ଲାଞ୍ଜିଗଡ଼ରେ ରକ୍ତମୁଖା ଲାଲ ବାହିନୀ : ୧୦ ଘଣ୍ଟା ମଧ୍ୟରେ ଗଡ଼ିଲା ଦୁଇ ମୁଣ୍ଡ

ଲାଞ୍ଜିଗଡ଼ା : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳରେ ମାତିଛନ୍ତି ଲାଲ୍‌ ବାହିନୀ। ୧୦ ଘଣ୍ଟା ବ୍ୟବଧାନରେ ଦୁଇଜଣଙ୍କୁ ହତ୍ୟା କରି ପୁଲିସକୁ ଚାଲଞ୍ଜ କରିଛନ୍ତି। ରବିବାର ସାପ୍ତାହିକ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ହତ୍ୟା କରିଥି‌ବାବେଳେ ରାତିରେ ଭୀମ ଦୋରା (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି। ଭୀମଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବା ମାଓବାଦୀମାନେ ଛାଡ଼ି ଯାଇଥିବା ଏକ ହାତଲେଖା ପୋଷ୍ଟରରୁ ଜଣାପଡ଼ିଛି। ଏହି ଘଟଣା ପରେ ଲାଞ୍ଜିଗଡ଼ ସ୍ତବ୍‌ଧ ହୋଇ ଯାଇଛି। ଅଞ୍ଚଳରେ ଆତଙ୍କର ବାତାବରଣ ଲାଗି ରହିଛି।

ପ୍ରକାଶ ଯେ, ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅର୍ନ୍ତଗତ ବାବୁପଦର ଗାଁର ଭୀମ ଦୋରା ରବିବାର ରାତିରେ ପରିବାର ସହିତ ଘରେ ଶୋଇଥିଲେ। ବାହାରପଟୁ କବାଟ ବାଡ଼େଇବାର ଶବ୍ଦ ହେବାରୁ ଭୀମ କବାଟ ଖୋଲିବା ପରେ ୪ ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ଭୀମ ମନା କରିବାରୁ ଜୋର ଜବରଦସ୍ତ ମାଓବାଦୀମାନେ ତାଙ୍କୁ ଉଠାଇ ନେଇଥିଲେ। ପରିବାର ଲୋକେ କାକୁତି ମିନତି ହୋଇଥିଲେ ମଧ୍ୟ ମାଓବାଦୀମାନେ ଶୁଣି ନଥିଲେ। ଗାଁଠାରୁ ପ୍ରାୟ ୨ଶହ ମିଟର ଦୂରକୁ ନେଇ ସେଠାରେ ଭୀମଙ୍କୁ ଗୁଳିକରି ହତ୍ୟା କରିବା ପରେ ଚାଲି ଯାଇଥିଲେ। ସେମାନେ ଶବ ପାଖରେ ଏକ ହାତଲେଖା ପୋଷ୍ଟର ଛାଡ଼ି ଯାଇଥିଲେ। ସୋମବାର ସକାଳ ୮ଟାରେ ବିଶ୍ୱନାଥପୁର ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା।

ଗତକାଲି ଦିନ ପ୍ରାୟ ୧୨ଟାରେ ପାହାଡ଼ପଦର ବଜାରରେ ମାଓବାଦୀଙ୍କ ଗୁଳିରେ ଠିକାଦାର ରାଜେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ସୋମବାର ସକାଳୁ ବିଜେପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ରଙ୍କ ଶବ ଜବତ କରିଥିଲା।

ସମ୍ବନ୍ଧିତ ଖବର