କୁଜଙ୍ଗ : ପୂର୍ବରୁ ପୋସ୍କୋ ପ୍ରକଳ୍ପକୁ ନେଇ ଅଶାନ୍ତ ଥିବା ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଢିଙ୍କିଆ ପଞ୍ଚାୟତ ଏବେ ପ୍ରସ୍ତାବିତ ଜେଏସ୍ଡବ୍ଲୁ ପ୍ରକଳ୍ପ ପରିପ୍ରେକ୍ଷୀରେ ପୁଣି ଅଶାନ୍ତ ହେବାରେ ଲାଗିଛି। ଢିଙ୍କିଆ ଗ୍ରାମରୁ ଅଲଗା ହୋଇଥିବା ମାହାଳ ଗ୍ରାମର ସୋମବାର ଦିନ ସୀମା ନିର୍ଦ୍ଧାରଣ କରାଯିବା ସମୟରେ ପୁଲିସ ସହିତ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଛନ୍ତି। ପାଟଣା ଗ୍ରାମ ସୀମାରେ ଥିବା ପୁଲିସ ଚେକିଂପୋଷ୍ଟ ନିକଟକୁ ଢିଙ୍କିଆ ଗ୍ରାମବାସୀ ମାଡ଼ି ଆସି ପୁଲିସକୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିବା ସହିତ ପୁଲିସ ଉପରକୁ ଟେକାପଥର ମାଡ଼ କରିଛନ୍ତି। ପୁଲିସ ଏହାର ଜବାବ ଦେବାକୁ ଯାଉ ଲାଠି ଧରି ଲୋକଙ୍କୁ ଗୋଡ଼ାଉଥିବା ଦେଖିବାକୁ ମିଳିିଛି।
ଏଭଳି ଛକାପଞ୍ଝା ଓ ଟେକାପଥର ମାଡ଼ରେ ଉଭୟ ପଟରୁ ୭/୮ ଜଣ ଆହତ ହୋଇଛନ୍ତି। କିନ୍ତୁ ଏଭଳି ସ୍ଥିତି ସତ୍ତ୍ବେ ମାହାଳ ଗ୍ରାମର ସୀମାନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇଛି। ଏହି ଘଟଣାରେ ଢିଙ୍କିଆ ଗ୍ରାମରେ ପ୍ରକଳ୍ପ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବ ସ୍ବାଇଁଙ୍କର ଦୁଇ ସମ୍ପର୍କୀୟଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ ଢିଙ୍କିଆ ଗ୍ରାମରୁ ଅଲଗା ହୋଇ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ଲାଭ କରିଥିବା ମାହାଳ ଗ୍ରାମର ସୀମା ନିର୍ଦ୍ଧାରାଣ କାର୍ଯ୍ୟ ପାଇଁ ତହସିଲ ପକ୍ଷରୁ ସୋମବାରକୁ ଦିନଧାର୍ଯ୍ୟ କରାଯାଇଥିଲା। ପୂର୍ବ ସୂଚନା ଆଧାରରେ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କ ସମେତ ରାଜସ୍ବ କର୍ମଚାରୀମାନେ ଗାଁ ସୀମାରେ ପହଞ୍ଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହି ସୂଚନା ପାଇବା ପରେ ଢିଙ୍କିଆ ଗ୍ରାମର ଲୋକେ ମାହାଳ ଗ୍ରାମକୁ ଯାଇ ସୀମାନିର୍ଦ୍ଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ସେହି ସମୟରେ ଢିଙ୍କିଆ ଗ୍ରାମରେ କିଛି ପୁଲିସ୍ କର୍ମଚାରୀ ପହଞ୍ଚି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବ ସ୍ବାଇଁଙ୍କୁ ଗିରଫ କରିବାକୁ ତାଙ୍କ ଘର ଉପରେ ଚଢଉ କରିଥିଲେ। କିନ୍ତୁ ଦେବ ସ୍ବାଇଁ ଅନୁପସ୍ଥିତ ଥିବାରୁ ତାଙ୍କ ଦାଦା ଆଯୋଧ୍ୟା ସ୍ବାଇଁ ଓ ତାଙ୍କର ଝିଅ ମିଲି ସ୍ବାଇଁଙ୍କୁ ପୁଲିସ ଗିରଫ କରିଥିଲା। ପୂର୍ବରୁ ସେମାନଙ୍କ ନାମରେ ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ମାମଲା ରହିଥିଲା ବୋଲି ପୁଲିସ୍ କହିଛି।
ତେବେ ପୁଲିସ ଢିଙ୍କିଅ ଗ୍ରାମରେ ପ୍ରବେଶ କରିଥିବା ଖବର ପାଇବାପରେ ଢିଙ୍କିଆବାସୀ ପାଟଣା ଗ୍ରାମ ସୀମାରେ ଥିବା ପୁଲିସ ଚେକପୋଷ୍ଟ ନିକଟକୁ ସଂଘବଦ୍ଧଭାବେ ଯାଇ ଟେକା ପଥର ମାଡ଼ କରିଥିଲେ। ପୁଲିସ ମଧ୍ୟ ସେମାନଙ୍କୁ ସେଠାରୁ ଘଉଡ଼େଇବାକୁ ଗୋଡାଇଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ପାଇଁ ଟେକାପଥର ଫିଙ୍ଗା ଫିଙ୍ଗି ହୋଇଥିଲା। ପରେ ଢିଙ୍କିଆ ଗ୍ରାମବାସୀ ଗାଁ ଭିତରକୁ ପଳାଇଥିଲେ। ଏହି ସମୟରେ ପାଟଣା ଗ୍ରାମର ପୂର୍ବରୁ ରହିଥିବା ପୁଲିସ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇ ଢିଙ୍କିଆ ଗ୍ରାମ ନିକଟକୁ ଉଠାଇ ନିଆଯାଇଥିଲା। ଅନ୍ୟପକ୍ଷରେ ଢିଙ୍କିଆ ଗ୍ରାମ ସୀମାରେ ମଧ୍ୟ ପୁଲିସକୁ ଗାଁ ଭିତରକୁ ନଛାଡିବା ପାଇଁ ଫାଟକ ନିର୍ମାଣ କରାଯାଇ କଡା ପହରା ଦିଆଯାଉଛି। ଏହି ଘଟଣାକୁ ନେଇ ଏବେ ପୁଲିସ ପ୍ରଶାସନ ଏବଂ ଢିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।
ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ ଓ ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ବରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।