୫ମ ଦିନରେ କୃଷି କର୍ମଚାରୀଙ୍କ ଆନ୍ଦୋଳନ : ଆଜିଠାରୁ ସମୂହ ଛୁଟି ଆବେଦନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘର ଆନ୍ଦୋଳନ ୫ମ ଦିନରେ ପହଞ୍ଚିଛି। ପାଖାପାଖି ୩ ହଜାର ପୁରୁଷ ଓ ମହିଳା କୃଷି କର୍ମଚାରୀ ୫ ତାରିଖରୁ କଳାବ୍ୟାଜ୍‌ ପରିଧାନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ହେଲେ ସରକାର ଶୁଣୁନାହାନ୍ତି। ଏଣୁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ୧୨ ତାରିଖ ଦିନ ସମୂହ ଛୁଟି ନେବାପାଇଁ କର୍ମଚାରୀ ସଂଘ ଯେଉଁ ନିଷ୍ପତ୍ତି ନେଇଥିଲା ତାହା ବଳବତ୍ତର ରହିଛି। ସୋମବାର ସମସ୍ତ କର୍ମଚାରୀ ଛୁଟି ଆବେଦନ କରିବେ। ଛୁଟିରେ ରହି ସଂଘର ସମଗ୍ର ରାଜ୍ୟରେ ଥିବା କର୍ମଚାରୀ ଜିଲ୍ଲାର କୃଷି ଉପ‌ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଏବେ କାଳିଆ ଯୋଜନା ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନପତ୍ର ଯାଞ୍ଚଠାରୁ ଆରମ୍ଭ କରି ଯୋଗ୍ୟ ତାଲିକା ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପୃକ୍ତ କର୍ମଚାରୀମାନେ କରୁଛନ୍ତି। ସମୂହ ଛୁଟିରେ ଗଲେ ସରକାରଙ୍କର ଏହି ବହୁ ଚର୍ଚ୍ଚିତ କାଳିଆ ଯୋଜନା ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ସଂଘର ସଭାପତି ଦିଲ୍ଲୀପ ସାମନ୍ତରାୟ। ଶିରିପୁର ଠାରେ ଥିବା ଇମେଜ୍‌ ପରିସରରେ ଆଜି ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥଇବା ସେ ସୂଚନା ଦେଇଛନ୍ତି। ସମ୍ପାଦକ ଅମୟ ରାଉତ ବୈଠକକୁ ପରିଚାଳନା କରିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ କର୍ମଚାରୀ ଉପସ୍ଥିତ ରହି ସରକାରଙ୍କର ଏଭଳି ମନୋଭାବକୁ ନିନ୍ଦା କରିଥିଲେ। ପଦବିର ନାମ ଗ୍ରାମ୍ୟ କୃଷି କର୍ମଚାରୀରୁ ପରିବର୍ତ୍ତନ କରି ପଞ୍ଚାୟତ ଏଗ୍ରିକଲଚର ଅଫିସର କରିବା, କ୍ୟାଡର୍‌ ପୁନର୍ଗଠନ, କୃଷି ଓଭରସିୟର ପଦବିର ପୁନର୍ବିନ୍ୟାସ, ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ ବା କୃଷି ଶିକ୍ଷାରେ ଡିପ୍ଲୋମା କରିବା ପ୍ରମୁଖ ଦାବି ଉପରେ ସଂଘ ଆନ୍ଦୋଳନ ଚଳାଇଛି।

ସମ୍ବନ୍ଧିତ ଖବର