ରାଜ୍ୟରେ ପ୍ରଥମ: ଲୁକ୍କାୟିତ ଗାଁ ପ୍ରତିଭାଙ୍କୁ ଖୋଜିବାକୁ ଅନ୍ତଃବ୍ଲକ୍ ଫୁଟବଲ୍ 

ସୁନ୍ଦରଗଡ଼: ଗ୍ରାମାଞ୍ଚଳର ଲୁକ୍କାୟିତ ଫୁଟବଲ ପ୍ରତିଭାକୁ ଖୋଜି ସୁନ୍ଦରଗଡ଼ ଜିଲ୍ଲା ଫୁଟବଲ ଦଳକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ୨୫ ତାରିଖରୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ଅନ୍ତଃବ୍ଲକ୍ ଫୁଟବଲ ଚାମ୍ପିଅନସିପ୍। ଜିଲ୍ଲା ପ୍ରଶାସନର ସହଯୋଗ ଓ ସୁନ୍ଦରଗଡ଼ କ୍ରୀଡ଼ା ସଂସଦର ତତ୍ତ୍ବାବଧାନରେ ସ୍ଥାନୀୟ ବ୍ଲକସ୍ତରରେ ସକ୍ରିୟ ଥିବା କ୍ଲବ୍ ଜରିଆରେ ୧୭ଟି ବ୍ଲକରେ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା ।

ରାଜ୍ୟରେ ପ୍ରଥମ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରେ ହକି ପରି ଫୁଟବଲକୁ ମଧ୍ୟ ଅଧିକ ସଶକ୍ତ କରିବା ପାଇଁ ଏପରି ଅଭିନବ ଉଦ୍ୟମ କରାଯାଇଛି। ଯାହା ଗାଁ ପଡ଼ିଆର ଫୁଟବଲ ଖେଳାଳିମାନଙ୍କୁ ଅଧିକ ଉତ୍ସାହିତ କରିଛି। ସାହାଣୀକପ୍ ପାଇଁ ଜିଲ୍ଲା ଦଳରେ ସାମିଲ ହେବାର ସୁଯୋଗକୁ ହାତ ଛଡ଼ା ନକରିବାକୁ ଖେଳାଳିମାନେ ନିଜ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବାକୁ ଜୋର୍ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ପ୍ରତିଯୋଗିତାର ଜିଲ୍ଲାସ୍ତରରେ ଚାମ୍ପିଅନ୍ ବ୍ଲକ୍ ରାଜ୍ୟସ୍ତରରେ ଅନ୍ତଃଜିଲ୍ଲା କ୍ଲବ ଚାମ୍ପିଅନସିପ୍ରେ ଖେଳିବାକୁ ଥିବାରୁ ଦଳଗୁଡ଼ିକ ସେ ଦିଗରେ ମଧ୍ୟ କମର ଭିଡ଼ିଛନ୍ତି।

ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଉପଖଣ୍ଡର ୯ଟି ବ୍ଲକ୍ ରାଜଗାଙ୍ଗପୁର, କୁତ୍ରା, ବଡ଼ଗାଁ, ସବଡେଗା, ବାଲିଶଙ୍କରା, ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି, ଲେଫ୍ରିପଡ଼ା ଓ ହେମଗିରରେ ନକଆଉଟ୍ ଖେଳ ଆସନ୍ତା ୨୯ ତାରିଖ ଯାଏ ଚାଲିବ। ୩୧ ତାରିଖରେ ଲିଗ୍ ମ୍ୟାଚ୍ ଆରମ୍ଭ ହେବ। ଯାହା ୩ ତାରିଖ ଯାଏ ଚାଲିବ। ଟାଙ୍ଗରପାଲି ବ୍ଲକ୍ ତସଲାଡିହି ମିନି ଷ୍ଟାଡ଼ିୟମରେ ୫ଟି ବ୍ଲକ ବିଜେତା ଓ ବଡ଼ଗାଁ ମିନି ଷ୍ଟାଡ଼ିୟମରେ ୪ଟି ବ୍ଲକ ବିଜେତା ଭାଗ ନେବେ। ଦୁଇଟି ପଡ଼ିଆରୁ ୪ଟି ଶ୍ରେଷ୍ଠ ଦଳ ଜିଲ୍ଲାସ୍ତରକୁ ଆସିବେ। ସେହିପରି ସେପ୍ଟେମ୍ବର ୧ରୁ ପାନପୋଷ ଓ ବଣାଇ ଉପଖଣ୍ଡର ଅନ୍ୟ ୮ଟି ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଆୟୋଜିତ ହେବ। ସେଥିରୁ ମଧ୍ୟ ଶ୍ରେଷ୍ଠ ୪ଟି ଦଳ ଜିଲ୍ଲାକୁ ଆସିବେ। ଏହା ପରେ ୮ଟି ଦଳକୁ ନେଇ କ୍ବାଟର, ସେମି ଓ ଫାଇନାଲ ଖେଳ ଅନୁଷ୍ଠିତ। ପ୍ରତିଯୋଗିତାରେ ୪ ଶହଟି ଦଳରେ ପ୍ରାୟ ୭ ହଜାର ଖେଳାଳି ଭାଗ ନେଇଥିବା ବେଳେ ଏହା ଗ୍ରାମାଞ୍ଚଳର ଫୁଟବଲ ଖେଳାଳିଙ୍କ ଉତ୍ସାହକୁ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର