ଗାଁର ବର୍ଜ୍ୟ ପ୍ରକ୍ରିୟାକରଣ ସହରରେ ହେବ

ଦୁଇ ବିଭାଗ ପକ୍ଷରୁ ମିଳିତ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର : ଏଣିକି ଗାଁ ଗାଁରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥିତ ଢଙ୍ଗରେ କରାଯିବ। ଗାଁର ବର୍ଜ୍ୟକୁ ସହରକୁ ଆଣି ପ୍ରକ୍ରିୟାକରଣ କରାଯିବ। ପୌର ସଂସ୍ଥାଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମିକୁ ବ୍ୟବହାର କରି ଗ୍ରାମାଞ୍ଚଳର ମଳ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ହେବ। ପୌର ସଂସ୍ଥା ଓ ଗ୍ରାମ ପଞ୍ଚାୟତ ମଧ୍ୟରେ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିତ ଭାବେ ନିର୍ଦ୍ଦେଶନାମା ଜାରି ହୋଇଛି।

ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୧୧୪ଟି ପୌରସଂସ୍ଥାରେ ମାଟେରିଆଲ୍‌ ରିକଭରି ବ୍ୟବସ୍ଥା କରାଯାଇଛି। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ପଞ୍ଚାୟତଗୁଡ଼ିକରୁ ଶତ ପ୍ରତିଶତ ଶୁଖିଲା ବର୍ଜ୍ୟବସ୍ତୁ କିପରି ନିର୍ଦ୍ଧାରିତ ପୌରସଂସ୍ଥା ଅଧୀନରେ ଥିବା ମାଟେରିଆଲ୍‌ ରିକଭରି ଫାସିଲିଟିକୁ ଆସିପାରିବ ଏବଂ ପରିବାରଗୁଡ଼ିକରୁ ଅଲଗା ଭାବେ ଶୁଖିଲା ବର୍ଜ୍ୟବସ୍ତୁ କିପରି ସଂଗ୍ରହ ହୋଇ ଆସିବ, ସେହି ଦାୟିତ୍ବ ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି। କେତେ ପରିମାଣରେ ଓ କେତେ ଥର ଶୁଖିଲା ବର୍ଜ୍ୟବସ୍ତୁ ପଞ୍ଚାୟତରୁ ପୌର ସଂସ୍ଥା ଅଧୀନରେ ଥିବା ମାଟେରିଆଲ୍‌ ରିକଭରି ଫାସିଲିଟିକୁ ଆସିବ, ତାହା ପଞ୍ଚାୟତ ସ୍ଥିର କରିବେ। ଆବଶ୍ୟକ ସ୍ଥଳେ ପଞ୍ଚାୟତ କିମ୍ବା ଗାଁ ସ୍ତରରେ ଶୁଖିଲା ବର୍ଜ୍ୟ ବସ୍ତୁକୁ ଗଚ୍ଛିତ ରଖିବା ପାଇଁ ଏକ ଅସ୍ଥ‌ାୟୀ ଭଣ୍ଡାର ବ୍ୟବସ୍ଥା କରିପାରିବେ। ତେବେ ପଞ୍ଚାୟତଗୁଡ଼ିକରୁ ପୌର ସଂସ୍ଥାକୁ ଆସୁଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ପ୍ରକ୍ରିୟାକରଣ ପୌର ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି।

ସବୁ ଜିଲ୍ଲାର ଜିଲ୍ଲାପାଳ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ମହାନଗର ନିଗମ କମିସନର୍‌, ସମସ୍ତ ପୌରସଂସ୍ଥା ଓ ଏନ୍‌ଏସି ନିର୍ବାହୀ ଅଧିକାରୀ ଏବଂ ସମସ୍ତ ବ୍ଲକ୍‌ର ବିଡିଓଙ୍କୁ ଏ ସମ୍ପର୍କରେ ଜଣାଇଦିଆଯାଇଛି। ପରିବେଶ ସୁରକ୍ଷା ଓ ବୈଧାନିକ ବିଧି ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ଦିଗରେ ଏପରି ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଓ ନଗର ଉନ୍ନୟନ ବିଭ‌ାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ୍‌ ଜିଲ୍ଲାପାଳମାନଙ୍କୁ ଅବଗତ କରାଇଛନ୍ତି। ଯେହେତୁ ମଳ ପରିଚାଳନା ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ସବୁଜ ପ୍ରାଧୀକରଣ ଓ ପରିବେଶ ଆଇନ ଅନ୍ତର୍ଭୁକ୍ତ, ଉପଯୁକ୍ତ ସମୟସୀମା ମଧ୍ୟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର