ଗାଁ-ଗାଁରେ ବାରିକେଡ, ପ୍ରବେଶ ପଥରେ ସାବୁନ ଓ ପାଣି, ଏମିତି ଚାଲିଛି କରୋନା ମୁକାବିଲା

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ଲୋକେ ମଧ୍ୟ ଜୋରଦାର ଉଦ୍ୟମ କରୁଛନ୍ତି । ଗାଁରେ ଥିବା ଲୋକେ ସରକାରଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ସଚେତନ ହୋଇ ଉଠିଛନ୍ତି । ସେମାନେ ନିଜସ୍ୱ ଉଦ୍ୟମରେ ଏକାଠି ହୋଇ କରୋନା ବିରୋଧରେ ଲଢ଼େଇ ଜାରି ରଖିଛନ୍ତି । ଓଡ଼ିଶାର ଗାଁଗୁଡ଼ିକରେ ପ୍ରବେଶ ପଥରେ ବାରିକେଡ ଲାଗିଛି । ଘରକୁ ପ୍ରବେଶ କରିବା ପୂର୍ବରୁ ଲୋକେ ସାବୁନ ଓ ପାଣିରେ ହାତ ଧୋଉଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କୋଭିଡ ମୁଖ୍ୟ ସବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ ସିଂହ କହିଛନ୍ତି । ଗାଁର ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ସିଂହ କହିଛନ୍ତି ସରକାରଙ୍କ ନିର୍ଦ୍ଦେଶରେ ପଂଚାୟତ ସ୍ତରରେ ପାଖାପାଖି ୭ ହଜାର ପଞ୍ଚାୟତରେ ଗତ ମାର୍ଚ୍ଚ ୧୯ରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ପଂଚାୟତ ସମିତି ସ୍ତରରେ ମାର୍ଚ୍ଚ ୨୦ ଓ ଜିଲ୍ଲା ସ୍ତରରେ ମାର୍ଚ୍ଚ ୨୧ ବୈଠକ ହୋଇଥିଲା । ଏହି ବୈଠକଗୁଡ଼ିକରେ କରୋନା ମୁକାବିଲା ନେଇ କଣ କଣ କରିବାକୁ ପଡ଼ିବ ତାହା  ଆଲୋଚନା ହୋଇଥିଲା।  ପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀ ଏହି ପଦକ୍ଷେପକୁ ଗାଁର ଲୋକଙ୍କ ନିକଟରେ ପହଞ୍ଚା ଯାଇଥିଲା । ଫଳରେ ଲୋକେ ସଚେତନ ହୋଇଯାଇଥିଲେ ।

ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ ମୁକାବିଲା ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇଛି । ସରକାର ଏଥି ପାଇଁ ପ୍ରତି ପିଏଚସିକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରାଶି ଦେଇଛନ୍ତି । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୧୦-୧୦ ଲକ୍ଷ ଟଙ୍କା ଦେଇଛନ୍ତି । ସରକାର ଲୋକଙ୍କୁ ୩ ମାସର ପିଡିଏସ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଆମ ରାଜ୍ୟରେ କୌଣସି ଲୋକ ଯେପରି ଭୋକିଲା ନ ରହିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉ । ରାଜ୍ୟ ସରକାର ଏବେ ଦୈନିକ ପ୍ରାୟ ୩ ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି । ଆମ ରାଜ୍ୟରେ ଅନ୍ୟ ରାଜ୍ୟରୁ ରହୁଥିବା ଲୋକଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଦିଆଯାଉଛି ।

ଗାଁର ଲୋକେ ସଚେତନ ହୋଇଯାଇଛନ୍ତି । ଗାଁକୁ କିଏ କେଉଁଠି ଆସିଲା, ତାହା ସୂଚନା ଦେଉଛନ୍ତି । ଗାଁରେ ଲୋକେ ମାସ୍କ ତିଆରି କରୁଛନ୍ତି । ସେହିପରି କିଛି ଲୋକ ନିଜ ପରିଶ୍ରମରେ ପନିପରିବା ଚାଷ କରି ଲୋକଙ୍କ ନିକଟକୁ ପହଞ୍ଚାଉଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ସେମାନେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି । ଏପରିକି ନିର୍ମାଣ କାମ ସ୍ଥଳରେ ମଧ୍ୟ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି ।

ସମ୍ବନ୍ଧିତ ଖବର