ଚାନ୍ଦା କରି ପୋଲ ନିର୍ମାଣ କଲେ ଗାଁ ଲୋକେ

ତେଲକୋଇ: କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ ଦାମୋଦରଗୌଣି ଗ୍ରାମବାସୀଙ୍କ କାର୍ଯ୍ୟକୁ ନେଇ ଏବେ ଜିଲ୍ଲାରେ  ଚର୍ଚ୍ଚା। ହନୁମନ୍ତିଆ ନାଳ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ବାରମ୍ବାର ଦାବି କରିଆସୁଥିଲେ। କିନ୍ତୁ ସେମାନଙ୍କ କଥାକୁ ଜନପ୍ରତିନିଧି କିମ୍ବା ପ୍ରଶାସନ ଶୁଣିଲା ନାହିଁ। ଶେଷରେ ନିଜ ଉଦ୍ୟମରେ ଗ୍ରାମବାସୀ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚାନ୍ଦା ଆଦାୟ କରି ନାଳ ଉପରେ ପୋଲ ନିର୍ମାଣ କରିଛନ୍ତି।

ତେଲକୋଇ ବ୍ଲକ୍‌ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଦାମୋଦରଗୌଣି ରାଜସ୍ବ ଗ୍ରାମକୁ ହନୁମନ୍ତିଆ ନାଳ ଦୁଇଭାଗ କରିଛି। ନାଳର ଗୋଟିଏ ପାର୍ଶ୍ୱରେ ମୂଳ ଗ୍ରାମଟି ରହିଥିବା ବେଳେ ଅନ୍ୟପାର୍ଶ୍ବରେ ମଝିସାହି, ଦଣ୍ଡାହୁଳି ଓ ମାଝୀସାହି ରହିଛି। ୧୫୦ରୁ ଊର୍ଦ୍ଧ୍ବ ପରିବାର ଏହି ୩ଟି ସାହିରେ ବାସ କରୁଛନ୍ତି। ସମସ୍ତେ ଅତ୍ୟନ୍ତ ଗରିବ ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ଗାଁଠାରୁ ୫ କିମି ଦୂରରେ ସଲେଇକେନା ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ସେଠାକୁ ବିଭିନ୍ନ କାମ ପାଇଁ ଯିବାକୁ ହେଲେ ହନୁମନ୍ତିଆ ନାଳ ପାର ହେବାକୁ ପଡ଼ିଥାଏ।

ଫଳରେ ପିଡିଏସ୍‌ ସାମଗ୍ରୀ, ବାର୍ଦ୍ଧକ୍ୟ ଭତ୍ତା, ଅଙ୍ଗନବାଡି ଓ ବିଦ୍ୟାଳୟ ଯିବାକୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବର୍ଷର ୬ ମାସ ଅର୍ଥାତ ଜାନୁଆରିଠାରୁ ଜୁନ୍ ପର୍ଯ୍ୟନ୍ତ ଲୋକେ ଯେନତେନ ପ୍ରକାରେ ନାଳ ଭିତରେ ପଶି ଯାତାୟାତ କରିଥାନ୍ତି। ବାକି ୬ ମାସ ନାଳରେ ଅଧିକ ପାଣି ରହୁଥିବାରୁ ଲୋକେ ହଇରାଣ ହୋଇଥାନ୍ତି। ବିଶେଷ କରି ବର୍ଷାଦିନେ ଗ୍ରାମଟି ପଞ୍ଚାୟତ ମୁଖ୍ୟା‌ଳୟଠାରୁ ବିଚ୍ଛିନ୍ନ ହୋଇଯାଇଥାଏ। ଲୋକେ ବହୁ କଷ୍ଟରେ ବିପଜ୍ଜନକ ଭା‌ବେ ନାଳର ପ୍ରଖର ସ୍ରୋତକୁ ଅତିକ୍ରମ କରି ଗୋଟିଏ ପାର୍ଶ୍ବରୁ ଅନ୍ୟକୁ ପାର୍ଶ୍ବକୁ ଯାତାୟାତ କରିଥାନ୍ତି। ଦୁଇବର୍ଷ ତଳେ ଗ୍ରାମକ ଭ୍ରମର ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ନାଳରେ ଭାସି ପ୍ରାଣ ହରାଇଥିଲେ। ଗ୍ରାମର ଉଭୟ ପାର୍ଶ୍ଵରେ ଥିବା ଚାଷଜମିକୁ ଯିବାପାଇଁ ମଧ୍ୟ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ହନୁମନ୍ତିଆ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଲୋକେ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ବିଧାୟକଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ନିଜେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଥିଲେ। ପରିବାର ପିଛା ଏକ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରିଥିଲେ। ଜେସିବି ମେସିନ୍‌ ସାହାଯ୍ୟରେ ନାଳଗର୍ଭକୁ ଖୋଳି ୧୦ଟି କଂକ୍ରିଟ ପିଲାର ନିର୍ମାଣ କଲେ। ୪ଟି ଲୁହା ଧାରଣା, କାଠ ଓ ବାଉଁଶ ସାହାଯ୍ୟରେ ପୋଲ ନିର୍ମାଣ ହୋଇଛି।

ଗ୍ରାମବାସୀ ଶ୍ରମଦାନ କରି ପୋଲ ନିର୍ମାଣ କାମ ଶେଷ କରିଛନ୍ତି। ଆଜି ପୋଲରେ ଶେଷସ୍ପର୍ଶ ଦିଆଯିବା ପରେ ଲୋକେ ଯାତାୟାତ ଆରମ୍ଭ କରିଛନ୍ତି। ସ୍ଥାନୀୟ ସରପଞ୍ଚ ପାଙ୍ଗେଲା ମୁଣ୍ଡା ଉପସ୍ଥିତ ପୋଲକୁ ଉଦ୍‌ଘାଟନ କରିଥିଲେ। ନାଳ ଉପରେ ଏକ ସୁଉଚ୍ଚ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ସଲେଇକେନା, ଓରିଆବିରିଦା, ଶିବନାରାୟଣପୁରଗୋଡ଼ା, ତେଲକୋଇ, ଛାମୁଣ୍ଡା, ଦୋବଲାପାଳ, ଜଗମୋହନପୁର, ବାଂଶପାଳ ବ୍ଲକ୍‌ର କରଙ୍ଗାଡିହ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସରପଞ୍ଚ ପାଙ୍ଗେଲା ମୁଣ୍ଡା, ବଳରାମ ପ୍ରଧାନ, ସହଦେବ ପ୍ରଧାନ, ଚକ୍ର ନାଏକ, ତ୍ରିଲୋଚନ ନାଏକ, ବୁଧୁରାମ ମାଝୀ, ଭାବଗ୍ରାହୀ ମାଝୀ ପ୍ରମୁଖ ଦାବି କରିଛନ୍ତି। ଏନେଇ ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ, ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର