ଆକର୍ଷଣ ପାଲଟିଛି ମଝିପଡ଼ା ଗ୍ରାମୀଣ ପାର୍କ

ବାଲିକୁଦା : ଆକର୍ଷଣ ପାଲଟିଛି ମଝିପଡ଼ା ଗ୍ରାମୀଣ ପାର୍କ, ବାଟରେ ଯିବା ଲୋକେ ଅଟକି ଚାହୁଁଛନ୍ତି। ଗ୍ରାମାଞ୍ଚଳରେ ଏହି ପାର୍କ ଆମୋଦପ୍ରମୋଦର ଏକ ମାଧ୍ୟମ ପାଲଟିଛି। ସରକାରୀ ଅନୁଦାନରେ ନିର୍ମାଣ ହୋଇଥିବା ଏହି ପାର୍କ ବଡ଼ଚଣା ବ୍ଲକ୍‌ ମଝିପଡ଼ା ପଞ୍ଚାୟତରେ ଅବସର ବିନୋଦନ ପାଇଁ ଏକ ଉତ୍ତମ ପ୍ରକଳ୍ପ ଭାବେ ପରିଗଣିତ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, କେନ୍ଦ୍ରୀୟ ଅର୍ଥ କମିସନ ଓ ରାଜ୍ୟ ଅର୍ଥ କମିସନ୍‌ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ଏହି ପାର୍କ ମଧ୍ୟରେ କୃତ୍ରିମ ଘାସ ଗାଲିଚା, ଫେବର ବ୍ଲକ୍‌ରେ ଯାତାୟାତ ପାଇଁ ରାସ୍ତା ନିର୍ମାଣ, ରଙ୍ଗବେରଙ୍ଗର ଫୁଲଗଛ, ଫାଉଣ୍ଟେନ, ସ୍ପ୍ରିଙ୍କଲର ସହାୟତାରେ ବିଛୁରିତ ହୋଇପଡ଼ୁଥିବା ପାଣି, ସୁନ୍ଦର ରଙ୍ଗ ବେରଙ୍ଗର ଆଲୋକମାଳା, ସୋଲାର ଲାଇଟ୍, ପିଲାମାନଙ୍କ ଆମୋଦ ପାଇଁ ଗ୍ଲାଇଡର ଓ ଦୋଳି, ପାର୍କର ବିଭିନ୍ନ ସ୍ଥାନରେ ସିମେଣ୍ଟ ଚେୟାର ଓ ବିଶ୍ରାମାଗାର ଇତ୍ୟାଦି ବିଶେଷ ଆକର୍ଷଣ ପାଲଟିଛି। ଅସିଆ ପର୍ବତମାଳାର ପାଦଦେଶରେ ଅବସ୍ଥିତ ସୁନ୍ଦର ଓ ସବୁଜ ପରିବେଶ ଭରା ପାର୍କ ଦର୍ଶକଙ୍କୁ ଯଥେଷ୍ଟ ଆନନ୍ଦ ଦେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। କେବଳ ଏହି ପଞ୍ଚାୟତ ନୁହେଁ ଆଖପାଖର ବହୁ ପଞ୍ଚାୟତରୁ ଲୋକମାନେ ସକାଳ ସନ୍ଧ୍ୟାରେ ଭିଡ଼ ଜମାଇବା ସହ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରି ଆନନ୍ଦ ଅନୁଭବ କରିଥାଆନ୍ତି।

ସମ୍ବନ୍ଧିତ ଖବର