ବାରୁଦ ଗଦାରେ ଡଅଁରା: ଧୂଳିଧୂଆଁରେ ଅଣନିଃଶ୍ବାସୀ ୧୦ ହଜାର ବାସିନ୍ଦା

ଗାଁରେ ରହିବାକୁ ଡରୁଛନ୍ତି ଗ୍ରାମବାସୀ, ଆନ୍ଦୋଳନ ଆଡ଼କୁ ମୁହାଁଉଛି ଜନ ଅସନ୍ତୋଷ

ଅନୁଗୁଳ : ଗାଁର ଦୁଇପଟେ ଖୋଲାମୁହଁ କୋଇଲା ଖଣି। ଅନ୍ୟ ଗୋଟିଏ ପଟେ ଭୂତଳ କୋଇଲା ଖଣି। ପୁଣି ଗାଁଠାରୁ ମାତ୍ର ୧୦୦ ମିଟର ଦୂରରେ କୋଲ୍ ୱାସେରି ପ୍ଲାଣ୍ଟ। ଆଉ କେଇ ପାହୁଣ୍ଡ ଗଲେ ମେଘନାଦ ପାଚେରି ଭଳି ସୁଉଚ୍ଚ କୋଇଲା ଗଦା। ସ୍ଥିତି ଏମିତି ଯେ ସୁଲୁସୁଲିଆ ପବନ ଦଲକାଏ ବହିଲେ ବି କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଯାଉଛି ଗାଁ, ଅଣନିଃଶ୍ବାସୀ ହୋଇ ଯାଉଛନ୍ତି ଗ୍ରାମବାସୀ। ୟେ ହେଉଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ ଡଅଁରା ଗାଁର ଅଭାବନୀୟ ଚିତ୍ର। କୋଇଲା ଖଣିର ଆଁ ଭିତରେ ନିଜର ସବୁ କିଛି ହରାଇ ସାରିବା ପରେ ବାରୁଦଗଦା ଉପରେ ରହି ପାଦେପାଦେ ବିପଦ ଗଣୁଛନ୍ତି ଗାଁର ହଜାର ହଜାର ବାସିନ୍ଦା। ଅସହ୍ୟ ଧୂଳିଧୂଆଁ ସାଙ୍ଗକୁ କାନଫଟା ପ୍ରଚଣ୍ଡ ଶବ୍ଦ ଏବଂ ପ୍ରଦୂଷିତ ଜଳକୁ ନେଇ ଲୋକମାନେ ଏତେ ଭୟଭୀତ ଯେ ଗାଁରେ ଆଉ ମୁହୂର୍ତ୍ତଟିଏ ସୁଦ୍ଧା ରହିବାକୁ ଚାହୁନାହାନ୍ତି। ଏଠାରୁ ଗାଁକୁ ଉଠାଇ ନେଇ ଆଉ କେଉଁ ସ୍ଥାନରେ ଥଇଥାନ କରିବାକୁ ସେମାନେ ପ୍ରଶାସନକୁ ବାରମ୍ବାର ନେହୁରା ହେଉଛନ୍ତି। ଏପରିକି ଗାଁ ନ ଉଠିଲେ ନିଜ ପରପିଢ଼ିଙ୍କ ଧନଜୀବନର ସୁରକ୍ଷା ଲାଗି ସେମାନେ ଗଣ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନ ଆଗରେ ବିକଳ ଚିତ୍କାର ବି କରିଛନ୍ତି। ହେଲେ ଏମସିଏଲ୍‌ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜି ସେମାନଙ୍କ ଯନ୍ତ୍ରଣାକୁ ବଢାଇ ଚାଲିଛନ୍ତି ସିନା ସମାଧାନ ପାଇଁ ଆଗ୍ରହ ଦେଖାଉନାହାନ୍ତି।

ତାଳଚେରରେ ଏମ୍‌ସିଏଲର କୋଇଲା ଖଣିଗୁଡ଼ିକ ପାଇଁ ଢେର୍‌ ଦିନ ହେଲା ବିସ୍ଥାପନ ସମସ୍ୟା ସହ ଯୁଝି ହେଉଛନ୍ତି ଡଅଁରାବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁର ୮୮ ଭାଗ ଜମିକୁ ଏମସିଏଲ୍‌ ପକ୍ଷରୁ ଅଧିଗ୍ରହଣ କରାଯାଇଛି। ଗାଁର ୫୧୬ ଏକର ଜମି ଭରତପୁର ଖଣି ପାଇଁ ଓ ୬୫୧ ଏକର ଜମି ବଳରାମ ଖଣି ପାଇଁ ଅଧିଗ୍ରହଣ କରାଯାଇଛି। ଆଉ ବଳକା ରହିଛି କେବଳ ୬୫ ଏକର ଚାଷ ଜମି ଓ ଗ୍ରାମବାସୀଙ୍କ ପାଖାପାଖି ହଜା‌ରେ ପରିବାରର ଘରଡିହ। ଡଅଁରା ଗାଁ କଡ଼ରେ ଥିବା ଭରତପୁର ଖୋଲାମୁହଁ କୋଇଲା ଖଣି ଓ ବଳରାମ ଖୋଲାମୁହଁ କୋଇଲା ଖଣିରୁ ଏବେ କୋଇଲା ଉତ୍ତୋଳନ କରାଯାଉଛି। ଗାଁ ଛାତିରେ ତିଆରି ହୋଇଛି କୋଲ୍ କରିଡର ରାସ୍ତା। ଦିନକୁ ହଜାର ହଜାର ଟ୍ରକ୍‌ରେ ଚାଲିଛି କୋଇଲା ପରିବହନ। ଏପଟେ ଗାଁର ଅତି ନିକଟରେ କୋଇଲା ଷ୍ଟକ୍‌ୟାର୍ଡ, କୋଲ୍‌ ୱାସେରି ପ୍ଲାଣ୍ଟ, ଭରତପୁର ୱାର୍କସପ୍‌, ଏମ୍‌ସିଏଲର ମାଗାଜିନ ହାଉସ୍‌ ଆଦି ରହିଛି। ଏହା ଗାଁର ପରିବେଶକୁ ପୂରା ବିଗାଡ଼ି ଦେଇଛି। ଖଣି ଖୋଳା ସାଙ୍ଗକୁ ଟ୍ରକ୍‌ରେ କୋଇଲା ପରିବହନ ପାଇଁ ସାଂଘାତିକ ବାୟୂ ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି ଦଶ ହଜାରରୁ ଅଧିକ ଡଅଁରାବାସୀ। ଘରୁ ବାହାରି ଫେରିଲାବେଳକୁ ମୁହଁ ଦେହ କଳା ହୋଇ ଯାଉଛି। ଧୂଳିର ଆସ୍ତରଣ ଜମିଯାଉଛି। ଏପଟେ ଖଣି, ୱାର୍କସପ ଆଦିରୁ ବାହାରୁଥିବା ଅସନା ପାଣି ପାଇଁ ଜଳ ପ୍ରଦୂଷଣ ସମସ୍ୟା ଜୋର ହେଲାଣି। ଗାଁରେ ଥିବା ପୋଖରୀଗୁଡିକରେ କୋଇଲାଗୁଣ୍ଡର ଆସ୍ତରଣ ଜମୁଥିବାରୁ ଏହି ପାଣି ବ୍ୟବହାର କରି ଲୋକମାନେ ଓ ଗୃହପାଳିତ ପଶୁ ନାନା ରୋଗର ଶିକାର ହେଉଛନ୍ତି। ଖଣି ଖନନ ପାଇଁ ବିସ୍ଫୋରକ ବ୍ୟବହାର କରାଯାଉଥିଲାବେଳେ ଟ୍ରକ ଓ ଟ୍ରେନ ଚଳାଚଳ ପାଇଁ ଶବ୍ଦ ପ୍ରଦୂଷଣ ବି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଗାଁ କଡ଼ରେ ଏମ୍‌ସିଏଲର ମାଗାଜିନ ହାଉସ ଥିବାରୁ ଏହାକୁ ନେଇ ମଧ୍ୟ ଭୟଭୀତ ଅଛନ୍ତି ଗ୍ରାମବାସୀ।

ଗାଁର ଉତ୍ତର ଓ ପୂର୍ବ ଦିଗରେ ଭରତପୁର କୋଇଲା ଖଣି, ପଶ୍ଚିମ ଦିଗରେ ବଳରାମ କୋଇଲା ଖଣି, ଦକ୍ଷିଣରେ ନନ୍ଦିରା ଭୂତଳ କୋଇଲାର ଖଣି ରହିଥିବାରୁ ଗାଁ ଏକପ୍ରକାର ଗୃହବନ୍ଦୀ ପରି ରହିଛି। ଗାଁରେ ପାଖାପାଖି ହଜା‌ରେ ପରିବାର ରହୁଥିଲାବେଳେ ଜନସଂଖ୍ୟା ୧୦ ହଜାରରୁ ଅଧିକ ହେଲାଣି। ଏପଟେ ଗାଁର ଲୋକସଂଖ୍ୟା ବଢୁଥିଲେ ମଧ୍ୟ ଗାଁ ବଢିବାକୁ ଆଉ ଜାଗା ନାହିଁ। ପୁଣି ପ୍ରଦୂଷଣ ପାଇଁ ଗାଁରେ ଅକାଳରେ ଜୀବନ ଯାଉଛି। କୋଇଲା ଖଣି ଓ କୋଇଲା ଗଦାରେ ବାରମ୍ବାର ନିଆଁ ଲାଗୁଥିବାରୁ ଗାଁରେ ଉତ୍ତାପ ଅସହ୍ୟ ହେଉଛି। ଗ୍ରାମବାସୀ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛନ୍ତି। ତେଣୁ ଗାଁକୁ ଏଠାରୁ ଉଠାଇ ନେଇ ଅନ୍ୟତ୍ର ଥଇଥାନ କରିବାକୁ ଗ୍ରାମବାସୀ ଲିଖିତ ଭାବେ ପ୍ରଶାସନ ଓ ଏମ୍‌ସିଏଲକୁ ନେହୁରା ହେଉଛନ୍ତି। ଏଥିନେଇ ବାରମ୍ବାର ଚିଠି ବି ଲେଖିଛନ୍ତି। ଏଥିନେଇ ଡଅଁରା ଗ୍ରାମ୍ୟ କମିଟି ସଭାପତି ରତ୍ନାକର ସାହୁ କହିଛନ୍ତି, ପ୍ରଦୂଷଣ ସମସ୍ୟା ଭିତରେ ଆମେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛୁ। ଆଉ କିଛି ବର୍ଷ ରହିଲେ ଲୋକମାନେ ଅକାଳ ବାର୍ଦ୍ଧକ୍ୟରେ ପ୍ରାଣ ହରାଇବେ। ତେଣୁ ଗ୍ରାମକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରି ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଆମେ ପ୍ରଶାସନକୁ ଲିଖିତ ଭାବେ ଜଣାଇଛୁ।

ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏ ସଂକ୍ରାନ୍ତରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ଉପଜିଲ୍ଲାପାଳ ବିଶ୍ବରଂଜନ ରଥ।

ସମ୍ବନ୍ଧିତ ଖବର