ରାଇରଙ୍ଗପୁର: ଶିଳ୍ପ ପ୍ରତିଷ୍ଠା ନେଇ ପଲ୍ଲୀସଭା ଚାଲିଥିଲା। ତେବେ ପ୍ରଶାସନ ମତାମତ ସଂଗ୍ରହ କରି ଫଳାଫଳ ନ ଜଣାଇବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରେ ଗ୍ରାମବାସୀ ବ୍ଲକ୍ ଘେରାଉ କରିଥିଲେ। ତେବେ ଏହି ସମୟରେ ପୁଲିସ ସେମାନଙ୍କ ଉପରେ ଲାଠି ଚାଳନା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ; ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁରରେ ରୁଙ୍ଗଟା ଶିଳ୍ପ ପ୍ରତିଷ୍ଠା ହେବ। ଏନେଇ ଆଜି ପୁରୁଣାପାଣି ପଞ୍ଚାୟତ କଣ୍ଟାବଣି ସ୍କୁଲ୍ ପଡ଼ିଆରେ ସ୍ବତନ୍ତ୍ର ପଲ୍ଲୀସଭା ଥିଲା। ଯେଉଁଥିରେ ପ୍ରଭାବିତ ହେବାକୁ ଥିବା ଗ୍ରାମର ଲୋକ ଯୋଗ ଦେଇଥିଲେ। ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧାନାଇ ଚରଣ ଟୁଡୁଙ୍କ ଅଧ୍ୟକ୍ଷତାରେ ଦିନ ୧୦ଟା ବେଳେ ପଲ୍ଲୀସଭା ଆରମ୍ଭ ହୋଇଥିଲା।
ସଂଗୃହୀତ ମତ ନ ଜଣାଇବାରୁ ତାତିଲେ
ପ୍ରଶାସନ ପକ୍ଷରୁ ହାତ ଉଠାଇ ଶିଳ୍ପ ସପକ୍ଷରେ ଓ ବିପକ୍ଷରେ ମତ ଲୋଡ଼ାଯାଇଥିଲା। ତେବେ ସ୍ପଷ୍ଟ ନ ହେବାରୁ ଦସ୍ତଖତ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଥିଲା। ବିପକ୍ଷ ମତ ଅଧିକ ଆସୁଥିବା ଦେଖି ବିଡିଓ କୁଆଡ଼େ ପଲ୍ଲୀସଭାରୁ ଦସ୍ତଖତ ଖାତା ନେଇ ଚାଲିଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କୁ ଛଡ଼ାଯାଇ ନଥିଲା ଏବଂ ପୁଣି ମତାମତ ସଂଗ୍ରହ ହୋଇଥିଲା। ପ୍ରାୟ ୭ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିବା ବେଳେ ଅଧିକାରୀମାନେ ଫଳାଫଳ ନ ଜଣାଇ ବ୍ଲକ୍ କାର୍ଯ୍ୟାଳୟକୁ ଚାଲିଯାଇଥିଲେ। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବ୍ଲକ୍ ଘେରାଉ କରିଥିଲେ ଏବଂ ଫଳାଫଳ ଜାଣିବା ପାଇଁ ଅଡ଼ିବସିଥିଲେ। ରାତି ପ୍ରାୟ ୭ଟା ବେଳେ ଉତ୍ତେଜନା ବଢ଼ିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ରାତି ୮ଟା ବେଳେ ପୁଲିସ ଲାଠି ଚାଳନା କରିଥିଲା। ବିଦ୍ୟୁତ୍ କାଟ ହୋଇଥିଲେ ବି ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ପୁଲିସ ମାଡ଼ରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ୍ ପଡ଼ି ନଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ରାଇରଙ୍ଗପୁର ଅତିରିକ୍ତ ଏସ୍ପି ଯଦୁନାଥ ଜେନା, ଏସ୍ପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁ ପ୍ରମୁଖଙ୍କ ସହ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ବ୍ଲକ୍ କାର୍ଯ୍ୟାଳୟରେ ମୁତୟନ ଅଛନ୍ତି।