ନୂଆଗାଁ : ରାସ୍ତାଘାଟ ଓ ପାନୀୟ ଜଳ ଯୋଗାଣରେ ସରକାର କେତେ ସଫଳତା ପାଇଛନ୍ତି ତାହା ପାରାଢିପି ପଞ୍ଚାୟତର ନୂଆଗୌଡ଼ସାହିରୁ ଦେଖିବାକୁ ମିଳୁଛି। ଆଜିର ଦିନରେ ବି ଲୋକମାନେ ପିଇବା ପାଣି ଟିକକ ପାଇଁ ଶୁଖିଲା ନଦୀରୁ ଚୁଆ ଖୋଳି ପାଣି ଆଣୁଥିବା ଦେଖିବାକୁ ମିଳୁଛି।
ସୂଚନା ମୁତାବକ, ନୂଆଗାଁ ବ୍ଲକ୍ ପାରଢିପି ପଞ୍ଚାୟତ ନୂଆଗୌଡ଼ସାହିରେ ବସବାସ କରୁଥିବା ଲୋକମାନେ ଆଗରୁ ୧ କିଲୋମିଟର ଦୂରରେ ଏକ ନିଛାଟିଆ ଜାଗାରେ ଚାଳ କୁଡ଼ିଆ କରି ବସବାସ କରୁଥିଲେ। କୌଣସି କାରଣବଶତଃ ସେଠାରେ କିଛି ବର୍ଷ ତଳେ ହଠାତ୍ ନିଆଁ ଲାଗିଗଲା। ଫଳରେ ଲୋକମାନେ ବଞ୍ଚିବା ପାଇଁ ବାଟ ଖୋଜିବା ସହ ପ୍ରଶାସନ ନିକଟରେ ବହୁତ ଗୁହାରି କରିଥିଲେ। ଏମାନେ ସମସ୍ତେ ଭୂମିହୀନ ଥିବାରୁ ଏଭଳି ପରିସ୍ଥିତିରେ ସରକାର ଏମାନଙ୍କ ନିମନ୍ତେ ବସୁନ୍ଧରା ଯୋଜନାରେ ଜାଗା ଦେବା ସହ ଆବାସ ଯୋଜନାରେ ଘର ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ସେତିକ କାମ ସାରିଦେଇ ପ୍ରଶାସନ ଚୁପ୍ ବସିଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଏହି ବସ୍ତିରେ ପାଣି, ବିଦ୍ୟୁତ ଓ ରାସ୍ତା ସମସ୍ୟା ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ହେବା ଏମାନଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ପାଲଟିଛି। ଲୋକମାନେ ପିଇବା ପାଣି ପାଇଁ ପାଖରେ ଥିବା ଶୁଖିଲା ନଦୀ ଉପରେ ଭରସା କରିବା ସହ ସେଥିରେ ଚୁଆ ଖୋଳି ପାଣି ଆଣି ପିଉଛନ୍ତି। ତେବେ ଆଗକୁ ଖରାଦିନ ଆସୁଥିବାରୁ ପାଣି ଏବେଠାରୁ ଶୁଖିଯାଉଥିବା ଦେଖି ଗ୍ରାମବାସୀଙ୍କ ମନରେ ଛନକା ପଶିଛି।
ଏଥି ସହିତ ଏହି ଗ୍ରାମଟି ଜଙ୍ଗଲକୁ ଲାଗିକରି ଥିବାରୁ ଏଠାରେ ହାତୀମାନଙ୍କର ଚଳପ୍ରଚଳ ମଧ୍ୟ ହୋଇଥାଏ। ତେବେ ଏଠାରେ ବିଦ୍ୟୁତ୍ ସୁବିଧା ନ ଥିବାରୁ ରାତି ହେଲେ ଜଙ୍ଗଲର ଜୀବଜନ୍ତୁଙ୍କର ଭୟ ଆଜି ପର୍ଯ୍ୟନ୍ତ ଲାଗି ରହିଛି। ଅନ୍ୟ ଏକ ଦିଗରେ ଦେଖିବାକୁ ଗଲେ ଏଠାକୁ ଭଲ ରାସ୍ତା ନଥିବା ଯୋଗୁ ବର୍ଷାଦିନେ ଖାଲି ପାଦରେ ବି ଚାଲିକି ଯିବା କାଠିକର ପାଠ। ଏନେଇ ଲୋକମାନେ ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଏମାନଙ୍କ ପ୍ରତି ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦେଇନଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସମୟରେ ନୂଆଗୌଡ଼ସାହିରେ ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ରାସ୍ତା, ପାଣି, ବିଦ୍ୟୁତ୍ ଭଳି ମୌଳିକ ସେବା ପହଞ୍ଚାଇବାରେ ପ୍ରଶାସନ କେତେ ସଫଳତା ଲାଭ କରୁଛି ତାହା ଦେଖିବାକୁ ବାକି ରହିଛି।