ଶୁଣିଲାନି ପ୍ରଶାସନ, ଘରଘର ବୁଲି ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ପିଲା

ବଡ଼ବିଲ : ଗାଁ ରାସ୍ତା ଶୋଚନୀୟ ହୋଇଥିବାରୁ ପିଲାଙ୍କୁ ସ୍କୁଲ୍‌ ଯିବାରେ ସମସ୍ୟା ହେଉଛି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି। ଏନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗାଁ ପିଲା ଘରଘର ବୁଲି ଚାନ୍ଦା କରି ରାସ୍ତା ମରାମତି କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବଲାଣି ପଞ୍ଚାୟତ ଡୁମୁର୍ତ୍ତା ଗ୍ରାମର ତଳସାହିରେ।

ଡୁମୁର୍ତ୍ତା ତଳସାହିର ଜନସଂଖ୍ୟା ୩ ଶହରୁ ଅଧିକ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସାହିକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରି ନାହିଁ। ନିର୍ବାଚନ ବେଳେ ନେତାମାନେ ଗାଁକୁ ଆସି ଭୋଟ୍‌ ମାଗନ୍ତି। ଜିତିଲେ ସମସ୍ୟା ଦୂର ହୋଇଯିବ ବୋଲି ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ପରେ ସେମାନଙ୍କର ଆଉ ଦେଖା ମିଳେ ନାହିଁ। ଗାଁକୁ ଭଲ ରାସ୍ତା ନଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ଗାଁକୁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି। ସେହିପରି ତଳସାହିରୁ ଡୁମୁର୍ତ୍ତା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ିର ଦୂରତା ୨ କିମି ଦୂର। ପିଲାମ‌ାନେ ବିପଦସଙ୍କୁଳ ରାସ୍ତାରେ ଯାତାୟାତ କରୁଛନ୍ତି।

ରାସ୍ତା ନିର୍ମାଣ ପାଇଁ ଲୋକେ ପ୍ରଶାସନକୁ ଜଣାଇଥିଲେ। ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ଓ ପିଲାମାନେ ମିଶି ରାସ୍ତା ମରାମତି କରିବାକୁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ସାହିର ପ୍ରତି ଘରୁ ଚାନ୍ଦା ଆଦାୟ କରାଯାଇଥିଲା। ଉକ୍ତ ଟଙ୍କାରେ ମୋରମ କିଣାଯାଇଥିଲା। ପିଲାମାନେ ମୋରମ ବୋହି ରାସ୍ତାରେ ପକାଇଥିଲେ। ବଡ଼ ଲୋକମାନେ ରାସ୍ତା‌କୁ ସମତୁଲ କରିଥିଲେ। ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଗାଁକୁ ବିଜୁଳି ଆଲୁଅ ସାଙ୍ଗକୁ ପିଇବା ପାଣିର ବ୍ୟବସ୍ଥା ହୋଇଥିବା ବେଳେ ରାସ୍ତା ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏକ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର