ଭୁବନେଶ୍ବର: ସାରକୁ କେନ୍ଦ୍ର ସରକାର ଜରୁରୀକାଳୀନ ସାମଗ୍ରୀ ଭାବେ ଘୋଷଣା କରିଥିବାବେଳେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହା ଉପରେ ଅଧିକ ସବ୍‌ସିଡି ଦେଉଛନ୍ତି। କିନ୍ତୁ ଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ୟୁରିଆ ଓ ଡିଏପି ବ୍ୟବହାର ଅଧିକ ବଢ଼ିଯାଇଛି। ସାର କଳାବଜାରୀ ବଢ଼ିଚାଲିଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଯେପରି ସାର ବ୍ୟବହାର ହେବ ଏବଂ କଳାବଜାରୀ ରୋକାଯାଇପାରିବ ସେନେଇ ‘ଧର୍‌ତୀ ମାତା ବଚାଓ ନିଗ୍‌ରାନି ଅଭିଯାନ’ ଆରମ୍ଭ କରିଛନ୍ତି।

Advertisment

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାର ଅଧିକ ବ୍ୟବହାର ହେବାର ବିଭିନ୍ନ କାରଣ ମଧ୍ୟରେ ପ୍ରମୁଖ କାରଣ ହେଉଛି କୃଷକମାନେ କେତେ ମାତ୍ରାରେ ସାର ବ୍ୟବହାର କରିବେ ସେନେଇ ସଚେତନ ନାହାନ୍ତି। ଏହାସହ ବେଆଇନ ଭାବେ ବିଭିନ୍ନ ଶିଳ୍ପ ସଂସ୍ଥା ଏବଂ ବିଦେଶକୁ ସ୍ଥାନାନ୍ତର ହେଉଥିବା ଜାଣିବାକୁ ମିଳିଛି। ତେଣୁ ତୃଣମୂଳ ସ୍ତରରେ ସାରର କଳାବଜାରୀ ରୋକିବା ଓ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବା ନେଇ ସମସ୍ତ ରାଜ୍ୟକୁ ‘ଧରତୀ ମାତା ବଚାଓ ନିଗରାନି ଅଭିଯାନ’ରେ ଗ୍ରାମସ୍ତରରେ ‘ଧରତୀ ମାତା ବଚାଓ ନିଗରାନି ସମିତି’ ଏବଂ ଜିଲ୍ଲା, ଉପଖଣ୍ଡ ସ୍ତରରେ ସ୍ବତନ୍ତ୍ର କମିଟି ଗଠନ କରିବାକୁ କୁହାଯାଇଛି। ଏହି କମିଟି ସେମାନଙ୍କ ଅଞ୍ଚଳରେ ସାରର ଯୋଗାଣ, ବ୍ୟବହାର ଉପରେ ନଜର ରଖିବେ।

ଗ୍ରାମସ୍ତରରେ ହେବାକୁ ଥିବା ସମିତି ତାଙ୍କ ଅଞ୍ଚଳରେ ଯଦି କୌଣସି ଜଣେ ବ୍ୟକ୍ତି ବା କିଛି ଲୋକଙ୍କୁ ଅଧିକ ସାର ବିକ୍ରି କରାଯାଉଛି ଏବଂ ଏହା ଅଣ କୃଷି ବା ଚୋରା ଚାଲାଣ ହେଉଥିବ ତେବେ ସେନେଇ ଉପଖଣ୍ଡ ଓ ଜିଲ୍ଲା କମିଟିକୁ ଜଣାଇବେ। ଏହାସହ ଏହି କମିଟି ଚାଷୀଙ୍କୁ କେତେ ପରିମାଣର ସାର ଜମିରେ ବ୍ୟବହାର କରିବେ ଓ ମାଟିର ଉର୍ବରତା ବଢ଼ିବ ସେନେଇ ସଚେତନ କରିବେ। ଗ୍ରାମ ସ୍ତରରେ ଗଠନ ହେବାକୁ ଥିବା ଏହି ସମିତିରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୭ଜଣ ସଦସ୍ୟ ରହି‌େବ। ଏଥିରେ ପିଇଓ ଆବାହକ ସଦସ୍ୟ ରହିବେ। ଏହାସହ ଭିଏଡବ୍ଲ୍ୟୁ, କୃଷକ ସାଥୀ, ଡ୍ରୋନ୍ ଦିଦି, ଜେଣ ସମୃଦ୍ଧ ଚାଷୀ, ଗ୍ରାମରେ ରହୁଥିବା ପାକ୍ସ/ଏଫ୍‌ପିଓ ଏହାର ସଦସ୍ୟ ରହିବେ। ସେହିପରି ଉପଖଣ୍ଡସ୍ତରରେ ହେବାକୁ ଥିବା କମିଟିରେ ଉପଜିଲ୍ଲାପାଳ ଅଧ୍ୟକ୍ଷ ରହିବାକୁ ଥିବାବେଳେ ଜିଲ୍ଲା କୃଷି ଅଧିକାରୀ ଆବାହକ ସଦସ୍ୟ ରହିବେ। ସାର ସଂଘ/ସାର କମ୍ପାନି, ସମବାୟ ବିଭାଗର ଉପଖଣ୍ଡସ୍ତରୀୟ ଅଧିକାରୀ, ବ୍ଲକ କୃଷି ଅଧିକାରୀ, ତହସିଲଦାର ପ୍ରମୁଖ ସଦସ୍ୟ ରହିବେ।

ଜିଲ୍ଲାସ୍ତରରେ ହେବାକୁ ଥିବା କମିଟିରେ ଜିଲ୍ଲାପାଳ, ଜିଲ୍ଲାପରିଷଦ ଚେୟାରମ୍ୟାନ ସହ ଅଧ୍ୟକ୍ଷ ରହିବେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆବାହକ ସଦସ୍ୟ ରହିବାକୁ ଥିବାବେଳେ ଏସ୍‌ପି, ସମବାୟ ବିଭାଗର ଡିଆର୍‌ସିଏସ୍/ଏଆର୍‌ସିଏସ୍, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଡିସିସିବି ସମ୍ପାଦକ, ମା‌ର୍କଫେଡ୍ ଏରିଆ ମ୍ୟାନେଜର, ସାର କମ୍ପାନିର ପ୍ରତିନିଧି ସଦସ୍ୟ ରହିବେ। ଆସନ୍ତା ୨୫ତାରିଖ ସୁଦ୍ଧା ଏହି କମିଟି ଗଠନ କରିବାକୁ କୃଷି ବିଭାଗ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।