ବକେୟା ବିଲ୍‌ ଆଦାୟ ବେଳେ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀ ହାତାହାତି

ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ନୀଳଗିରି: ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଆଜି ନୀଳଗିରି ଧୋବଶିଳା ଗାଁକୁ ଟାଟା ପାୱାର କର୍ମଚାରୀମାନେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇଥିଲେ। ଗ୍ରାମର ଅନେକ ଉପଭୋକ୍ତା ବକେୟା ବିଲ୍‌ର ୫୦ ପ୍ରତିଶତ ଦେବା ପାଇଁ ରାଜି ହୋଇଥିଲେ। କିନ୍ତୁ ଟାଟା ପାୱାର କର୍ମଚାରୀମାନେ ପୂରା ବକେୟା ବିଲ୍ ପୈଠ କରିବା ପାଇଁ ଜିଦ୍‌ ଧରିଥିଲେ। ଯେଉଁମାନେ ଦେବାକୁ ମନା କରିଥିଲେ, ସେମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ଫଳରେ ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀ ତଥା ଉପଭୋକ୍ତାଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଏଥିରେ ଗ୍ରାମର ଜଣେ ମହିଳାଙ୍କ ସହ ସୁଚିସ୍ମିତା ସ, କରୁଣାକର ସ ଓ ସରସ୍ବତୀ ସ୍ବାଇଁ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଡାକ୍ତରଖାନା ପଠାଯାଇଛି।

ସେହିପରି ବିଦ୍ୟୁତ୍ କର୍ମଚାରୀ ରଞ୍ଜନ କୁମାର ଦାସ ମଧ୍ୟ ଆହତ ହୋଇଥିଲେ। ନୀଳଗିରି ବିଦ୍ୟୁତ୍ ବିଭାଗ ଏସ୍‌ଡିଓ ଓ ଜେଇ ପହଂଚି ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏନେଇ ଉଭୟ ପକ୍ଷରୁ ନୀଳଗିରି ଥାନା‌ରେ ଅଭିଯୋଗ ହୋଇଥିଲା। ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସ ଗ୍ରାମର ସୁନୀଲ କୁମାର ବିଶ୍ବାଳ ଓ ସୁଜିତ କୁମାର ସ’ଙ୍କୁ ଥାନାରେ ଅଟକ ରଖିଥିଲେ। ଫଳରେ ଗ୍ରାମର ଶତାଧିକ ଲୋକ ଟାଟା ପାୱାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅଟକ ଗ୍ରାମବାସୀଙ୍କୁ ଛାଡ଼ିବା ଦାବିରେ ନୀଳଗିରି ଥାନା ଘେରଉ କରିଛନ୍ତି।

ଅନ୍ୟପଟେ ଆକ୍ରୋଶର ଶିକାର ହୋଇଥିବା ବୁଦ୍ୟିତ୍‌ କର୍ମଚାରୀମାନେ ଆକ୍ରମଣ କରିଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ଗିରଫ କରିବା ପାଇଁ ଦାବି କରିଛନ୍ତି। ଏପରି ସମୟରେ ଆଇଆଇସି ଦ୍ରୌପଦୀ ଦାସ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ଘଟଣା ସମାଧାନ କରିବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଏନେଇ ଟାଟା ପାୱାରର ସ୍ଥାନୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଘଟଣାରେ ଦୁଃଖ ପ୍ରକାଶ କରିବା‌ ସହ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ କରୁଥିଲେ। ଏପରି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର