ଓଡ଼ଗାଁ : କୃଷକର ବନ୍ଧୁ ଗେଣ୍ତାଳିଆ। ବିଷୁବ ମଣ୍ତଳୀୟ ଅଂଚଳ ବିଶେଷ କରି ଭାରତ ଓ ଶ୍ରୀଲଙ୍କାରେ ଏହି ପକ୍ଷୀ ଦେଖାଯାଆନ୍ତି। ଫସଲ ନଷ୍ଟକାରୀ ଗେଣ୍ତାମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେଉଥିବାରୁ ଏହି ପକ୍ଷୀମାନଙ୍କୁ କୃଷକର ବନ୍ଧୁ ବୋଲି କୁହାଯାଏ। ଓଡ଼ିଶା ଲୋକକଥା ପରମ୍ପରାରେ ମଧ୍ୟ ଗେଣ୍ତାଳିଆ ପକ୍ଷୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ବିଲବାଡ଼ିରେ ବସୁଥିବା ଏଭଳି ଉପକାରୀ ପକ୍ଷୀ ପୂର୍ବପରି ଆଉ ଦେଖାଯାଉ ନାହାନ୍ତି। ବିଭିନ୍ନ ପାରିପାର୍ଶ୍ବିକ ଅସନ୍ତୁଳନତା ଯୋଗୁ ଲୋପ ପାଇବାକୁ ବସିଲାଣି ଏମାନଙ୍କ ସଂଖ୍ୟା। ମାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପ୍ରତିବର୍ଷ ଗେଣ୍ତାଳିଆଙ୍କ ସମାଗମ ଦେଖିବାକୁ ମିଳୁଛି। ହଜାର ହଜାର ସଂଖ୍ୟାରେ ଗେଣ୍ତାଳିଆଙ୍କ ସମାବେଶ ଏହି ଗାଁରେ ଏକ ମନଲୋଭା ପରିବେଶ ସୃଷ୍ଟି କରୁଛି।

Advertisment

ଦୀର୍ଘ ୩୦ ବର୍ଷ ହେଲା ଗେଣ୍ତାଳିଆ ପକ୍ଷୀଙ୍କ ସୁରକ୍ଷାଦାତା ହେଉଛନ୍ତି ଏହି ଗାଁ ଲୋକେ। ସୁରକ୍ଷିତ ଆଶ୍ରୟ ପାଇଥିବାରୁ ପ୍ରତିବର୍ଷ ଏହି ଗାଁକୁ ଆସୁଛନ୍ତି ଗେଣ୍ତାଳିଆ ପକ୍ଷୀ ଦଳ। ରବିଗାଡ଼ିଆ ପଞ୍ଚାୟତ ଅନ୍ତର୍ଗତ କୁରୁମ ବାଙ୍କତରା ଗ୍ରାମର ଚତୁଃପାର୍ଶ୍ବରେ ଥିବା ୨୦ଟି ତେନ୍ତୁଳି ଗଛ ସମେତ ଅନ୍ୟ ଗଛରେ ଏମାନେ ବାସ କରୁଛନ୍ତି। ସାଧାରଣତଃ ଜୁନ୍ ମାସ ଆରମ୍ଭରୁ ଏମାନେ ଏଠାକୁ ଆସି ଖାଦ୍ୟ ଅନ୍ବେଷଣରେ ବାହାରକୁ ପଳାଇଯାନ୍ତି। ଖାଦ୍ୟ, ପରିବେଶ ଓ ସୁରକ୍ଷିତ ଆଶ୍ରୟ ଯୋଗୁ ଗେଣ୍ତାଳିଆମାନେ ଏହି ଗାଁରେ ଏକାଠି ହେଉଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ଗ୍ରାମ ତରଫରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଗଛ ଉପରକୁ କେହି ଟେକା ପଥର ନ ଫୋପାଡ଼ିବା ଓ ପକ୍ଷୀଙ୍କୁ ଆଘାତ ପହଞ୍ଚାଇଲା ଭଳି କୌଣସି କାର୍ଯ୍ୟ ନ କରିବାକୁ ଲୋକଙ୍କୁ ତାଗିଦ୍‌ କରାଯାଇଛି। ପକ୍ଷୀ ଶିକାର କଲେ ଜରିମାନା ଆଦାୟ କରାଯାଉଛି। ଜରିମାନା ଭୟରେ ଗ୍ରାମର କେହି ପକ୍ଷୀ ଶିକାର କରିବାକୁ ସାହସ କରୁନଥିଲା ବେଳେ, ବାହାର ଗାଁର ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଏହି ମନମତାଣିଆ ପକ୍ଷୀ ବର୍ତ୍ତି ପାରୁନାହାନ୍ତି। କିଛି ବର୍ଷ ହେଲା ଶିକାରୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଶିକାର କରୁଥିବା କିଛି ଗ୍ରାମବାସୀ କହିଛନ୍ତି। ଫଳରେ ଗେଣ୍ତାଳିଆଙ୍କ ଅଭୟାରଣ୍ୟ ପାଲଟିଥିବା କୁରୁମବାଙ୍କତରାକୁ ଆଗାମୀ ଦିନରେ ଏମାନଙ୍କ ଆଗମନ ସଂଖ୍ୟା ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଜିଲ୍ଲା ବନଖଣ୍ତ ଓ ଓଡ଼ଗାଁ ରେଞ୍ଜ୍‌ କାର୍ଯ୍ୟାଳୟ ତରଫରୁ ଏମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ପରିବେଶପ୍ରେମୀମାନେ ମତ ଦେଇଛନ୍ତି।