୫ ଦିନରେ ୩ କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌

ଆର୍‌ଡି ଡିଭିଜନ୍‌ରେ ପି-ଓ୍ଵାନ୍‌ କେଳେଙ୍କାରୀ, ଭିଜିଲାନ୍ସ ବିଭାଗର ଖୋଳତାଡ଼ ଆରମ୍ଭ

ଯାଜପୁର: ଯାଜପୁର ଗ୍ରାମ୍ୟ ଉନ୍ନୟନ(ଆରଡ଼ି) ଡିଭିଜନ୍‌-୧ର ପି-୧(ଗୁପ୍ତ ଟେଣ୍ଡର) କେଳେଙ୍କାରୀ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଗୋଟିଏ ପଟେ ତଦନ୍ତ ହେଉଥିବାବେଳେ ଅନ୍ୟପଟେ ଏହି ଦୁର୍ନୀତିର ପର୍ଦ୍ଦାଫାସ ହେବାରେ ଲାଗିଛି। ଏବେ ମିଳିଥିବା ତଥ୍ୟ ଅନୁସାରେ ୫ ଦିନ ମଧ୍ୟରେ ୩.୨୨ କୋଟି ଟଙ୍କାର ଗୁପ୍ତ ଟେଣ୍ଡର କରାଯାଇଛି। ଏପରିକି, ଡିଭିଜନ୍‌ କାର୍ଯ୍ୟାଳୟର ଏକ ସମ୍ମୁଖ ରାସ୍ତା ବାବଦ ଅର୍ଥକୁ ବି ହଡ଼ପ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ଯାଜପୁର ଜିଲ୍ଲା ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ଡିିଭିଜନ୍‌ ଅଧିନରେ ଥିବା ୪ଟି ଉପଖଣ୍ଡରେ ବର୍ଷ ବର୍ଷ ଧରି ଗୁପ୍ତ ଟେଣ୍ଡର୍‌ (ହାତ ଚିଠା) ଜରିଆରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ‘ସମ୍ବାଦ’ରେ ଏ ସମ୍ପର୍କରେ ଲଗାତାର ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଭିଜିଲାନ୍ସ ଏହାର ଖୋଳତାଡ ଆରମ୍ଭ କରିଛି।
ଗୋଟିଏ ପଟେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବାବେଳେ ଅନ୍ୟପଟେ ଏକ ନୂଆ ତଥ୍ୟ ହସ୍ତଗତ ହୋଇଛି। ପୂର୍ବରୁ ଗୋଟିଏ ବର୍ଷ ମଧ୍ୟରେ ୧୩୭ଟି ଗୁପ୍ତ ଟେଣ୍ଡର କରାଯାଇଥିବା ଖବର ପ୍ରକାଶ ପାଇଥିଲା। ଏବେ ମିଳିଥିବା ତଥ୍ୟ ଅନୁସାରେ, ମାତ୍ର ୫ ଦିନ ମଧ୍ୟରେ ୩.୨୨କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌ କରାଯାଇଛି। ଯେଉଁଥିରେ କି, ଯାଜପୁର ଓ ବରୀ ବ୍ଲକ୍‌ର ବିଭିନ୍ନ ରାସ୍ତା, ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ ପ୍ରଭୃତି ମରାମତିରେ ଅର୍ଥ ବିନିଯୋଗ କରାଯାଇଥିବା ଦର୍ଶାଯାଇଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଡିଭିଜନର ଏକ ସମ୍ମୁଖ ରାସ୍ତାକୁ ବି ଚଳୁ କରାଯାଇଛି। ପିଏସି ଛକରୁ ଡିପିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରାସ୍ତା ଯାଇଛି। ୮ଟି ପି-୧ ବା ଗୁପ୍ତ ଟେଣ୍ଡର୍‌ କରି ମୋଟ ୩୧ଲକ୍ଷ ୫୦ ହଜାର ଟଙ୍କାର ହରିଲୁଟ୍‌ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ଆଉ କେତେକ ସ୍ଥାନରେ ଗୋଟିଏ ଗୋଟିଏ କାମକୁ ବାରମ୍ବାର ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଗୋଳକୁଣ୍ଡ ରୁ ଇନ୍ଦୁପୁର ରାସ୍ତାରେ ୫ଟି ପି-୧ କରାଯାଇଛି। ଏହି ବାବଦରେ ୨୧.୪୦ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ସେହିପରି ଗୋଲକୁଣ୍ଡରୁ ରତ୍ନଗିରି ରାସ୍ତାରେ ୪୨ଲକ୍ଷରୁ ଉର୍ଧ୍ୱ ଟଙ୍କାର ଟେଣ୍ଡର କାମ ହେବା ସତ୍ତ୍ୱେ ଏହି ରାସ୍ତାରେ ଆଉ ୮ଟି ଗୁପ୍ତ ଟେଣ୍ଡର କରାଯାଇଛି। ଏ ବାବଦରେ ୩୩ ଲକ୍ଷ ଟଙ୍କା ଟଙ୍କା ହେରାଫେରି କରାଯାଇଛି। ଭିଜିଲାନ୍ସ ବିଭାଗ ଏହାର ଖୋଳତାଡ କରିବା ପରେ ଠିକାଦାର ଓ ସଂପୃକ୍ତ ଅଧିକାରୀମାନେ ଛାନିଆଁ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର