୩ଖଣ୍ଡ ଗାଁର ଯାତାୟାତ ମାଧ୍ୟମ ସାଜିଛି କାଠ ଗଣ୍ଡି

ପଦ୍ମପୁର : ଗାଁକୁ ଯିବାକୁ ରାସ୍ତା ନିର୍ମାଣ ହୋଇନି। ଗାଁ ରାସ୍ତାରେ ପଡୁଥିବା ନାଳରେ ପୋଲ ମଧ୍ୟ ନିର୍ମାଣ ହୋଇପାରୁନି। ଏଥିଯୋଗୁଁ ୩ଖଣ୍ଡ ଗ୍ରାମର ଶତାଧିକ ଲୋକ ପାଦଚଲା ଓ ପାହାଡିଆ ରାସ୍ତା ସହ ନାଳରେ କାଠ ଗଣ୍ଡି ପକାଇ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଗମନାଗମନ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସରକାରୀ ଯୋଜନା ପହଞ୍ଚି ପାରୁନି। ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ନିକଟରେ ଅଭ‌ିଯୋଗ କରାଯାଇଛି। କିନ୍ତୁ ଏଥିପ୍ରତି କେହି ଗୁରୁତ୍ବ ଦେଇନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ଏଣ୍ଟି ମୁନିଙ୍ଗା, ଡାକରଡା ଓ ଡାଗରଡାଗୁଡା ଗ୍ରାମବାସୀ।

ଏଣ୍ଟି ମୁନିଙ୍ଗା ଗ୍ରାମକୁ ଯିବା ରାସ୍ତାରେ ଥିବା ବାଙ୍ଗି ନାଳ ଉପରେ ପୂର୍ବରୁ ପୋଲ ନିର୍ମାଣ ହୋଇଥିଲା। ଏହାଦ୍ବାରା ଲୋକେ ସୁବିଧାରୁ ଯାତାୟାତ କରିପାରୁଥିଲେ। ତେବେ ୨୦୦୭ମସିହାର ପ୍ରଳୟଙ୍କାରି ବନ୍ୟାରେ ଏହି ପୋଲ ଭାସି ଯାଇଥିଲା। ଏହାପର ଠାରୁ ଏଣ୍ଟି ମୁନିଙ୍ଗା ସମେତ ନିକଟସ୍ଥ ଡାକରଡା ଓ ଡାଗରଡାଗୁଡା ଗ୍ରାମବାସୀ ଯାତାୟାତ ସମୟରେ ହଇରାଣ ହେଉଛନ୍ତି। ଅନ୍ୟପଟେ ଏହି ୩ଟି ଗାଁକୁ ଯିବା ନିମନ୍ତେ ପକ୍କା ରାସ୍ତା ନିର୍ମାଣ ହୋଇପାରିିନି। ଫଳରେ ଲୋକେ ପାହାଡିଆ ତଥା ପାଦଚଲା ରାସ୍ତା ଦେଇ ଦୀର୍ଘ ୧୦କିଲୋମିଟର ରାସ୍ତା ପାର ହୋଇ ଗୋସେଇଁ ଗୁଲୁମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ ସାମଗ୍ରୀ ଆଣିବାକୁ ଯାଉଛନ୍ତି। ଏଣ୍ଟି ମୁନିଙ୍ଗାରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। କିନ୍ତୁ ପୋଲ ଭାଙ୍ଗି ଯିବା ଦିନ ଠାରୁ ଏହି ବିଦ୍ୟାଳୟ ବନ୍ଦ ରହିଥିବା ଜଣାପଡିଛି। ଏହି ଅଞ୍ଚଳକୁ ଆମ୍ବୁଲାନ୍‌ସ ଓ ଦମକଳ ଗାଡି ପହଞ୍ଚି ପାରୁନଥିବାରୁ ଜରୁରି ସମୟରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବାଙ୍ଗି ନାଳ ଉପରେ ପୋଲ ନିର୍ମାଣ ହୋଇପାରୁନଥିବାରୁ ଅଞ୍ଚଳବାସୀ ନାଳ ଉପରେ କାଠ ଗଣ୍ଡି ପକାଇ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି। ଖରା ଓ ଶୀତ ଦିନରେ ଗ୍ରାମବାସୀ କୌଣସି ପ୍ରକାରେ ପଞ୍ଚାୟତ ଓ ବ୍ଲକ ସଦର ମହକୁମା ଯିବାଆସିବା କରିଥାନ୍ତି। କିନ୍ତୁ ବର୍ଷା ଦ‌ିନେ ବାଙ୍ଗି ନାଳ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଅଞ୍ଚଳବାସୀ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ‌େହାଇଯାଆନ୍ତି। ପାଣି କମିବା ପରେ ନାଳ ପାର ହୋଇ ଅଞ୍ଚଳବାସୀ ପଞ୍ଚାୟତ ସଦର ମହକୁମା ଯାଇଥାନ୍ତି। ଗମନାଗମନ ବ୍ୟବସ୍ଥା ନଥିବାରୁ ଅଞ୍ଚଳର ଅନେକ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ପକ୍କା ରାସ୍ତା ଓ ପୋଲ ନିର୍ମାଣ ନିମନ୍ତେ ବହୁବାର ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ଗୁହାରି କରାଯାଇଛି। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଞ୍ଚଳର ଭୀମ ମୁଟ୍ଟିକା, ଗଙ୍ଗାଧର ମୁଟ୍ଟିକା, ପାତିକା ଶତୃଘ୍ନ, ପାତିକା ସମେଶ, ମୁଟ୍ଟିକା ଡମ୍ବୁରୁ, ମୁଟ୍ଟିକା କ୍ରିଷ୍ଣା, ପ୍ରକାଶ ବିଡିକା, ନାଗେଶ୍ବର ମାଣ୍ଡାଙ୍ଗି, ମୁଟ୍ଟିକା କ୍ରିଷ୍ଣା, ପ୍ରକାଶ ବିଡିକା, ନାଗେଶ୍ବର ମାଣ୍ଡାଙ୍ଗି, ମୁଟ୍ଟିକା ଶିବାଜୀ, ଶଙ୍କର କାଡ୍ରାକା ପ୍ରମୁଖ ଅଭିଯୋଗ କରିଛନ୍ତି। ଏସଂପର୍କରେ ରାମନାଗୁଡା ବିଡିଓ ସୁଧାକର ରଇତଙ୍କୁ ପଚାରିବାରୁ ବାଙ୍ଗି ନାଳ ଉପରେ ଅତି ଶୀଘ୍ର ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର