ସୁନାଖଣିକୁ ନେଇ ଗାଁ ବିବାଦ, ସର୍ଭେ ବନ୍ଦ

ବାଂଶପାଳ :‌ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଜଳଡିହା ଗ୍ରାମ ଜଙ୍ଗଲରେ ସୁନା ଖଣିର ସନ୍ଧାନ ମିଳିଛି। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ପକ୍ଷରୁ ଏକ ୫ଜଣିଆ ଦଳ ଉକ୍ତ ଜଙ୍ଗଲରେ ଡେରା ପକାଇ ସର୍ଭେ ଆରମ୍ଭ କରିଛନ୍ତି। ସର୍ଭେ ହେଉଥିବା ସ୍ଥାନକୁ ନେଇ ନିକଟସ୍ଥ ଦୁଇଗାଁ ଗୋପପୁର ଓ ଜଳଡିହା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଗାଁ ବିବାଦ ଯୋଗୁଁ ସର୍ଭେ କାମ ବନ୍ଦ ରହିଥିବା ଜଣାପଡ଼ିଛି।

୧୯୭୬/୭୭ ମସିହାରୁ ବିଭିନ୍ନ ସମୟରେ ବାଂଶପାଳ ବ୍ଲକ୍‌ର ଜଳଡିହା, ଗଜିପୁର, କୁଶକଳା ଆଦି ଗ୍ରାମର ପାହାଡ଼ରେ ସୁନାଖଣି ସନ୍ଧାନରେ ଭୂତତ୍ତ୍ୱ ଓ ଖଣି ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା। ବର୍ତ୍ତମାନ ଜଳଡିହା ଗ୍ରାମ ଜଙ୍ଗଲରେ ସୁନାଖଣି ସନ୍ଧାନ ପାଇଁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସର୍ଭେ କରାଯାଉଛି। ବିଭିନ୍ନ ସ୍ଥାନରେ ଖୋଳାଯାଇ ମାଟି ନମୁନା ସଂଗ୍ରହ କରାଯାଉଛି। ଏହାକୁ ପରୀକ୍ଷାଗାରକୁ ପଠାଯିବ। ପରୀକ୍ଷା ପରେ ଏଠାରୁ କେତେ ପରିମାଣରେ ସୁନା ବାହାରିବ ସେ ସମ୍ପର୍କରେ ଜଣାପଡ଼ିବ। ଗୋଟିଏ ପଟେ ସର୍ଭେ ଚାଲିଥିବା ବେଳେ ଅନ୍ୟପଟେ ସୀମାକୁ ନେଇ ଗୋପପୁର ଓ ଜଳଡିହା ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।

ସୁନାଖଣି ଠାବ ପାଇଁ ସର୍ଭେ ‌ହେଉଥିବା ସ୍ଥାନଟି ମାନଚିତ୍ରରେ ଜଳଡିହା ପରିବର୍ତ୍ତେ ଭୁଲରେ ଗୋପପୁର ବୋଲି ଦର୍ଶାଯାଇଥିଲା। ଏହାକୁ ବିରୋଧ କରିଥିଲେ ଜଳଡିହା ଗ୍ରାମବାସୀ। ସୀମା ନିର୍ଦ୍ଧାରଣ ସଠିକ୍‌ ଭାବେ କରି ସର୍ଭେ କାମ ଆରମ୍ଭ କରିବାକୁ ଜଳଡିହା ଗ୍ରାମବାସୀ ନଭେମ୍ବର ୮ ତାରିଖରେ କେନ୍ଦୁଝର ଜିଲ୍ଲାପାଳ, ଏସ୍‌ପି, ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥାର ଯୁଗ୍ମ ନିର୍ଦ୍ଦେଶକ, ବାଂଶପାଳ ତହସିଲଦାରଙ୍କୁ ଜଣାଇଥିଲେ। ପରେ ସ୍ପିଡ ପୋଷ୍ଟ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ଇସ୍ପାତ ଏବଂ ଖଣି ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଜଣାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ଆଜି ବାଂଶପାଳ ତହସିଲ ପକ୍ଷରୁ ତରମାକାନ୍ତ ଭାରପ୍ରାପ୍ତ ଆର୍‌ଆଇ ପ୍ରିୟବ୍ରତ ନାୟକ, ନୟାକୋଟ ଥାନା ଏସ୍‌ଆଇ ଜେନା ଖାଲ୍‌କୋ, ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଜିଓଲୋଜିଷ୍ଟ ଏବଂ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ସୀମା ଚିହ୍ନଟ କରାଯାଇଥିଲା। ସର୍ଭେ ହେଉଥିବା ସ୍ଥାନଟି ଜଳଡିହା ଗ୍ରାମରେ ଥିବା ଜଣାପଡ଼ିଥିଲା। ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯିବା ପରେ ଜଳଡିହା ଗ୍ରାମର ନୀଳାଦ୍ରି ପାତ୍ର, ବେଣୁଧର ସିଂ, ଗମ୍ଭାରାମ ଗିରି, ଅନିରୁଦ୍ଧ ପାତ୍ର, ଯଦୁମଣି ପାତ୍ର, ଯୋଗେନ୍ଦ୍ର ପାତ୍ର ପ୍ରମୁଖ ଖୁସି ପ୍ରକଟ କରିଛନ୍ତି। ଏନେଇ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଜଣେ ଜିଓଲୋଜିଷ୍ଟଙ୍କୁ ପଚାରିବାରୁ, ସୁନା ସନ୍ଧାନରେ ଏଠାରେ ସର୍ଭେ କାମ ଆରମ୍ଭ ହୋଇଛି। କିନ୍ତୁ ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ସର୍ଭେ କାମ ବନ୍ଦ ଥିଲା। ଆଜି ସୀମା ନିର୍ଦ୍ଧାରଣ ହେବା ପରେ ଆସନ୍ତାକାଲିଠାରୁ ପୁଣି ସର୍ଭେ ଆରମ୍ଭ ହେବ। ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ଏଠାରେ କ’ଣ ଅଛି ତାହା ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର