ଜୟପୁର: ଛାତ୍ରଛାତ୍ରୀଙ୍କୁ ଯୁଗପଯୋଗୀ ଏବଂ ଅତ୍ୟାଧୁନିକ ବ୍ୟବସ୍ଥାରେ ସମଗ୍ର ବିଶ୍ବର ପାଠ୍ୟକ୍ରମ ନିଜ ଅଙ୍ଗୁଳି ନିକଟରେ ଉପଲବ୍ଦ କରାଇବା ଲକ୍ଷ୍ୟରେ କେନ୍ଦ୍ରୀୟ ଗ୍ରନ୍ଥାଗାରର ଉପର ମହଲାରେ ରାଜ୍ୟସରକାର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ୫୪ଲକ୍ଷରେ ନିର୍ମାଣ ଆରମ୍ଭ ହୋଇଥିଲା ଇ-ଲାଇବ୍ରେରି। ଏହାର ନିର୍ମାଣ ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ମାସରେ ଶେଷ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଅବଧି ସରିବାର ୪ମାସ ପରେ ବି ଏହାର ନିର୍ମାଣ କାମ ସରିନି କି ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର ହୋଇପାରିନି।
ସୂଚନା ଯୋଗ୍ୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ଥିବା କେନ୍ଦ୍ରୀୟ ଗ୍ରନ୍ଥଗାର ୭୩ ବର୍ଷ ମଧ୍ୟରେ ୩ଟି ଅସ୍ଥାୟୀ ସ୍ଥାନ କେବେ କମର୍ସ ବିଭାଗ, ଦିୱାନ୍ ବଙ୍ଗଳାରେ ପାଠାଗାର ରହିଥିଲା ତ ଆଉ କେତେବେଳେ ଉତ୍କଳମଣି ଛାତ୍ରାବାସ ଠାରେ କୋଠାରେ କାର୍ଯ୍ୟକ୍ଷମ ହୋଇଥିଲା। ରୁସା ଅନୁଦାନରେ ୭୦ଲକ୍ଷରେ ନିର୍ମାଣ ହୋଇଥିବା ନିଜସ୍ବ କୋଠାର ତଳମହଲାକୁ ଗତ ୨୦୨୨ମସିହା ଏପ୍ରିଲ୍ ମାସରେ ସ୍ଥାନାନ୍ତର ହୋଇଥିଲା। ଦିୱାନ ବଙ୍ଗଳାରେ ଥିବା ପୁରୁଣା ଲାଇବ୍ରେରିରେ ଥିବା ୫୪ହଜାର ବହିରୁ ଏଠାକୁ ମାତ୍ର ୨୬ହଜାର ବହି ଆସିଛି। ବଳକା ୨୮ହଜାର ବହି ସେଠାରେ ସେଭଳି ରେକ୍ ରେ ଖତ ଖାଇ ପଡ଼ି ରହିଛି। ଏଠାରେ ଥିବା ୧୦୬ଟି ରେକରେ ୨୬ହଜାର ପୁରଣା ବହି ରଖାଯାଇଛି। ବିଶ୍ବବିଦ୍ୟାଳୟ ହେବା ପରେ ଆସିଥିବା ୨୨୮୩ଟି ବହି ସବୁ ଚଟାଣରେ ରଖାଯାଇଛି। ସବୁ ଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ଯେ ଦିୱାନବଙ୍ଗଳାରୁ ଏଠାକୁ କେବଳ ସ୍ନାତକ ଓସ୍ନାତକୋତ୍ତର ପିଲାଙ୍କ ବହି ହିଁ ସ୍ଥାନାନ୍ତର କରାଯାଇଥିଲା। ଯୁକ୍ତ ୨ରେ ପଢ଼ୁଥିବା ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବହି ସବୁ ପୁରୁଣା ଦିୱାନ ବଙ୍ଗଳା ଲାଇବ୍ରେରୀର ରେକ ଗୁଡିକରେ ହିଁ ରହିଯାଇଛି। ଏହା ଫଳରେ ଏବେ ଆଉ ଯୁକ୍ତ ୨ରେ ପଢ଼ୁଥିବା ପିଲାଙ୍କୁ ଗ୍ରନ୍ଥାଗାରରୁ ବହି ଦିଆଯାଉନି। ଅପରପକ୍ଷରେ ତଳେ ଥିବା କେନ୍ଦ୍ରୀୟ ଗ୍ରନ୍ଥାଗାରରେ ଏକା ସହ ଅଧିକା ପିଲା ବସି ପଢ଼ିବା ପାଇଁ ସେଭଳି ସୁବିଧା ଓ ସୁଯୋଗ ନାହିଁ।
/sambad/media/post_attachments/wp-content/uploads/2024/03/jpr-university-elibrary-1.jpg)
ନିର୍ମାଣାଧୀନ ଇ-ଲାଇବ୍ରେରିରେ ଚାରିପଟେ କାନ୍ଥ ଓ ଉପର ଛାତ ପକାଯାଇ ବଡ ହଲ୍ ନିର୍ମାଣ କାମ ସଂପୂର୍ଣ୍ଣ ହୋଇସାରିଛି। ଏହା ସାଙ୍ଗକୁ ଏହାରି ମଧ୍ୟରେ ୩୦ଟି କମ୍ପ୍ୟୁଟର ଓ ୨୦ଟି ରେକ୍ ଓ ୬୪ଜଣ ବସିବା ପାଇଁ ଟେବୁଲ ଓ ଚେୟାର ଆଦି ପକା ସରିଛି। ତେବେ ଏହାର ଆଉ କିଛି ନିର୍ମାଣ କାମ ସହ ବୈଷୟିକ ବ୍ୟବସ୍ଥାର ସଂଯୋଗୀକରଣ କାମ ବାକି ରହିଥିବାରୁ ଏହାର ଲୋକାର୍ପଣ କେବେ ହେବ ତାହା ଲଟକି ରହିଛି। ଏହାର ନିର୍ମାଣ ସରିଲେ ଏକା ସହ ଶତାଧିକ ପିଲା ଉପରମହଲାରେ ପଢ଼ି ପାରିବେ। ତା ସହ କିଛି ପୁରୁଣା ଓ ନୂଆରେ ଆସୁଥିବା ବହି ଗୁଡିକୁ ବି ରେକରେ ରଖି ହେବ ବୋଲି କହିଛନ୍ତି କନିଷ୍ଠ ଲାଇବ୍ରେରିଆନ୍ ବିଜୟ କୁମାର ଓରାମ। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ପାଇଁ ଦେଢ଼ କୋଟି ଓ ଯୁକ୍ତ ୨ ପାଇଁ କୋଟିଏ ୨୫ଲକ୍ଷ ଏଭଳି ୨କୋଟି ୭୫ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏଥିରେ ଇ-ଲାଇବ୍ରେରି, କ୍ୟାମେଷ୍ଟ୍ରୀ ଲ୍ୟାବ, ୫ଟି ସ୍ମାର୍ଟ କ୍ଲାସ୍ ରୁମର ନିର୍ମାଣ କାମ ଶେଷ ହୋଇ ସାରିଛି ବୋଲି କହିଛନ୍ତି ସମନ୍ବୀତ ଆଦିବାସୀ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ପ୍ରଶାସକ ପ୍ରୟଣ ରଂଜନ ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଚୈତନ୍ୟ ଭାସ୍କେ। ସରକାରଙ୍କୁ ଅବଗତ କରାଯାଇଛି। ସେଠାରୁ ହିଁ ଲୋକାର୍ପଣର ତାରିଖ ଆସିବ ବୋଲି ଉଭୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-university-elibrary-2.jpg)