୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବିକ୍ରମ ଦେବ କଲେଜ ହେଲା ବିଶ୍ବବିଦ୍ୟାଳୟ

ଜୟପୁର : ନୂଆବର୍ଷର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବଡ଼ ଭେଟି। ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଠିକ୍‌ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଅନେକବର୍ଷର ଦାବି ଶେଷରେ ପୂରଣ ହୋଇଥିବାରୁ ‌କଲେଜ କର୍ମଚାରୀ, ପୁରାତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏପରିକି ଆଜି ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଶ୍ବବିଦ୍ୟାଳୟ ଫାଇଲ୍‌ରେ ଦସ୍ତଖତ କରିବା ଭିଡିଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି। ସେଥିରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବା ପରେ ‘ବିକ୍ରମ ଦେବ ଅଟୋନମସ୍ କଲେଜ ୟୁନିଭରସିଟି ଏପ୍ରୁଭ୍ ହେଲା, ଜୟ ଜଗନ୍ନାଥ’ ବୋଲି କହୁଥିବା ଦେଖିବାକୁ ମିଳିଛି। ପାଖରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଅଛନ୍ତି। ସେହିପରି ନୂଆ ବିଶ୍ୱବିଦ୍ୟାଳୟ ହେବାଦ୍ୱାରା କୋରାପୁଟ, ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଫାଇଲ୍‌ରେ ଉଲ୍ଲେଖ କରିଛନ୍ତି। ଦକ୍ଷିଣ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ମହାବିଦ୍ୟାଳୟ ମାଇଲଷ୍ଟୋନ୍‌ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ଲାଟିନମ୍‌ ଜୁବୁଲି ଉତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖେଯୋଗ୍ୟ ଯେ ୧୯୪୭ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ଜୟପୁର ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିକ୍ରମ ଦେବ ମହାବିଦ୍ୟାଳୟ ଭାବେ ନାମକରଣ କରାଯାଇଥିଲା। ସ୍ନାତକ ତଥା ସ୍ନାତକୋତ୍ତର ଶିକ୍ଷା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ ଏହି ସରକାରୀ ମହାବିଦ୍ୟାଳୟ ଉପରେ ନିର୍ଭର କରୁଆସୁଛନ୍ତି। ୨୦୦୫ ମସିହାରେ ସ୍ବୟଂଶାସିତ ମାନ୍ୟତା ମିଳିବା ସହ ଗତ କିଛିବର୍ଷ ମଧ୍ୟରେ ଅନେକ ନୂଆ ପାଠ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ୧୬ଟି ସ୍ନାତକୋତ୍ତର, ୧୭ଟି ସ୍ନାତକ ସହ ବିବିଏ, ବିସିଏ ଓ ବିଏଡ୍‌ ଭଳି ପାଠ୍ୟକ୍ରମରେ ୩୫୦୦ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏହି ନୂଆ ବିଶ୍ବବିଦ୍ୟାଳୟକୁ ଅଧୀନକୁ ଆସିବ ବୋଲି ଜଣାପଡ଼ିଛି। ଅନୁଦାନର ଅଭାବ ରହିବ ନାହିଁ ଏବଂ ଗବେଷଣା କ୍ଷେତ୍ରକୁ ପ୍ରଶସ୍ତ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର