ଜଙ୍ଗଲ ସୀମା ଚିହ୍ନଟକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ, ବନବିଭାଗ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ରାଇଘର: ଗ୍ରାମ୍ୟ ଜଙ୍ଗଲ ସୀମା ଚିହ୍ନଟକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ରେଙ୍ଗାଭାଟି ଓ କୁସୁମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିବା ବେଳେ ବନବିଭାଗର ଅପାରଗତା ଯୋଗୁଁ ଏହି ବିବାଦର ସମାଧାନ ହେବା ପରିବର୍ତ୍ତେ ଶନିବାର ଏହି ବିବାଦ ଉଗ୍ର ରୂପ ନେଇଥିଲା l ଖୋଦ ନବରଙ୍ଗପୁର ଡିଏଫଓ ଏହି ଘଟଣାରେ ସଂପୃକ୍ତ ରହି ସମାଧାନ ପାଇଁ ଚେଷ୍ଟା କରିବା ସହ ତାଙ୍କ ନିର୍ଦ୍ଦେଶରେ ଉମରକୋଟ ଓ ରାଇଘର ବନ ବିଭାଗର କର୍ମଚାରୀ ଏହି ଘଟଣାର ସମାଧାନ ପାଇଁ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଥିଲେ l ଗ୍ରାମ୍ୟ ଜଙ୍ଗଲ ସୀମା ଚିହ୍ନଟ କୁ ନେଇ ଉଭୟ କୁସୁମପୁର ଓ ରେଙ୍ଗାଭାଟି ଗ୍ରାମର ଗ୍ରାମବାସୀ ଉତ୍ୟକ୍ତ ହୋଇ ରହିଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିବା ମାତ୍ରେ କୁସୁମପୁର ଗ୍ରାମବାସୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ | ଏହି ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ ବିଭାଗ ପକ୍ଷରୁ କୁସୁମପୁରର କିଛି ଗ୍ରାମବାସୀଙ୍କ ବିରୋଧରେ ରାଇଘର ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ ରାଇଘର ବ୍ଲକର ପ୍ରାୟ ସମସ୍ତ ରାଜସ୍ୱ ଗ୍ରାମର ଗ୍ରାମବାସୀଙ୍କୁ ସରକାରଙ୍କ ତରଫରୁ ଏକର ଲେଖାଏଁ ଗ୍ରାମ୍ୟ ଜଙ୍ଗଲର ରକ୍ଷଣାବେକ୍ଷଣ ସହିତ ଜାଳେଣି କାଠ ବ୍ୟବହାର ନିମନ୍ତେ ପ୍ରଦାନ କରାଯାଇଛି | ଫଳରେ ଗ୍ରାମରେ ଏକ ବନ ସୁରକ୍ଷା କମିଟି ନିର୍ମାଣ କରାଯାଇ ଉକ୍ତ ଗ୍ରାମ୍ୟ ଜଙ୍ଗଲ ର ସୁରକ୍ଷା କରାଯିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଦାଇତ୍ୱ ମଧ୍ୟ ପ୍ରଦାନ କରାଯାଇଛି | ଏହି ଗ୍ରାମ୍ୟ ଜଙ୍ଗଲ ଗୁଡ଼ିକ ଉପରେ ବନ ବିଭାଗର ମଧ୍ୟ ସୁରକ୍ଷା ଦାଇତ୍ୱ ରହିଛି l କିନ୍ତୁ କିଛି କମିଟି ସାଦସ୍ୟ, ବନ ବିଭାଗର କିଛି କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ କାଠ ମାଫିଆ ଏହି ଗ୍ରାମ୍ୟ ଜଙ୍ଗଲ ଗୁଡ଼ିକକୁ ପଦା କରିବାକୁ ସକ୍ଷମ ହେଉଛନ୍ତି | ହିଭଳି ପରିସ୍ଥିତି ସ୍ଥାନୀୟ କୁସୁମପୁର ଓ ରେଙ୍ଗାଭାଟି ଗ୍ରାମରେ ଦେଖା ଦେଇଛି l ଦୁଇ ଗ୍ରାମର ସୀମାନ୍ତରେ ପୃଥକ ପୃଥକ ଭାବେ ରହିଥିବା ଗ୍ରାମ୍ୟ ଜଙ୍ଗଲ ଦିନକୁ ଦିନ କାଠ ମାଫିଆ ଗଛ କାଟି ସଫା କରୁଥିବା ସହିତ ଚାଷଜମିରେ ପରିଣତ ହେଉଥିବା ଦେଖିବାକୁ ମିଳିଛି l ଅପରପକ୍ଷରେ କୁସୁମପୁର ଗ୍ରାମ୍ୟ ଜଙ୍ଗଲ ଧିରେ ଧିରେ ସଙ୍କୁଚିତ ହେଉଥିବା ଦେଖି ଗ୍ରାମବାସୀ କୁଆଡ଼େ ଏହି ଗ୍ରାମ୍ୟ ଜଙ୍ଗଲକୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୧୦ ଏକର ଜଂଗଲ କାଟି ନିଜ ଗ୍ରାମ୍ୟ ଜଙ୍ଗଲରେ ମିଶାଇ ସୀମା ଚିହ୍ନଟ କରୁଥିବା ରେଙ୍ଗାଭାଟି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏ ନେଇ ସ୍ଥାନୀୟ ବନ ବିଭାଗକୁ ବାରମ୍ବାର ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି l କିନ୍ତୁ କିଛି ବର୍ଷ ହେବ ଏହି ବିବାଦର ସମାଧାନ କରିବାରେ ବନ ବିଭାଗ ସକ୍ଷମ ହୋଇପାରି ନାହିଁ l

ଶେଷରେ ଗତକାଲି ନବରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ରାଇଘର ରେଞ୍ଜର ଖଗପତି ପୂଜାରୀ, ଫରେଷ୍ଟର ମୁକ୍ତି ଭତ୍ରା, ଭୁବନେଶ ପୂଜାରୀ, ଭବାନୀ ବିଶୋଇ ଓ ଉମରକୋଟର ଫରେଷ୍ଟର କେ ପି ସ୍ୱାଇଁ, ଗୁପ୍ତ ମହାନ୍ତି, ପି କେ ପାଢୀ, ମଧୁ ପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ l କୁସୁମପୁର ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ନେଇ ଆଲୋଚନା କରିବା ସମୟରେ ବନ ବିଭାଗର କର୍ମଚାରୀଙ୍କ ଉପରେ କିଛି ଗ୍ରାମବାସୀ ଅତର୍କିତ ଆକ୍ରମଣ କରିଥିଲେ l କିଛି ଲୋକ ଟାଙ୍ଗିଆ ବେଣ୍ଟରେ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ l ଏହି ଆକ୍ରମଣରେ ବନ ବିଭାଗର ୩ ଜଣ କର୍ମଚାରୀ ଯଥା ପ୍ରିତମ ଖମାରୀ , କାର୍ତିକ ଗଣ୍ଡ , ଗୋବିନ୍ଦ ଭତରାଙ୍କ ସହିତ ଜଣେ ସାମ୍ବାଦିକ ଏବଂ ରେଙ୍ଗାଭାଟି ଗ୍ରାମର କିଛି ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି l ସମସ୍ତେ ରାଇଘର ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି l ବନ ବିଭାଗ ପକ୍ଷରୁ ଏ ନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରି ନାହିଁ l

ସମ୍ବନ୍ଧିତ ଖବର