ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି ଜିଲ୍ଲାରେ ପୁଲିସ୍‌ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିଲେ। ସହିଦ ସପ୍ତାହରେ ଏହା ଆନ୍ଧ୍ର ପୁଲିସ୍‌ ପାଇଁ ଥିଲା ବଡ଼ ଉପଲବ୍ଧି। କିନ୍ତୁ ଏନ୍‌କାଉଣ୍ଟରରେ ଜଣେ ବି ଯବାନ ଆହତ ହୋଇ ନଥିବାବେଳେ ପରବର୍ତୀ ସମୟରେ ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହୋଇ ୪ଜଣ ଯବାନ ଆହତ ହୋଇଛନ୍ତି। ନିହତ ନକ୍ସଲର ଶବ ନେବାକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଥିଛି। । ପରବର୍ତୀ ସମୟରେ ଅଧିକ ସଂଖ୍ୟାରେ ଫୋର୍ସ ପହଞ୍ଚିବାରୁ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ନକ୍ସଲଙ୍କ ସହିଦ ସପ୍ତାହ ପାଇଁ ସୀମାନ୍ତ ତେଲେଙ୍ଗନାର ଆଲ୍ଲାପାଲୀ ଗୁଣ୍ଡଲା ଠାରେ ନକ୍ସଲ ଅସ୍ଥାୟୀ କ୍ୟାମ୍ପ କରିଥିଲେ। ନକ୍ସଲ କମାଣ୍ଡର ଲାଙ୍ଗା ନେତୃତ୍ବରେ ଏହି କ୍ୟାମ୍ପ ଚାଲିଥିଲା। ସହିଦ ସପ୍ତାହ ପାଳନ କରିବାକୁ ଆଖପାଖ ଗାଁର ଲୋକଙ୍କୁ କ୍ୟାମ୍ପ୍‌କୁ ଡକାଇଥିଲେ। ତେବେ ଗତକାଲି ଏହି କ୍ୟାମ୍ପ୍‌ ସଂପର୍କରେ ସୂଚନା ପାଇ ଗ୍ରେହାଉଣ୍ଡ ଯବାନ ଅତର୍କିତ ଭାବେ ଚଢ଼ାଉ କରିଥିଲେ। କ୍ୟାମ୍ପ୍‌କୁ ଧ୍ବଂସ କରି ଦେଇଥିବାବେଳେ ଯବାନଙ୍କ ଗୁଳିରେ ଲାଙ୍ଗା ନିହତ ହୋଇଥିଲା। ଅନ୍ୟ ନକ୍ସଲ ଗ୍ରାମବାସୀଙ୍କୁ ଢାଲ କରି ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲେ।

ଗତକାଲି ଦିନତମାମ ସର୍ଚ୍ଚ ଅପରେସନ ଚାଲିଥିଲା। ଏହାପରେ ଆଜି ସକାଳେ ଯବାନ ନିହତ ଲାଙ୍ଗାର ଶବ ନେଇ ନିକଟସ୍ଥ ଥାନା ଅଭିମୁଖେ ଅଗ୍ରସର ହେଉଥିଲେ। ଏନେଇ ସୂଚନା ପାଇବା ପରେ ଆଖପାଖ ଗାଁର ଶହ ଶହ ଲୋକ ପହଞ୍ଚି ଯାଇଥିଲେ। ଶବ ନେବାକୁ ଦେବନାହିଁ ବୋଲି ଯୁକ୍ତିତର୍କ କରିଥିଲେ। ଯବାନମାନେ ବିରୋଧ କରିବାରୁ ଅତର୍କିତ ଭାବେ ଗ୍ରାମବାସୀ ଠେଙ୍ଗା‌ରେ ଆକ୍ରମଣ କରିଥିଲେ। ଏପରିକି ଢେଲା ମାଡ଼ ବି କରିଥିଲେ। ଏଥିରେ ୪ଜଣ ଯବାନ ଆହତ ହୋଇଥିଲେ। ଗ୍ରାମବାସୀ ଘେରାଉ କରି ରଖିଥିବା ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚିବାରୁ ଭଦ୍ରାଦି ଜିଲ୍ଲାର ଏସ୍‌ପି ସୁନୀଲ ଶର୍ମା ଅଧିକ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ପହଞ୍ଚିବା ପରେ ଗ୍ରାମବାସୀ ସେଠାରୁ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି।