ଯୋଡ଼ା/ଗୁଆଲି: କେନ୍ଦୁଝରଜିଲ୍ଲା ଯୋଡ଼ା ଖଣି ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ବହଳର କାଦୁଅ। ବାରମ୍ବାର ଦାବି ସତ୍ତ୍ବେ ଏନ୍‌ଏଚ୍‌ଏଆଇ ପଦକ୍ଷେପ ନେଉନଥିବାରୁ ଲୋକେ ଯାତାୟାତ କରିବା ଲାଗି ହଟହଟା ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ରୁଗୁଡ଼ି ଥାନା ଅନ୍ତର୍ଗତ ଟୋପାଡିହି ଛକ ନିକଟ ଜାତୀୟ ରାଜପଥରେ ମହିଳାମାନେ ଧାନତଳି ରୋଇଛନ୍ତି।    ଖଣିଜ ସମ୍ପଦରେ ଭରପୂର ଯୋଡ଼ା ଅଞ୍ଚଳ। ସରକାର ଏଠାରୁ କୋଟିକୋଟି ଟଙ୍କା ରାଜସ୍ବ ସଂଗ୍ରହ କରୁଛନ୍ତି। ପ୍ରତିଦିନ ପାଖାପାଖି ୫୦ ହଜାର ଟ୍ରକ୍ ଏହି ରାଜପଥ ଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଛନ୍ତି। ଭଦ୍ରାସାହିଠାରୁ ଗୁଆଲି ପର୍ଯ୍ୟନ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ପିଚୁ ଉଠିଯିବା ସହ ରାସ୍ତାସାରା ଖାଲ ହୋଇଛି। ବର୍ଷାଯୋଗୁଁ ଖାଲଗୁଡ଼ିକରେ ପାଣି ଜମି କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି। ମରାମତି ପାଇଁ ଦାବି ହେଉଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।