ବୈପାରିଗୁଡ଼ା: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକର ଦଣ୍ଡାବାଡ଼ି ପଞ୍ଚାୟତରେ ରହିଛି ଏଭଳି ଏକ ଗ୍ରାମ ଯାହା ଦୁଇଟି ଜିଲ୍ଲାରେ ରହିଛି। ସେହି ଗ୍ରାମଟି ହେଉଛି କୁଲାବେଡ଼ା। ଏହି ଗ୍ରାମରେ ପ୍ରାୟ ଶହେ ପରିବାର ବସବାସ କରନ୍ତି। ଗ୍ରାମର ପ୍ରାୟ ୬୦ ପରିବାର ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ପଞ୍ଚାୟତରେ ରହିଥିବା ବେଳେ ଅନ୍ୟ ୪୦ ପରିବାର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ବ୍ଲକର ଦଣ୍ଡାବାଡ଼ି ପଞ୍ଚାୟତରେ ସାମିଲ ଅଛନ୍ତି। କୁଲାବେଡ଼ା ଗ୍ରାମର ମଝିରେ ଦୁଇଟି ଜିଲ୍ଲାର ବୋର୍ଡ ଲାଗିଛି। କୋରାପୁଟ ଜିଲ୍ଲା ପଟେ ରହିଥିବା କୁଲାବେଡା ଗ୍ରାମରେ ସ୍କୁଲ ଓ ଅଂଗନବାଡି ରହିଥିବା ବେଳେ ତାକୁ ଲାଗି ମାଲାକନଗିରି ଜିଲ୍ଲାର କୁଲାବେଡା ଗ୍ରାମରେ ମଧ୍ୟ ଅଙ୍ଗନବାଡି ଓ ସ୍କୁଲ ରହିଛି। ସରକାରଙ୍କ ତରଫରୁ ଗୋଟିଏ ଗ୍ରାମର ଲୋକେ ଦୁଇ ଜିଲ୍ଲାର ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି।

Advertisment

publive-image

ମାଲକାନଗିରି ଜିଲ୍ଲା ପଟେ ରହିଥିବା କୁଲାବେଡ଼ା ଲୋକେ କୋରାପୁଟ ଜିଲ୍ଲାର ଦଣ୍ଡାବାଡି ପଞ୍ଚାୟତରୁ ଭତ୍ତା ଓ ରାସନ ପାଉଥିବା ବେଳେ କୋରାପୁଟ ଜିଲ୍ଲା ପଟେ ରହିଥିବା କୁଲାବେଡ଼ା ଗ୍ରାମର ଲୋକେ ମାଲକାନଗିରି ଜିଲ୍ଲାରୁ ମଧ୍ୟ ସେହି ଏକା ଫାଇଦା ଉଠାଉଛନ୍ତି। ଦୁଇ ଜିଲ୍ଲାରେ ରହିଛି ଦୁଇଟି ଭତ୍ତା କାର୍ଡ ମଧ୍ୟ। ଏପରିକି ଗୋଟିଏ ପରିବାର ବାପା ଯଦି କୋରାପୁଟ ଜିଲ୍ଲାରେ ରହିଛନ୍ତି। ପୁଅ ମାଲକାନଗିରି ଜିଲ୍ଲାରେ ରହିଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗୀୟ ତଦନ୍ତ ହେଉଛି କି ନାହିଁ ତାହା ଜଣାପଡି ନାହିଁ।ସମସ୍ତ ଯାନିଯାତ୍ରା, ମେଳା, ପର୍ବ ଇତ୍ୟାଦି ପରଂପରା ଅନୁଯାୟୀ ସମସ୍ତେ ଏକାଥର ପାଳନ କରନ୍ତି।

publive-image

ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ନେଇ ସେଠାରେ ସୀମା ନିର୍ଦ୍ଧାରଣ କରିବା ପରେ ହିଁ, ପ୍ରକୃତ ଘଟଣା ଜଣାପଡ଼ିବ। କେଉଁ ହିତାଧିକାରୀ ଉଭୟ କୋରାପୁଟ ଓ ମାଲକାନିଗିରି ଜିଲ୍ଲାରୁ ସରକାରୀ ସୁବିଧା ପାଉଛନ୍ତି, ତାହା ତଦନ୍ତ କରାଯିବ। 

-ଭାସ୍କର ଚନ୍ଦ୍ର ସାହୁ, ବିଡିଓ, ବୈପାରିଗୁଡ଼ା

କୋରାପୁଟ ଜିଲ୍ଲା ତରଫରୁ କୁଲାବେଡ଼ାର ସରକାରୀ କାର୍ଯ୍ୟକ୍ରମରେ ମାଲାକନଗିରି ଜିଲ୍ଲାର କୁଲାବେଡା ଲୋକେ ମଧ୍ୟ ଫାଇଦା ପାଆନ୍ତି। ସେହିପରି ମାଲକାନଗିରି ଜିଲ୍ଲା ତରଫରୁ କୁଲାବେଡାରେ କୌଣସି କାର୍ଯ୍ୟକ୍ରମ ହେଲେ କୋରାପୁଟର କୁଲାବେଡା ଲୋକେ ସମସ୍ତ ସୁବିଧା ପାଆନ୍ତି। ତେବେ ସମସ୍ୟା ରହିଲା କୋରାପୁଟ ଜିଲ୍ଲାର କୁଲାବେଡା ଗ୍ରାମରେ। ଏହି ଗ୍ରାମଟି ପଞ୍ଚାୟତ ଠାରୁ ପ୍ରାୟ ୧୭ କିଲୋମିଟର ଦୁରରେ ରହିଛି। ଗ୍ରାମର ଲୋକେ ଏତେ ଦୂର ଯାଇ ଭତ୍ତା ଓ ପିଡିଏସ ଚାଉଳ ଆଣିବା ପାଇଁ କଷ୍ଟକର ହୋଇପଡୁଛି। ଯଦି ଏମାନଙ୍କୁ ଚିପାକୁର ପଞ୍ଚାୟତରେ ଅନ୍ତର୍ଭୁକ୍ତ କରାଯାଇଥାନ୍ତା ତେବେ ଏହା ମାତ୍ର ୫ କିଲୋମିଟର ଦୂରରେ ରହିଛି।

ସେହିପରି ମାଲକାନଗିରି ଜିଲ୍ଲାର କୁଲାବେଡା ଗ୍ରାମଟି କୁଟନିପାଲି ପଞ୍ଚାୟତରେ ରହିଥିବା ବେଳେ ଏହାର ଦୂରତା ମଧ୍ୟ ପାଖାପାଖି ୧୮ କିଲୋମିଟରରୁ ଊର୍ଦ୍ଧ୍ବ ହେବ। ତେବେ ଏହି କୁଲାବେଡା ଗ୍ରାମକୁ ଯଦି ଗୋବିନ୍ଦପାଲୀ ପଞ୍ଚାୟତରେ ସାମିଲ କରାଯାଇଥାନ୍ତା ଏହା ଅତି ନିକଟତର ହୋଇଥାନ୍ତା। କୋରାପୁଟ ଜିଲ୍ଲାର କୁଲାବେଡ଼ା ଗ୍ରାମର ଲୋକେ ମାଲକାନଗିରି ଜିଲ୍ଲାରେ ମିଶିବାକୁ ଚାହୁଁଥିବା ବେଳେ ମାଲକାନଗିରି ଜିଲ୍ଲାର କୁଲାବେଡା ଲୋକେ କୋରାପୁଟ ଜିଲ୍ଲାରେ ମିଶିବାକୁ ଚାହୁଁଛନ୍ତି। ଗୋଟିଏ ଗ୍ରାମକୁ କୌଣସି ଗୋଟିଏ ଜିଲ୍ଲାରେ ରଖାଯାଇଥିଲେ ହୁଏତ ଲୋକେ ଯେଉଁ ଦୁଇପଟରୁ ଫାଇଦା ଉଠାଉଛନ୍ତି ତାହା ହୋଇନପାରନ୍ତା ବୋଲି କୁହାଯାଇଛି। ଅନ୍ୟଦିଗରେ ଲୋକେ ମଧ୍ୟ ସୁବିଧାରେ ଗୋଟିଏ ଜିଲ୍ଲାରେ ହିଁ ରହିଥାନ୍ତେ।