ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାମିଗୁଡାକୁ ନାହିଁ ପକ୍କା ରାସ୍ତା, ଜମି ହୁଡ଼ା ହିଁ ପାଲଟିଛି ନିତିଦିନିଆ ରାସ୍ତା

କଲ୍ୟାଣସି˚ହପୁର : ବସତି ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତିଲାଣି। କିନ୍ତୁ ବର୍ତମାନ ସୁଦ୍ଧା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଜମି ହୁଡ଼ା ହିଁ ପାଲଟିଛି ନିତିଦିନିଆ ରାସ୍ତା। ଗାଁକୁ ପକ୍କା ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ବୁହାଯାଉଛି। ଏପରିକି ଛାତ୍ରଛାତ୍ରୀ ଏହି ବିଲ ହୁଡ଼ା ଦେଇ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି।ପଞ୍ଚାୟତ କାର୍ଯ୍ୟାଳୟ ଯିବା ସମୟରେ ମଧ୍ୟ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପକ୍କା ରାସ୍ତା ନିର୍ମାଣ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସମେତ ଜନ ପ୍ରତିନିଧିଙ୍କ ନିକଟରେ ଗୁହାରି କରାଯାଇଛି। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏଭଳି ଦୟନୀୟ ଅବସ୍ଥାରେ ଯାତାୟାତ କରୁଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତର ଗାମିଗୁଡ଼ା ଗ୍ରାମବାସୀ।

ପଲମା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗାମିଗୁଡା ଗ୍ରାମରେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୩୫ଟି ଆଦିବାସୀ ପରିବାର ରହି ଆସୁଛନ୍ତି। କିନ୍ତୁ ଅଦ୍ୟାବଧି ଏହି ଗାଁକୁ ଯିବା ନିମନ୍ତେ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ତେଣୁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ଜମି ହୁଡ଼ା ଦେଇ ଯାତାୟାତ କରି ଆସୁଛନ୍ତି। କିନ୍ତୁ ବର୍ଷା ଦିନେ ଏହି ରାସ୍ତା କାଦୁଅମୟ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯିବା ସମୟରେ ହଇରାଣ ହେଉଛନ୍ତି। ଯଦି ଗାଁର କୌଣସି ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରନ୍ତି ତେବେ ଏକ ଖଟିଆ କିମ୍ବା ଭାରରେ ବୋହି ମହିଳାଙ୍କୁ ପଲମା-କଲ୍ୟାଣସି˚ହପୁର ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଥାଏ। ପରେ ଆମ୍ବୁଲାନ୍‌ସ କିମ୍ବା ଭଡ଼ା ଗାଡ଼ିରେ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥାଏ। ସେହିପରି ଭତ୍ତା ଆଣିବା ସମୟରେ ଗ୍ରାମର ବୃଦ୍ଧବୃଦ୍ଧା ମାନେ ହଇରାଣ ହୋଇଥାନ୍ତି। ଭତ୍ତା ଆଣିବାକୁ ଯିବା ସମୟରେ ଏମାନଙ୍କ ସାଥୀରେ କୌଣସି ସଂପର୍କୀୟଙ୍କୁ ଯିବାକୁ ପଡ଼ିଥାଏ। ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ତଥା ସଉଦା ପାଇଁ ଏହି ରାସ୍ତା ଦେଇ ଗ୍ରାମବାସୀ ଯାତାୟାତ କରୁଛନ୍ତି।

ପକ୍କା ରାସ୍ତା ନିର୍ମାଣ ପାଇଁ ପାଇଁ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଦୃଷ୍ଟି ନଦେବାରୁ ଗତ ଡିସେମ୍ବର ମାସରେ ଗ୍ରାମବାସୀ ତତ୍କାଳୀନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପିଡୁଆରୁ ରିଞ୍ଜାବାଡି ଗ୍ରାମଦେଇ ଗାମିଗୁଡା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ରାସ୍ତା ନିର୍ମାଣ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପରିତାପର ବିଷୟ ଜିଲ୍ଲାପାଳ ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଥିବାରୁ ରାସ୍ତା କାର୍ଯ୍ୟ ଅଟକି ଯାଇଥିବା ଗ୍ରାମବାସୀ କହିଛନ୍ତି। ପକ୍କା ରାସ୍ତା ନଥିବାରୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଭଳି ଜୀବନ ବିତାଉଥିବାରୁ ଶୀଘ୍ର ଏଦିଗରେ ଜିଲ୍ଲାପାଳ ଦୃ‌ଷ୍ଟି ଦେବାକୁ ଗ୍ରାମର ବିଶ୍ବନାଥ ହୁଇକା, ରାମଚନ୍ଦ୍ର ହୁଇକା, କେ. ହୁଇକା, ମାଳତି ହୁଇକା, ମୁତାଇ ହୁଇକା, ୱାଲସା ହୁଇକା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର