ରାୟଗଡ଼ା: ମେଡ଼ିସିନ୍ ଖାଇଲେ ମୋ ଯନ୍ତ୍ରଣା କମିଯିବ, ମାଇଲ ମାଇଲ ଦୂର ଚାଲୁଥିବା ଶ୍ରମିକଙ୍କ ଦୁଃଖ କିଏ ଲାଘବ କରିବ? କରୋନା ଭଳି ମହାମାରୀ ପରିସ୍ଥିତିରେ ସେମାନଙ୍କୁ ସେବା ଓ ସହାୟତା କରିବା ମୋ ପାଇଁ ଏକ ସୁଯୋଗ। ଯାହା ଚାକିରୀ ଜୀବନ ସମୟ ଭିତରେ ଆଉ ଆସିନପାରେ।
ଶାରୀରିକ ଅସୁସ୍ଥତା, ପାରିବାରିକ ସମସ୍ୟା ସତ୍ତ୍ବେ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ଥିବା ଏପରି ଜଣେ ମହିଳା ପୁଲିସ୍ ଅଧିକାରୀ ହେଉଛନ୍ତି ବିଜୟଲକ୍ଷ୍ମୀ ହିକକା। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଶେଷଖାଲ ଥାନା ଅଧିକାରୀ ଦାୟିତ୍ବ ତୁଲାଉଥିବା ବିଜୟଲକ୍ଷ୍ମୀ ପ୍ରବାସୀ ଶ୍ରମିକଙ୍କୁ ନିଜ ଭିଟାମାଟିରେ ପହଞ୍ଚାଇବାର ଦାୟିତ୍ବ ଏବଂ ସୀମାର ସୁରକ୍ଷା ଲାଗି ସାଜିଛନ୍ତି ଜାଗ୍ରତ ପ୍ରହରୀ। ସେପଟେ ଲକଡାଉନ୍ ଯୋଗୁ ସୀମାନ୍ତରେ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାରୁ ଅପହଞ୍ଚ ଇଲାକାରେ ଚଢ଼ାଉ କରି ଦେଶୀ ମଦ ଭାଟି ନଷ୍ଟ କରିବା ସହ ମଦ ମାଫିଆଙ୍କୁ ସାବାଡ଼୍ କରିବାରେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା। ଟ୍ୟୁମର ଅପରେସନ୍ ଯନ୍ତ୍ରଣା କମିନଥିବା ବେଳେ ୪ ମାସ ହେଲା ଛୁଟିରେ ଘରକୁ ଯାଇନାହାନ୍ତି ବିଜୟଲକ୍ଷ୍ମୀ।
ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ରହିଛି କେରେଡ଼ା ଚେକ୍ ପୋଷ୍ଟ୍। ଶେଷଖାଲ ଥାନା ଅଧୀନରେ ଥିବା ଏହି ଚେକ ପୋଷ୍ଟ ଦେଇ ଦିନକୁ ଶହ ଶହ ଯାନବାହନ ଚଳାଚଳ କରିବା ସହ ଘରମୁହାଁ ହେଉଛନ୍ତି ହଜାର ହଜାର ପ୍ରବାସୀ ଶ୍ରମିକ। ଲକଡାଉନ୍ କୋହଳ ପରେ ଶ୍ରମିକଙ୍କ ସୁଅ ଛୁଟିବାରେ ଲାଗିଥିବାରୁ ସୀମାନ୍ତରୁ ପ୍ରବାସୀ ଶ୍ରମିକଙ୍କୁ ଆଶ୍ରୟସ୍ଥଳୀକୁ ଆଣି ପଞ୍ଜିକରଣ ପରେ ଖାଦ୍ୟପେୟ ଦେଇ ବସ୍ ମାଧ୍ୟମରେ ନିଜ ଭିଟାମାଟିରେ ଛାଡ଼ିବାର ଦାୟିତ୍ବ ତୁଲାଉଛନ୍ତି ବିଜୟଲକ୍ଷ୍ମୀ।
ମେ’ ୪ ତାରିଖରୁ ଆଜି ସୁଦ୍ଧା ବାହାର ରାଜ୍ୟର ୩୫୦୦ ଶ୍ରମିକ ଓଡ଼ିଶା ସୀମା ଅତିକ୍ରାନ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ରାଜସ୍ଥାନର ୨୯୪, ମହାରାଷ୍ଟ୍ରର ୫୧, ଉତ୍ତରପ୍ରଦେଶର ୫୯୮, ପଶ୍ଚିମବଙ୍ଗର ୨୭, ବିହାରର ୩୯୬, ଛତିଶଗଡ଼ର ୩୦୦, ଝାରଖଣ୍ଡର ୩୬୧, ମଧ୍ୟପ୍ରଦେଶର ୪୭୦, ପଞ୍ଜାବର ୩ ଶ୍ରମିକଙ୍କୁ ସ୍ବତନ୍ତ୍ର ଗାଡ଼ି କରି ନିଜ ଭିଟାମାଟିରେ ଛାଡ଼ିଛି ପୁଲିସ୍। ଯାହାର ନେତୃତ୍ବ ନେଇଛନ୍ତି ବିଜୟଲକ୍ଷ୍ମୀ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମଙ୍କ ସହଯୋଗରେ ବିଜୟଲକ୍ଷ୍ମୀ ୬ଟି ବେସରକାରୀ ଓ ୩ଟି ସରକାରୀ ବସରେ ଶ୍ରମିକଙ୍କୁ କେରେଡାରୁ ନେଇ ବିଭିନ୍ନ ରାଜ୍ୟ ସୀମାନ୍ତରେ ଛାଡ଼ୁଛନ୍ତି। ପ୍ରତିଦିନ ସକାଳ ୯ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜ ସହକର୍ମୀ ଓ ସିଆରପିଏଫ୍ ଯବାନଙ୍କ ସହ ସୀମାରେ ଡ୍ୟୁଟି କରୁଛନ୍ତି ବିଜୟଲକ୍ଷ୍ମୀ।
ଗତ ୪ ଦିନ ତଳେ କଳାହାଣ୍ଡିର ୩ ଶହରୁ ଉର୍ଧ୍ବ ଶ୍ରମିକ ଆନ୍ଧ୍ରରୁ ଆସି ଓଡ଼ିଶାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ଗର୍ଭବତୀ ମହିଳା ଥିବାବେଳେ ଜଣେ ପ୍ରସବ ବେଦନା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ବିଜୟଲକ୍ଷ୍ମୀ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗର୍ଭବତୀକୁ ନେଇ ଚିକିତ୍ସା କରିବା ପରେ ଗାଡ଼ି ଯୋଗୁ ନିଜ ଘରକୁ ପଠାଇଥିଲେ। କେବଳ ଏତିକି ନୁହେଁ, ପଞ୍ଜିକରଣ ଅପେକ୍ଷାରେ ଥିବା ବାହାର ରାଜ୍ୟର ଶ୍ରମିକଙ୍କ ଛୋଟ ଛୁଆ ଭୋକରେ ଆଉଟୁ ପାଉଟୁ ହେବା ଦେଖି ନିଜ ଖାଦ୍ୟ ବାହାର କରି ଛୁଆଙ୍କୁ ଖାଇବାକୁ ଦେଇଛନ୍ତି ବିଜୟଲକ୍ଷ୍ମୀ। ଆନ୍ଧ୍ର ସୀମାନ୍ତ ସାନ୍ଧୁବାଡ଼ି, ରେଙ୍ଗାଲପାଡ଼ୁ ଇଲାକାରେ ଚୋରା ମଦ ପ୍ରସ୍ତୁତ କରି ମାଫିଆ କୃପମ, ଗୁମ୍ମା ଲକ୍ଷ୍ମୀପୁର ଦେଇ ଉଭୟ ରାଜ୍ୟକୁ ଚାଲାଣ କରୁଥିବାରୁ ମଦ ଧରପଗଡ଼କୁ ମଧ୍ୟ ଜୋରଦାର୍ କରିଛନ୍ତି ବିଜୟଲକ୍ଷ୍ମୀ। ନିଜେ ଏହି ସବୁ ଅଞ୍ଚଳ ଯାଇ ଦେଶୀ ମଦ ଭାଟି ନଷ୍ଟ କରିବା ସହ ମଦ ପ୍ରସ୍ତୁତ ପାଇଁ ଥିବା ହଜାର ହଜାର ଲିଟର ପୋଚକୁ ନଷ୍ଟ କରିଛନ୍ତି। ଲକଡାଉନ୍ ସମୟ ମଧ୍ୟରେ ୧୭ଟି ଅବକାରୀ ମାମଲା ରୁଜୁ କରି ମଦ ଚାଲାଣରେ ସଂପୃକ୍ତ ମାଫିଆଙ୍କୁ ଗିରଫ କରିଛନ୍ତି।
ଶାରୀରିକ ଅସୁସ୍ଥତା, ପାରିବାରିକ ସମସ୍ୟା ସବୁ କିଛି ଚ୍ୟାଲେଞ୍ଜକୁ ସାମନା କରି ନିଜ କର୍ତ୍ତବ୍ୟକୁ ସୁଚାରୁରୂପେ ବିଜୟଲକ୍ଷ୍ମୀ ତୁଲାଇ ଚାଲିଛନ୍ତି। ଓଡ଼ିଶାର ଦ୍ବିତୀୟ ସ୍ପର୍ଶକାତର ପ୍ରବଣ ସୀମାନ୍ତରେ ମହିଳା ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ପୁଲିସ୍ ବିଭାଗ ପ୍ରଶଂସା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/RGD_IIC-Bijaylaxmi.jpg)