ସୋର: ଗାଁ ଲୋକଙ୍କ ମାଡ଼ରେ ଦୁଷ୍କର୍ମକାରୀର ମୃତ୍ୟୁ। ବାଲେଶ୍ବର ଜିଲ୍ଲା ସୋର ଥାନା ଶିଙ୍ଗାଖୁଣ୍ଟା ସିନ୍ଧୁଆ କରଞ୍ଜବଣି ଗ୍ରାମରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ସୂଚନା ମୁତାବକ, ଶିଙ୍ଗାଖୁଣ୍ଟା ସିନ୍ଧୁଆ କରଞ୍ଜବଣି ଗ୍ରାମର ବସନ୍ତ ସିଂ (୩୫) ଆଜି ମଧ୍ୟାହ୍ନରେ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସ୍ବାମୀ ଘରେ ନଥିବା ବେଳେ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେଠାରେ ପହଞ୍ଚି ବସନ୍ତଙ୍କୁ କାବୁ କରିନେଇ ନିର୍ଘାତ ମାଡ଼ ମାରିବା ସହ ଗଛରେ ବାନ୍ଧି ପକାଇଥିଲେ।
ପୀଡ଼ିତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେପଟେ ମାଡ଼ ସାଙ୍ଗକୁ ପ୍ରଚଣ୍ଡ ଖରାରେ ଦିନତମାମ ଗଛରେ ବନ୍ଧା ହୋଇଥିବା ବସନ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ସଂପର୍କରେ ଗାଁ ଲୋକ ମୁହଁ ଖୋଲୁ ନଥିଲେ ମଧ୍ୟ ବସନ୍ତଙ୍କ ଖରାପ ଚରିତ୍ରକୁ ନେଇ ଅସନ୍ତୁଷ୍ଟ ଥିଲେ। ବାହାର ଲୋକଙ୍କଠାରୁ ଖବର ପାଇ ସୋର ଥାନା ଆଇଆଇସି ମଧୁମିତା ମହାନ୍ତି ଓ ପୁଲିସ ଷ୍ଟାଫ୍ ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଆମ୍ବୁଲାନ୍ସ ଧରି ଗାଁରେ ପହଞ୍ଚିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି ମଧୁମିତା ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/murder.jpg)