ଇନ୍ଦ୍ରାବତୀ ପାରିପାର୍ଶ୍ବିକ ଅନୁଦାନ ପାଣ୍ଠି ପାଇଁ ସ୍ୱପ୍ନ ଦେଖି ଆସୁଥିବା ଗାଁ- ନାଗୁପଡ଼ା

ଜୟପାଟଣା : ଇନ୍ଦ୍ରାବତୀ ପ୍ରକଳ୍ପର ଆରମ୍ଭ ସମୟରୁ ଗାଁ ବିକାଶର ଚିନ୍ତା କରି କରି ପରିଶେଷରେ ନିଜର ସର୍ବଶ୍ରେଷ୍ଠ ମୌଳିକ ଅଧିକାରକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଡ଼ିଲା। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନଠୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ନିର୍ବାଚନ ବର୍ଜନ କରି ଗାଁ ମତଦାତା ନିଜ ନିଜର ପ୍ରତିକ୍ରିୟା ଜାହିର କରିଥିଲେ। ଏହାପରେ ଲୋକଙ୍କୁ ମନାଇବା ପାଇଁ ନେତା ଓ ମନ୍ତ୍ରୀଙ୍କ ଗାଁରେ ପାଦ ପଡ଼ିଲା। କିନ୍ତୁ ସେମାନଙ୍କ ସରଳ କଥାକୁ ଖାତିର ନକରି ନାଗୁପଡ଼ା ଗ୍ରାମର ନିଷ୍କପଟ ମଣିଷ ମାନେ ନିଷ୍ପତ୍ତିରେ ସମ୍ପୂର୍ଣ ଅଟଳ ରହିଯାଇଥିଲେ। ସମୟ ଥିଲା ଗାଁ ଲୋକେ ଇନ୍ଦ୍ରାବତୀ ପ୍ରକଳ୍ପର ଆରମ୍ଭରୁ ଚୂଡ଼ାନ୍ତ ପର୍ଯ୍ୟନ୍ତ ନିଜକୁ ଶ୍ରମିକ ଭାବରେ ସମର୍ପିତ କରିଥିଲେ। ଇନ୍ଦ୍ରାବତୀ ଶକ୍ତି ଗୃହରୁ ୨କିମି ଦୂରେ ଗଙ୍ଗ ବଂଶ ଓ ନାଗ ବଂଶ ରାଜା ମାନଙ୍କ ସାଙ୍ଗରେ ଇତିହାସ ପୃଷ୍ଠାରେ ଜଡ଼ିତ ଥିବା ଶତାୟୁ ଗାଁ ନାଗୁପଡ଼ା। ସମୟ କ୍ରମେ ପାରିପାର୍ଶ୍ଵିକ ଅନୁଦାନ ପାଣ୍ଠି ବିଭିନ୍ନ କାର୍ଯ୍ୟରେ ଲାଗିଥିବା ବେଳେ, ଛଞ୍ଚାଣ ଗାଢ଼ ନାଳ ଉପରେ ସେତୁ ଖଣ୍ଡିଏ ପାଇଁ ଗତ ୩୦ ବର୍ଷ ଧରି ଆବେଦନ ଓ ପରିଶେଷରେ ଆନ୍ଦୋଳନକୁ ଓଲ୍ଲାଇ ସାରିଥିବା ନାଗୁପଡ଼ା ପାଇଁ କାଣିଚାଏ ମଧ୍ୟ ସହଯୋଗ ମିଳିପାରିଲା ନାହିଁ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ର ପାଇକ କେନ୍ଦୁମୁଣ୍ଡିର ୮ଶହ ଜନସଂଖ୍ୟା ବିଶିଷ୍ଟ ଗାଁ ନାଗୁପଡ଼ା। ପାହାଡ଼, ଝରଣା, ନାଳ ମାନଙ୍କର ସମ୍ପୂର୍ଣ ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ରହିଆସିଥିବା ଏକ ଛୋଟିଆ ପଲ୍ଲୀ। ସର୍ବଭାରତୀୟ ଯୋଜନାରେ ଏମାନେ ବିଜୁଳି ପାଇସାରିଛନ୍ତି। ବିଦ୍ୟାଳୟ ଥାଇ ମଧ୍ୟ ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟସେବା ଏମାନଙ୍କ ପାଇଁ ଅନେକ ସମୟରେ ଅପହଞ୍ଚ ହୋଇପଡ଼େ। ଗାଁ ମଧ୍ୟକୁ ପ୍ରବେଶ କରିବା ପାଇଁ ଛଞ୍ଚାଣ ଗାଢ଼ ଝରଣା ୬ମାସ କାଳ ପ୍ରତିବନ୍ଧକ ସାଜେ। କିନ୍ତୁ ସରକାର ଏମାନଙ୍କ ଦାବିକୁ ଅଗ୍ରାହ୍ୟ କରିଦେଉଥିବା ଲୋକେ ଅଭିଯୋଗ କରନ୍ତି। ଲୋକଙ୍କ ମଧ୍ୟରେ ଇନ୍ଦ୍ରାବତୀ ପାରିପାର୍ଶ୍ଵିକ ଅନୁଦାନ ପାଣ୍ଠିକୁ ଦେଖି କୋହ ଜାତ ହୁଏ। ପ୍ରକାଶ କରନ୍ତି ଇନ୍ଦ୍ରାବତୀ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର କୋଟି ଟଙ୍କାର ବିଜୁଳି ବିକ୍ରି ହୋଇଛି। ଏହାପରେ ବି ଆମ ଗାଁକୁ ବିକାଶ ପାଣ୍ଠିରୁ କେମିତି ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରନ୍ତି। ସୂଚନାରୁ ପ୍ରକାଶ ଯେ ଇନ୍ଦ୍ରାବତୀ ଜଳବିଦ୍ୟୁତ ନିଗମ, ପ୍ରକଳ୍ପର ଦଶ କିମି ପରିଧି ଭିତରେ ବିଦ୍ୟୁତ ବିକ୍ରି ଲାଭାଂଶରୁ ମିଳୁଥିବା ଅର୍ଥର ପରିମାଣ ଆଞ୍ଚଳିକ ଭିତ୍ତିଭୂମି, ପାନୀୟ ଜଳ, ବିଜୁଳି, ସ୍ୱାସ୍ଥ୍ୟସେବା, ସଂଯୋଗ ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାର କଥା। କିନ୍ତୁ ଇନ୍ଦ୍ରାବତୀରେ ତାର ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି।

୨୦୦୪/୦୫ ଆର୍ଥିକ ବର୍ଷରେ ପାରିପାର୍ଶ୍ଵିକ ଅନୁଦାନ ପାଣ୍ଠି ପାଇଁ ବିରାଟ ଜନ ଆନ୍ଦୋଳନ ହେବାପରେ କର୍ତୃପକ୍ଷଙ୍କ ଚେତା ପଶିଥିଲା। ୨୦୦୬ ଆର୍ଥିକ ବର୍ଷଠାରୁ ୨୦୧୯/୨୦ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ୨.୪୬ କୋଟି ଟଙ୍କା ସ୍ଥାନୀୟ ବିକାଶରେ ଲାଗିଥିବା ସୂଚନାରୁ ଜଣାପଡ଼ିଛି। ପରବର୍ତୀ ୧୯/୨୦ ଆର୍ଥିକ ବର୍ଷରେ ଜୁନାଗଡ଼ ବ୍ଲକ୍‌ର ଭିରିଂଗୁଡ଼ା ଓ କୁରୁଗୁଡ଼ା ଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ସଂଯୋଗ ପାଇଁ ୫, ୩୧,୬୨୦ ଟଙ୍କା, ପଞ୍ଚାୟତ କଲେଜ ଧର୍ମଗଡ଼ରେ ବିଦ୍ୟୁତକରଣ ପାଇଁ ୩,୧୪,୪୯୧ ଟଙ୍କା, ପରବର୍ତୀ ୨୦୨୦/୨୧ ଆର୍ଥିକ ବର୍ଷରେ ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ‌ଉନ୍ନତୀକରଣ ପାଇଁ ୨୦ ଲକ୍ଷ, ଜୁନାଗଡ଼ ଓ ଗୋଲାମୁଣ୍ଡା ଖେଳପଡ଼ିଆ ପାଇଁ ୧୨ ଲକ୍ଷ ଓ ଇନ୍ଦ୍ରାବତୀ କଲେଜ ବସ ପାଇଁ ୭.୫ ଲକ୍ଷ ଟଙ୍କା ପାରିପାର୍ଶ୍ଵିକ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ ହୋଇଥିବା ସୂଚନାରୁ ପ୍ରକାଶ। ୧୯୯୯ ମସିହାରୁ ଇନ୍ଦ୍ରାବତୀରୁ ବିଦ୍ୟୁତ ଉତ୍ପନ୍ନ ହୋଇ ଗତ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ୩୧୦୭ କୋଟି ଟଙ୍କାର ବିଦ୍ୟୁତ୍‌ ବିକ୍ରି ହୋଇ ସାରିଛି। ତେବେ ଆନୁପାତିକ ହିସାବରେ ପାରିପାର୍ଶ୍ଵିକ ଅନୁଦାନ ପାଣ୍ଠିକୁ ଓଡ଼ିଶା ଜଳବିଦ୍ୟୁତ ନିଗମ କଳାହାଣ୍ଡି ବାସୀଙ୍କ ନ୍ୟାୟିକ ଅଧିକାରକୁ ସଙ୍କୁଚିତ କାହିଁକି କରୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହି ଯୋଜନାରେ ବର୍ଷବର୍ଷ ଧରି ସ୍ବପ୍ନ ଦେଖି ଆସିଥିବା ନାଗୁପଡ଼ା ବାସୀଙ୍କ ଆବଶ୍ୟକତା ପୂରଣ ଦିଗରେ କଳାହାଣ୍ଡି ଜିଲ୍ଲାର ଲୋକ ପ୍ରତିନିଧିମାନେ ଚେଷ୍ଟିତ ହେବା ସହିତ ଅନୁଦାନ ପାଣ୍ଠିର ବାସ୍ତବ ପରିମାଣକୁ ବିନିଯୋଗ କରେଇବା ପାଇଁ ସର୍ବସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର