ସୁରତ ‌ଫେରନ୍ତାଙ୍କୁ ଗାଁରେ ପୂରାଇ ଦେଲେନି : ପୁଲିସ-ଗ୍ରାମବାସୀ ଖଣ୍ଡଯୁଦ୍ଧ, ଢେଲାମାଡ଼, ଲାଠିଚାର୍ଜ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛି। ସୁରତ ଫେରନ୍ତାଙ୍କୁ ଗ୍ରାମରେ ପୂରାଇ ଦେବେ ନାହିଁ ବୋଲି କେତେକ ଗ୍ରାମବାସୀ ଜିଦ୍ ଧରିବାରୁ ଏଭଳି ସ୍ଥିତି ଉପୁଜିଛି। ପୁଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ‌ଶେଷରେ ପୁଲିସ ବାଧ୍ୟ ହୋଇ ଲାଠିଚାଳନା କରିଥିଲା। ତଥାପି ଗ୍ରାମବାସୀ ଜିଦ୍‌ରେ ଅଟଳ ରହି ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ। ସୁରତ ଫେରନ୍ତା ବସ୍‌କୁ ଗ୍ରାମରେ ପୂରାଇ ଦେଇ ନ ଥିଲେ। ଶେଷରେ ପ୍ରଶାସନ ପକ୍ଷରୁ ଉକ୍ତ ସୁରତ ଫେରନ୍ତାଙ୍କୁ ନେଇ ଛତ୍ରପୁର ବ୍ଲକ୍‌ ସୁନ୍ଦରପୁର ସଙ୍ଗରୋଧ କେନ୍ଦ୍ରରେ ରଖିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ସୁରତ ଟ୍ରେନ ଯୋଗେ ଆସିଥିବା ପ୍ରାୟ ୪୦ଜଣ ସୁରତ ଫେରନ୍ତାକୁ ନେଇ ଏକ ବସ୍‌ ଗତକାଲି ରାତିରେ ସାନ ଆର୍ଯ୍ୟପଲ୍ଲୀ ଗାଁକୁ ଯାଇଥିଲା। ଉକ୍ତ ବସ୍‌ରେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୧ଜଣ, ଗଞ୍ଜାମ ସହର ଜଣେ ଓ ବାକି ସମସ୍ତେ ଖଲ୍ଲିକୋଟ ଅଞ୍ଚଳର ଥିଲେ। ଉକ୍ତ ସୁରତ ଫେରନ୍ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ଅଣାଯାଇଥିଲା। ଏ ଖବର ପାଇବା ମାତ୍ର କେତେକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପୁଲିସ ଯେତେ ବୁଝାଇଲେ ବି ଲୋକେ ମାନିବାକୁ ପ୍ରସ୍ତୁତ ହେଲେ ନାହିଁ। ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କୁ ପୂରାଇ ଦେବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ‌ଶେଷରେ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇପୁଲିସ ଉପରକୁ ଗ୍ରାମବାସୀ ଟେକା ପଥର ଫୋପାଡ଼ିଥିଲେ। ଏହାପରେ ବାଧ୍ୟ ହୋଇ ପୁଲିସ୍ ଘଟଣାସ୍ଥଳରେ ମୃଦୁ ଲାଠିଚାଳନା କରିଥିଲା। ତଥାପି ଗ୍ରାମବାସୀ ଜିଦ୍‌ରେ ଅଟଳ ରହିଥିଲେ। ସୁରତ ଫେରନ୍ତାଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ। ଏହାପରେ ପୁଲିସ୍ ଅନ୍ୟ ଉପାୟ ନ ପାଇ ୪୦ ଜଣ ସୁରତ ଫେରନ୍ତାଙ୍କୁ ସାଙ୍ଗରେ ଧରି ଫେରି ଯାଇଥିଲା। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଲୋକଙ୍କୁ ବୁଝାସୁଝା କରାଯାଇଛି। ଘଟଣାର ଆଶୁ ସମାଧାନ ହୋଇଛି। ଉତ୍ତେଜନାମୂଳକ ପରିସ୍ଥିତି ନାହିଁ। ଏସ୍‌.ପି. ବ୍ରିଜେଶ କୁମାର ରାୟ କହିଛନ୍ତି ଏସ୍‌ଡିପିଓ ଗୌତମ କିଷାନଙ୍କ ନେତୃତ୍ବରେ ଏହି ଘଟଣା ତଦନ୍ତ ଚାଲିଛି। ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ନୀଳମାଧବ ଭୋଇ କହିଛନ୍ତି ଯେ, ବିଭିନ୍ନ ଗୁଜବକୁ ନେଇ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ସେଥିଲାଗି ସେମାନେ ଗାଁରେ ପୂରାଇଲେ ନାହିଁ। ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ଗାଁରେ ବୈଠକ କରି ଲୋକଙ୍କୁ ବୁଝାସୁଝା କରିବା ସହିତ ସଚେତନ କରୁଛନ୍ତି।

ସମ୍ବନ୍ଧିତ ଖବର