୪ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ ରେମତା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ବନ୍ଦ ରହିଛନ୍ତି। ମଇଦାନରେ ଥିବା ୪ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ଫଳରେ ବିନୟ ଗଡ଼ତିଆ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେବେ ପଞ୍ଚାୟତବାସୀ ଏଭଳି ଘଟଣାକୁ ତୀବ୍ର ବିରୋଧ କରିଛନ୍ତି। ସେମାନଙ୍କ ଅଧିକାର ହନନ କରାଯାଇଛି ଏବଂ ଯଦି ପଞ୍ଚାୟତରେ ସରପଞ୍ଚ ପାଇଁ ଭୋଟ୍‌ ନହୁଏ, ତେବେ କେହି ବି ଜିଲ୍ଲା ପରିଷଦ ନିର୍ବାଚନରେ ଭୋଟ୍‌ ଦେବେନି ବୋଲି ଖୋଲା ଚେତାବନୀ ଦେଇଛନ୍ତି। ଏନେଇ ଶତାଧିକ ପଞ୍ଚାୟତବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ପଞ୍ଚାୟତରେ ସରପଞ୍ଚ ପାଇଁ ଭୋଟ୍‌ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂଚନା ମୁତାବକ, ରେମତା ପଞ୍ଚାୟତରେ ପାଖାପାଖି ୨୭ଶହ ଭୋଟର୍‌ ଅଛନ୍ତି। ରେମତା, ଧୀରପୁର ଏବଂ କୃଷକପଲ୍ଲୀ ଗାଁକୁ ନେଇ ଏହି ପଞ୍ଚାୟତ ଗଠିତ। ଏଥର ସରପଞ୍ଚ ପାଇଁ ରେମତା ଗାଁର ବିଜୟ ପଟେଲ, ତରଣୀ ଦେବତା ଓ ଶଂକର୍ଷଣ ପ୍ରଧାନ, ଧୀରପୁର ଗାଁର ବିନୟ ଗଡ଼ତିଆ ଓ ସୁଜିତ ଗଡ଼ତିଆ ନାମାଙ୍କନ କରିଥିଲେ। ପରେ ବିନୟଙ୍କୁ ଛାଡ଼ି ଅନ୍ୟ ଚାରିଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ। ଫଳରେ ବିନୟ ବିନା ଭୋଟ୍‌ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଅନ୍ୟ ଚାରି ଜଣ ପ୍ରାର୍ଥୀ ସଲାସୁତୁରା କରି ଏଭଳି ନିଷ୍ପତ୍ତି ନେଇ ଥିବାରୁ ଲୋକଙ୍କ ଭୋଟ୍‌ ଦାନ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ଯଦି ସରପଞ୍ଚ ପାଇଁ ଉକ୍ତ ପଞ୍ଚାୟତରେ ଭୋଟ୍‌ ଗ୍ରହଣ ନହୁଏ, ତେବେ କୌଣସି ଲୋକ ଜିଲ୍ଲା ପରିଷଦ ପାଇଁ ମଧ୍ୟ ଭୋଟ୍‌ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର