କୋରାପୁଟ: ଡିଜିଟାଲ ଦୁନିଆରେ ମୋବାଇଲ ନେଟ୍‌ୱର୍କ ଗାଁରୁ ସହର ଓ ଦେଶ ସହିତ ବିଦେଶକୁ ଯୋଡ଼ୁଛି। ନେଟ୍‌ୱର୍କ ‌ଯୋଗୁଁ ଦୁର୍ଗମ ଅଞ୍ଚଳକୁ ବିକାଶ ମଧ୍ୟ ଛୁଇଁଛି। କିନ୍ତୁ ଏବେ ବି କୋରାପୁଟ ଜିଲ୍ଲାର କିଛି ଗାଁ ମୋବାଇଲ ନେଟ୍‌ୱର୍କରୁ ଦୂରରେ ରହିଛି। ଫଳରେ ଫୋନ୍‌ ବାର୍ତ୍ତାଳାପ ପାଇଁ ଗ୍ରାମବାସୀଙ୍କୁ ୨ କିମି ଦୂର ପାହାଡ଼ ଚଢ଼ିବାକୁ ପଡ଼ୁଛି। ତାହା ବି କୌଣସି ଦୁର୍ଗମ ଅଞ୍ଚଳ ନୁହେଁ, ରାଜ୍ୟ ରାଜପଥ କଡ଼ରେ ଥିବା ଦଶମନ୍ତପୁର ବ୍ଲକର ଏସ୍‌. ତୋଟାଗୁଡା ଗ୍ରାମବାସୀ ଏମିତି ହଟହଟା ହେଉଛନ୍ତି। ନେଟ୍‌ୱର୍କ ସମସ୍ୟା ପାଇଁ ଏହି ଗାଁରେ ଝିଅ ଦେବାକୁ କେହି ରାଜି ହେଉନାହାନ୍ତି। ସେହିପରି ମନରେଗା କାମ ବାଧାପ୍ରାପ୍ତ ହୋଇଥିବାରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ମୁହାଁ ହୋଇଛନ୍ତି ଯୁବବର୍ଗ।

Advertisment

ରାଜପଥ କଡ଼ରେ ଗାଁ
ନେଟ୍‌ୱର୍କ ନଥିବାରୁ ଝିଅ ଦେବାକୁ ଅମଙ୍ଗ
ମନରେଗା କାମ ବାଧାପ୍ରାପ୍ତ, ଦାଦନ ଯାଉଛନ୍ତି ଯୁବବର୍ଗ
ଅଫ୍‌ଲାଇନ୍‌ରେ ହିତାଧିକାରୀଙ୍କୁ ଦିଆଯାଉଛି ରାସନ

ଦଶମନ୍ତପୁର ବ୍ଲକ୍‌ର ପି.ବେଡ଼ାପଦର ପଞ୍ଚାୟତର କୌଣସି ଗାଁରେ ନାହିଁ ମୋବାଇଲ ନେଟ୍‌ୱର୍କ। ଫଳରେ ପଞ୍ଚାୟତରେ କାମ କରୁନି ଆଖି ଓ ଟିପ ଚିହ୍ନ ସ୍କାନ୍‌ ମେସିନ୍। ଅଫ୍‌ଲାଇନରେ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଦିଆଯାଉଛି। ରାୟଗଡ଼ା-କୋରାପୁଟ ଜାତୀୟ ରାଜପଥ ପୋଡାଗଡ଼ରୁ ଟିକିରି ଭାୟା ଦଶମନ୍ତପୁର ଦେଇଯାଇଛି ରାଜ୍ୟ ରାଜପଥ। ରାଜପଥ କଡରେ ପି. ବେଡାପଦର ପଞ୍ଚାୟତର ଏସ୍‌. ତୋଟାଗୁଡା, ଢେପାଗୁଡ଼ା, ପି. ବେଡାପଦର, ମଙ୍ଗରାଗୁଡା ଗାଁ ପଡ଼ୁଥିବା ବେଳେ ଭିତରକୁ ରହିଛି ପଞ୍ଚାୟତର ଅନ୍ୟ ୧୦ ଖଣ୍ଡ ଗାଁ। ଏହି ରାଜପଥରେ ଦୈନିକ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି  ରାଜନେତା ସଭିଏଁ ଯାତାୟାତ କରୁଛନ୍ତି। ତଥାପି ଏହି ପଞ୍ଚାୟତର ମୋବାଇଲ ନେଟ୍‌ୱର୍କ ପହଞ୍ଚି ପାରୁନି। ତୋଟାଗୁଡ଼ା ଗାଁବାସୀଙ୍କ କହିବା କଥା, ଯଦି କୌଣସି ଦୁର୍ଘଟଣା ଘ‌ଟେ କିମ୍ବା ରୋଗୀ ଏବଂ ଗର୍ଭବତୀ ଗୁରୁତର ହୁଅନ୍ତି ତେବେ ଆମ୍ବୁଲାନ୍‌ସକୁ ସୂଚନା ଦେବା ପାଇଁ ୨ କିମି ଦୂରରେ ଥିବା ବଡ୍ରିଘାଟି ପାହାଡ଼କୁ ଚଢ଼ିବାକୁ ପଡ଼ୁଛି। 

ରାସନ ସାମଗ୍ରୀ ପାଇଁ ଟିପ ଓ ଚକ୍ଷୁ ସ୍କାନ୍‌କୁ ସରକାର ବାଧ୍ୟତାମୂଳକ କରିଥିଲେ ମଧ୍ୟ ନେଟ୍‌ୱର୍କ ନଥିବାରୁ ଅଫ୍‌ଲାଇନ୍‌ରେ ସାମଗ୍ରୀ ମିଳୁଛି। ଇ-କେୱାଇସି ଦାଖଲ ନ କଲେ ହିତାଧିକାରୀଙ୍କ ନାମ ରାସନ କାର୍ଡରୁ କଟିବ ବୋଲି ସରକାର ଘୋଷଣା କରିଥିଲେ। ଗ୍ରାମବାସୀ ନେଟ୍‌ୱାର୍କ ଥିବା ସ୍ଥାନକୁ ଯାଇ କେୱାଇସି ଅପ୍‌ଡେଟ୍‌ କରିଥିଲେ। ତଥାପି ଏସ. ତୋଟାଗୁଡା ଗାଁର ବହୁ ପରିବାରର କେୱାଇସି ଅପ୍‌ଡେଟ୍ ହୋଇପାରିନି। ପଞ୍ଚାୟତରେ ନେଟ୍‌ୱାର୍କ ସମସ୍ୟା ଥିବାରୁ ହିତାଧିକାରୀଙ୍କୁ ଅଫ୍‌ଲାଇନ୍‌ରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ଯୋଗାଣ ସହାୟକ। ପଞ୍ଚାୟତର ୯୨ ପ୍ରତିଶତ ହିତାଧିକାରୀଙ୍କ କେୱାଇସି ଅପ୍‌ଡେଟ୍ ହୋଇଛି। ତୋଟାଗୁଡା ଗାଁର ବନମାଳୀ ଖୋସଲା, ପର୍ଶୁରାମ ଖୋସଲା, କିରଣ ଖୋସଲା, ନିରଂଜନ ଦଳପତି କହିଛନ୍ତି, ବୋଡାପଦର ଓ ସେମ୍ବି ଗାଁ ନିକଟରେ ମୋବାଇଲ ଟାୱାର ସ୍ଥାପନ ହୋଇ ୨ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ କେବଳ ଇ-କେୱାଇସି ନୁହେଁ, ପିଲାଙ୍କ ପାଠପଢ଼ା ମଧ୍ୟ ହୋଇପାରୁନି। ସୁବିଧା, ଅସୁବିଧା ବେଳେ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ହୋଇପାରୁନି। ସମସ୍ୟା ସମ୍ପର୍କରେ ଦଶମନ୍ତପୁର ବିଡିଓ ସିଦ୍ଧେଶ୍ବର ନାୟକ କହିଛନ୍ତି, ନେଟ୍‌ୱର୍କ ସୁବିଧା ତୁରନ୍ତ ଉପଲବ୍ଧ ଦିଗରେ ପଦକ୍ଷେପ ନେବାକୁ ବିଏସ୍‌ଏନ୍‌ଏଲ୍‌କୁ ଚିଠି ଲେଖାଯିବ।