କେନାଲ କାମରେ ଅନିୟମିତତା, ବିରୋଧ କଲେ ଗ୍ରାମବାସୀ

ଜମନକିରା: ଜମନକିରା ବ୍ଲକ୍‌ କୁଚିଣ୍ଡା ଉପଖଣ୍ଡ କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ଏମ୍‌ଆଇପି ପକ୍ଷରୁ ଜମନକିରା ବ୍ଲକ୍‌ ମୁଖ୍ୟ କେନାଲ୍‌ କାମରେ ଅନିୟମିତତା ନେଇ ସୋମବାର ଖଇରଡ଼ିହି ଗ୍ରାମବାସୀ କାମକୁ ବନ୍ଦ କରିଛନ୍ତି। ବିଭାଗ ଅଧିକାରୀ ତଦାରଖ କରିବା ପରେ କାମ ଆରମ୍ଭ କରାଯିବବୋଲି ଗ୍ରାମବାସୀ କହିଛନ୍ତି। ସୂଚନା ଯୋଗ୍ୟ ଯେ ଜମନକିରା ମୁଖ୍ୟ କେନାଲ ଖଇରଡିହିସ୍ଥିତ ନାଳରୁ ଜମନକିରା ତଥା କୋଆଗୋଲାଗାଁ ଅଞ୍ଚଳରେ ଚାଷ ଜମିକୁ ଜଳ ସେଚନ କରାଯାଇଥାଏ। ଏହି କେନାଲ ପ୍ରକଳ୍ପଟି କୁଚିଣ୍ଡା ଏମ୍‌ଆଇପି ବିଭାଗ ଅଧୀନରେ ରହିଛି। କେନାଲ କାମ ପାଇଁ ବିଭାଗ ପକ୍ଷରୁ ୨୦ ଲକ୍ଷ ବ୍ୟୟ ଅଟକଳରେ ଏବେ କାମ ଆରମ୍ଭ ହୋଇଛି। ତେବେ ଅନିୟମିତତା ଅଭିଯୋଗ କରି ଖଇରଡିହି ଗ୍ରାମବାସୀ କାମକୁ ବନ୍ଦ କରିଛନ୍ତି। କାମ ଆରମ୍ଭ ପୂର୍ବରୁ ନିୟମ ଅନୁଯାୟୀ ସୂଚନା ଫଳକ ଜରିଆରେ କାମର ସମ୍ପୂର୍ଣ୍ଣ ବିବରଣୀ ଲିଖିତ ରହିବା କଥା। ମାତ୍ର ସୂଚନା ଫଳକ ତିଆରି ହୋଇଥିବା ସତ୍ୱେ ଫଳକରେ କିଛି ସୂଚନା ଲେଖା ଯାଇ ନଥିବା ଗ୍ରାମବାସୀ କହିଛନ୍ତି। କାମରେ ସିମେଣ୍ଟ, ବାଲି, ଗୋଡ଼ିରେ ମିଶ୍ରଣ ଠିକା ନଥିବା ବେଳେ ପ୍ଲାନିଂ ଅନୁଯାୟୀ କାମ ହେଉ ନଥିବାର ଅଭିଯୋଗ ହୋଇଛି। ସେହିପରି ତଳେ ଢଳେଇ ପରେ ସାଇଡ୍‌ କାନ୍ଥ ହେବାକୁ ନିୟମ ଥିବାବେଳେ ସମ୍ପୃକ୍ତ ଠିକାଦର ଏପରି କରୁ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। କାମ ଆରମ୍ଭ ହେବା ସମୟରେ ବିଭାଗୀୟ କର୍ତୃପକ୍ଷଙ୍କ ଉପସ୍ଥିତରେ କାମ କରିବା ପାଇଁ ନିୟମ ରହିଛି। ମାତ୍ର ଏଠାରେ ଏହାକୁ ଅଣଦେଖା କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ସମ୍ପୃକ୍ତ ଠିକାଦାରଙ୍କୁ କାମ ଠିକ ହେଉ ନଥିବା ଅଭିଯୋଗ କରିଥିଲେ ମଧ୍ୟ ସେ ଏଥିପ୍ରତି ଭୃକ୍ଷେପ କରୁ ନାହାନ୍ତି। ପରେ ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇବା ପରେ ସହକାରୀ ଯନ୍ତ୍ରୀ କାମ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। କନିଷ୍ଠ ଯନ୍ତ୍ରୀ ତଦାରଖ କଲା ପରେ କାମ କରାଯିବ ବୋଲି କହିଥିଲେ। ତେବେ ବିଭାଗ ପକ୍ଷରୁ କେହି କାମ ତଦାରଖ କରିବାକୁ ଆସି ନଥିବା ଯୋଗୁଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, କନିଷ୍ଠ ଯନ୍ତ୍ରୀ କାମ ତଦାରଖ କଲାପରେ କାମ କରାଯିବ। ଯଦି କାମରେ ତ୍ରୁଟି ପରିଲକ୍ଷିତ ହୁଏ ସେହି କାମକୁ ଭାଙ୍ଗି ପୁନର୍ବାର କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର