ ଥିବା ସ୍ମୃତିରଂଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ନୟାଗଡ଼ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ସରକାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କୁ ସମ୍ବଲପୁର ଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେଙ୍କୁ କଟକ ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ବେଷା ରେଡ୍ଡିଙ୍କୁ ଯାଜପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ମାଲକାନଗିରି ଜିଲ୍ଲାପାଳ, ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶୁଭଙ୍କର ମହାପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ବାଲେଶ୍ବର ଜିଲ୍ଲାପାଳ, ବୌଦ୍ଧ ଜିଲ୍ଲାପାଳ ଜେ.ସୋନାଲଙ୍କୁ ଜଗତସିଂହପୁର ଜିଲ୍ଲାପାଳ, ମାଲକାନଗିରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କୁ ନୟାଗଡ଼ ଜିଲ୍ଲାପାଳ, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, ଓଏମ୍ସିର ନିର୍ବାହୀ ନିର୍ଦ୍ଦେଶକ (ଜମି) କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲାପାଳ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାପାଳ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ, କଟକ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏବଂ ଜଗତସିଂହପୁର ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି ହେବା ପରେ ଏହି ତିନି ଜିଲ୍ଲାର ଜିଲ୍ଲାପାଳ ପଦବି ଖାଲି ପଡ଼ିଥିଲା।