ଗ୍ରାମ୍ୟ ନ୍ୟାୟାଳୟ ପାଇଁ ନିଦ ଭାଙ୍ଗିଲା, ସରକାରଙ୍କୁ ଅପଦସ୍ତ କରିବା ପରେ ଚେତିଲେ

୭ବର୍ଷ ଭିତରେ ଗୋଟିଏ ଗାଁକୁ ବି ପୁରସ୍କାର ମିଳିଲାନି
ସରକାରଙ୍କ ୪ ବିଭାଗ ମଧ୍ୟରେ ସମନ୍ବୟ ନାହିଁ

ଭୁବନେଶ୍ବର : ଗ୍ରାମ୍ୟ ନ୍ୟାୟାଳୟ (ଭିଲେଜ୍ କୋର୍ଟ)କୁ ନେଇ ରାଜ୍ୟ ସରକାରଙ୍କୁ ନିକଟରେ ସୁପ୍ରିମକୋର୍ଟ ଝଟ୍‌କା ଲାଗିଥିଲା। ୫ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ। ଅର୍ଥ ପରିମାଣ ଯେତେ ବଡ଼ କଥା ନୁହେଁ, ଏହା ସୂଚାଇ ଦେଇଥିଲା ଯେ ସରକାରଙ୍କ କଥା ଓ କାର୍ଯ୍ୟ ଭିତରେ କେତେ ଦୂରତା ରହିଛି। ସରକାର ଯୋଜନା ଘୋଷଣା କରୁଛନ୍ତି, ହେଲେ କାର୍ଯ୍ୟାନ୍ବୟନ ହେଉନାହିଁ। ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି, କାହିଁକି ସରକାରଙ୍କୁ ଅପଦସ୍ତ ହେବାକୁ ପଡିଲା, ସେ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସଚିବାଳୟରେ ୫୦ ମିଟର ପରିଧି ଭିତରେ ଏକାଠି ବସୁଛନ୍ତି, ଅଥଚ ରାଜସ୍ବ, ଗୃହ, ଅର୍ଥ, ଆଇନ ବିଭାଗ ମଧ୍ୟରେ ସମନ୍ବୟ ନାହିଁ।

ଘଟଣାଟି ଏମିତି। ଗାଁ କଳି ଗାଁରେ ସମାଧାନ ହେବ। ଏହା ପୁଲିସ ଥାନା, ଫାଣ୍ଡି କି କୋର୍ଟ ଯିବନି। ଏପରି ଏକ ମହତ୍‌ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ୨୦୧୩ ମସିହାରେ ୩୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମକଦ୍ଦମା ବିହୀନ ରାଜସ୍ବ ଗାଁକୁ ଚୟନ କରି ବର୍ଷକୁ ଥରେ ସାମାଜିକ ସୌହାର୍ଦ୍ଦ୍ୟ ପୁରସ୍କାର ପ୍ରଦାନ କରିବାକୁ ଯୋଜନା କଲେ। ସରକାରଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଗଲା। ହେଲେ ତଥ୍ୟ କହୁଛି,ଏଯାଏ ଗୋଟିଏ ବି ଗାଁକୁ ସରକାର ପୁରସ୍କାର ଦେବାକୁ ସକ୍ଷମ ହୋଇପାରିନାହାନ୍ତି। ଏଇଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ କାର୍ଯ୍ୟାନ୍ବୟନ କରିବା ଲାଗି ବାବୁଙ୍କ ଭିତରେ ଆନ୍ତରିକତା ପ୍ରକାଶ ପାଇନାହିଁ। ଗାଁରେ ପହଞ୍ଚିପାରିନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା। ପୁରସ୍କାର ପାଇବେ କଣ, କେତେ ଗାଁରେ ନ୍ୟାୟାଳୟ ବସି ସମାଧାନ କରିଛନ୍ତି, ସେ ହିସାବ ବି ସରକାରଙ୍କ ପାଖରେ ନାହିଁ। ୨୭ଟି ଜିଲ୍ଲାରୁ ଏ ସଂକ୍ରାନ୍ତରେ ସରକାରଙ୍କୁ ରିପୋର୍ଟ ପହଞ୍ଚିପାରିନାହିଁ। ଯେଉଁ ୩ଟି ଜିଲ୍ଲାରୁ ରିପୋର୍ଟ ଆସିଛି, ତାହା ପୁଣି ଅଧପନ୍ତରିଆ।

ଉଲ୍ଲେଖଯୋଗ୍ୟ ଯେ ମକଦ୍ଦମା ବିହୀନ ରାଜସ୍ବ ଗାଁକୁ ପୁରସ୍କୃତ କରିବାକୁ ଆଇନ ବିଭାଗ ୨୦୧୩ ଅକ୍ଟୋବର ୩ ତାରିଖରେ ସଂକଳ୍ପ ଜାରି କରିଥିଲେ। ପ୍ରତି ଗାଁରେ ଗୋଷ୍ଠୀ ବିବାଦ ଓ ସାମାନ୍ୟ କଳିକୁ ନେଇ ପରସ୍ପର ବ୍ୟକ୍ତିଭିତରେ ମାରପିଟ୍‌ ଓ ରକ୍ତାକ୍ତ ସଂଘର୍ଷ ବଢ଼ିବଢ଼ି ଚାଲିଛି। ଏ ନେଇ କୋର୍ଟ କଚେରୀରେ ବର୍ଷବର୍ଷ ଧରି ମାଲିମକଦ୍ଦମା ପଡ଼ିରହୁଛି। ପରସ୍ପର ପ୍ରତି ଆକ୍ରୋଶ ମନୋଭାବ ଯୋଗୁଁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବାତାବରଣ ନଷ୍ଟ ହେବାରେ ଲାଗିଛି। ଫଳରେ ଗାଁର ପ୍ରତିଛବି ଖରାପ ହେଉଛି। ଏହା ହେଲେ ଗାଁ ଓ ତହସିଲ ସ୍ତରରେ ଲୋକ ଅଦାଲତ କରି ଏସବୁ କଳି ଓ ବିବାଦର ସମାଧାନ କରାଯିବାକୁ କୁହାଯାଇଥିଲା। ଆପୋସ ସମାଧାନକୁ ପ୍ରୋତ୍ସାହନ ପାଇଁ ପୁରସ୍କାର ବ୍ୟବସ୍ଥା କରିଥିଲେ ସରକାର। କହିଥିଲେ ଯେ ଯେଉଁ ଗାଁ ବିବାଦ ଶୂନ୍ୟ ଗାଁ ହେବ, ତାଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ଏହି ଅର୍ଥରେ ଗାଁର ଶିକ୍ଷା ଓ ସାମାଜିକ ଉନ୍ନୟନ ଭିତ୍ତିକ କାର୍ଯ୍ୟ କରାଯିବ। ଏଥିପାଇଁ ତହସିଲ ସ୍ତରୀୟ ଆଇନସେବା କମିଟି ମକଦ୍ଦମା ବିହୀନ ଗାଁ ବିଷୟରେ ତଥ୍ୟ ଜିଲ୍ଲା ଆଇନସେବା କମିଟିକୁ ପଠାଇବେ ଓ ପରେ ଜିଲ୍ଲା ଆଇନସେବା କମିଟି ରାଜ୍ୟ ସ୍ତରୀୟ ଆଇନସେବା କମିଟିକୁ ତାଲିକା ପଠାଇବେ। ସର୍ବୋପରି ଓଡ଼ିଶା ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ (ଓଏସ୍‌ଏଲ୍‌ଏସ୍‌ଏ) ଜିଲ୍ଲା ସ୍ତରରୁ ଆସିଥିବା ରାଜସ୍ବ ଗାଁର ତାଲିକା ସରକାରଙ୍କୁ ଦେବେ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଓଡ଼ିଶା ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ (ଓଏସ୍‌ଏଲ୍‌ଏସ୍‌ଏ) ପଠାଇଥିବା ତାଲିକାକୁ ତର୍ଜମା କରି ରାଜସ୍ବ ଗାଁଗୁଡ଼ିକୁ ପୁରସ୍କୃତ କରିବାକୁ ବ୍ୟବସ୍ଥା କରିବେ।

ହେଲେ ଗତ ୧୫ ତାରିଖରେ ଆଇନ ବିଭାଗ ଅନୁଶାସନ ସଚିବ ଓଏସ୍‌ଏଲ୍‌ଏସ୍‌ଏ ସଦସ୍ୟ ସଚିବଙ୍କୁ ଲେଖିଥିବା ଚିଠି ଏହା ଉପରୁ ପରଦା ଉଠାଇଛି। ଯେଉଁ ୩ଟି ଜିଲ୍ଲା ସଂପର୍କରେ ରିପୋର୍ଟ ଆସିଛି, ସେଥିରେ ଚୟନ କରାଯାଇଥିବା ରାଜସ୍ବ ଗାଁକୁ ସରକାର ପୁରସ୍କାର ଦେଇପାରୁନାହାନ୍ତି। କାରଣ ଓଏସ୍‌ଏଲ୍‌ଏସ୍‌ଏର ମତ ନାହିଁ, ପୁଲିସ ରିପୋର୍ଟ ସଂଲଗ୍ନ କରାଯାଇନାହିଁ। ଏଣୁ ସରକାର ଏହାକୁ ଗ୍ରହଣ କରିପାରୁନାହାନ୍ତି। ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ କମିଟିରେ ସଦସ୍ୟ ଥିବା ୪ଟି ବିଭାଗ ଯଥା ରାଜସ୍ବ, ଗୃହ, ଅର୍ଥ ଓ ଆଇନ ବିଭାଗ ଏକାଠି ବସିନାହାନ୍ତି କି କାହାକୁ ତାଗିଦ୍ କରିନାହାନ୍ତି। ପ୍ରତି ମାସରେ ମୁଖ୍ୟଶାସନ ସଚିବ ସଚିବସ୍ତରୀୟ ବୈଠକ ନେଉଛନ୍ତି। ସେଥିରେ ଏ ସଂପର୍କରେ ଆଲୋଚନା ହେଉନାହିଁ କିମ୍ବା ଆଇନ ସଚିବ ମଧ୍ୟ ମୁଖ୍ୟସଚିବଙ୍କୁ ଜଣାଇଥିବା ନଜିର ନିକଟ ଅତୀତରେ ଦେଖାଯାଇନାହିଁ। ଏବେ କୋର୍ଟରେ ସରକାରଙ୍କୁ ଜରିମାନା ହେବା ପରେ ଆଇନ ବିଭାଗର ନିଦ ଭାଙ୍ଗିଛି। ଏହି ଗୋଟିଏ କାର୍ଯ୍ୟକ୍ରମ ବୟାନ କରୁଛି, ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ କିଏ ବାଟ ବଣା କରୁଛି।

ସମ୍ବନ୍ଧିତ ଖବର