କଟକ: କଟକ ରାଜନୀତିରେ ବିଜେପି ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। ବିଜେଡିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଗଡ଼ ବଡ଼ମ୍ବା ପଞ୍ଚାୟତ ସମିତିକୁ ନିଜ ଦଖଲକୁ ନେବାରେ ଆଜି ସଫଳ ହୋଇଛି ବିଜେପି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ୨୪ଜଣ ସମିତିସଭ୍ୟ, ୧୧ଜଣ ସରପଞ୍ଚ ଓ ଜୋନ୍ ୩୧ର ଜିଲ୍ଲାପରିଷଦ ସଦସ୍ୟ ନୟନା ସାହୁ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ବଡ଼ମ୍ବା ପରେ ନରସିଂହପୁର ପଞ୍ଚାୟତ ସମିତି ଦଖଲ ପାଇଁ ଅଭିଯାନ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଆଜିର ମିଶ୍ରଣ ପର୍ବରେ ନରସିଂହପୁର ବ୍ଲକ୍ର ମଧ୍ୟ ୯ ଜଣ ସରପଞ୍ଚ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବ ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହ ବଡ଼ମ୍ବା ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ କଟକ ଜିଲ୍ଲାର ନିଆଳି, ନରସିଂହପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କଟକ ସଦର ଭଳି ଅନେକ ପଞ୍ଚାୟତ ସମିତିକୁ ବିଜେଡି ହାତରୁ ଛଡ଼ାଇ ନେବାକୁ ବିଜେପି ଲକ୍ଷ୍ୟ ରଖିଛି। ଜିଲ୍ଲାର ୧୪ଟି ପଞ୍ଚାୟତ ସମିତି ମଧ୍ୟରୁ ପ୍ରଥମରୁ ନିଆଳି ନିର୍ବାଚନମଣ୍ଡଳୀର କଣ୍ଟାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ବିଜେପି ଦଖଲରେ ରଖିଥିଲା। ବାକି ୧୩ଟିରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଥିଲେ।
ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ୨୪ ସମିତି ସଭ୍ୟ, ୧୧ ସରପଞ୍ଚ ବିଜେପିରେ ମିଶିଲେ
ନରସିଂହପୁରର ୯ ସରପଞ୍ଚ ବି ବିଜେପିରେ ସାମିଲ ହେଲେ
ଏବେ ଟାର୍ଗେଟରେ ନରସିଂହପୁର ପଞ୍ଚାୟତ ସମିତି!
ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ
ଗତକାଲି ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନେତୃତ୍ବରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ସମସ୍ତେ ପୁରୀରେ ବୈଠକ କରିବା ସହ ଆଜି ସକାଳୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ଓ ଜିଲ୍ଲାପରିଷଦ ସମସ୍ୟା ନୟନା ସାହୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ରାଜ୍ୟ ବିଜେଡି ସଭାପତିଙ୍କୁ ଇମେଲ୍ ଯୋଗେ ଇସ୍ତଫାପତ୍ର ପଠାଇ ଦେଇଥିଲେ। ଏପଟେ ବିଜେଡି ରାଜ୍ୟ ସଭାପତି ମଧ୍ୟ ଅନୁରୂପ ଭାବେ ଜିଲ୍ଲାପରିଷଦ ସଦସ୍ୟା ନୟନା ସାହୁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରିଥିଲେ। ଏପଟେ ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା ସିଧାସଳଖ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କୁ ଟାର୍ଗେଟ କରିବା ସହ ତାଙ୍କର ୨୯ବର୍ଷର ଶାସନରେ ଲୋକ ଅତିଷ୍ଠ ହୋଇ ଏଥର ପରିବର୍ତ୍ତନ କରିଛନ୍ତି। ଆଜି ବିଜେପିରେ ସାମିଲ ହୋଇ ବିକଶିତ ବଡ଼ମ୍ବା -ନରସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ସେମାନେ କାମ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି କହିଛନ୍ତି, ବଡ଼ମ୍ବାର ବିକାଶ ପାଇଁ ବିଜେପିରେ ସାମିଲ ହୋଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଜି ବଡ଼ମ୍ବା ନିର୍ବାଚନମଣ୍ଡଳୀର ୪୫ଜଣ ଜନପ୍ରତିନିଧି ଓ ତାଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବଡ଼ମ୍ବା ବିଧାୟକଙ୍କ ସମତେ ରାଜ୍ୟ ସଭାପତି ମନମୋହନ ସାମଲ, ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, କଟକ ଜିଲ୍ଲା ବିଜେପି ସଭାପତି ରାମନାରାୟଣ ମହାନ୍ତି ଉପସ୍ଥିତ ଥିଲେ।