ଶିକ୍ଷକମାନେ ସାବଧାନ! : ତଦନ୍ତ ପାଇଁ ପାଗଳ ବେଶରେ ବିଇଓ

ନିର୍ଭୟ ବକ୍ସରେ ପଡ଼ିଥିଲା ଅଭିଯୋଗ, ପିଲା ଚୋର ଭାବି ଗ୍ରାମବାସୀ ଧରିଲେ, ଶିକ୍ଷକ ଆତଙ୍କିତ

ଶେରଗଡ଼ : ‘ଶିକ୍ଷକମାନେ ସାବଧାନ! ପାଗଳ ବେଶରେ ଅଛନ୍ତି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ର ଶିକ୍ଷାଧିକାରୀ (ବିଇଓ) !!’ ଜଣେ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ବିଇଓଙ୍କ ପାଗଳ ବେଶ ଧାରଣକୁ ନେଇ ଏବେ ସଭିଙ୍କ ମୁହଁରେ ଏହି କଥା। ଅଭିଯୋଗରେ କୌଣସି ସତ୍ୟାସତ୍ୟ ନଥିବା ଜଣାପଡ଼ିଥିଲେ ବି ଏହି ଅଭିନବ ଉପାୟ ପାଇଁ ଚର୍ଚ୍ଚାରେ ରହିଛନ୍ତି ବିଇଓ। ସାମାଜିକ ଗଣମାଧ୍ୟମରେ ବି ପ୍ରଶଂସା ସାଉଁଟିଛନ୍ତି।

ମିଳିଥିବା ସୂଚନାନୁସାରେ, କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ନିର୍ଭୟ’ ବାକ୍ସକୁ ବିଇଓ ଶ୍ରୀ ଲେଙ୍କା ଗତ ଶୁକ୍ରବାର ଦିନ ଖୋଲିଥିଲେ। ଏହି ବକ୍ସର ଚାବି ତାଙ୍କ ପାଖରେ ହିଁ ରହିଥାଏ। ବାକିଲିକଣା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବିଦ୍ୟାଳୟକୁ ନିୟମିତ ଆସୁ ନଥିବା ଓ ନିମ୍ନମାନର ମଧ୍ୟାହ୍ନ ଭୋଜନ ଯୋଗାଣ ହେଉଥିବା ଅଭିଯୋଗ ପତ୍ର ଦେଖିବା ପରେ ଗତ ଶନିବାର ସକାଳ ପ୍ରାୟ ୭ଟାରେ ଚିରା ପୋଷାକ ପିନ୍ଧି ପାଗଳ ବେଶ ଧାରଣ କରି ଜଣେ ସିଆରସିସିଙ୍କୁ ନେଇ ଗ୍ରାମରେ ପହଞ୍ଚିଥିଲେ। ସିଆରସିସିଙ୍କୁ ଅଧା ରାସ୍ତାରେ ଛାଡ଼ି ଦେଇ ବିଇଓ ଶ୍ରୀ ଲେଙ୍କା ବିଦ୍ୟାଳୟ ସାମ୍ନାରେ ପାଗଳ ଭଳି ଏଣେତେଣେ ବୁଲିବାର ଅଭିନୟ କରିଥିଲେ। ଦୁଇ ଘଣ୍ଟା ଧରି ସକାଳ ୯ଟା ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କ ଗତିବିଧି ଅନୁଧ୍ୟାନ କରିଥିଲେ। ବିଦ୍ୟାଳୟ ବାହାରେ ଓ ଗାଁରେ ବୁଲୁଥିବାରୁ ବିଇଓଙ୍କୁ ଗ୍ରାମବାସୀ ପିଲାଚୋର ଭାବି ସନ୍ଦେହ କରି ସେଠାରେ ଏକାଠି ହୋଇଥିଲେ। ଆଉ ଆକ୍ରମଣ କରିବାକୁ ଗୋଡ଼ାଉଥିବା ବେଳେ ବିଇଓ ନିଜର ପରିଚୟ ଦେଇଥିଲେ। ପରେ ବିଦ୍ୟାଳୟକୁ ସମସ୍ତ ଅଭିଯୋଗର ତଦନ୍ତ କରିଥିଲେ।

ତେବେ ଯେଉଁ ଶିକ୍ଷକ ଜଣକ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ଆସିଥିଲା, ସେଦିନ ସେ ମଧ୍ୟ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ଏହାପରେ ବିଇଓ ଶ୍ରୀ ଲେଙ୍କା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଉଜ୍ଜ୍ବଳ, ଉତ୍‌ଥାନ ଭଳି କାର୍ଯ୍ୟକ୍ରମର ପରିଚାଳନାକୁ ଅନୁଧ୍ୟାନ କରିଥିଲେ। ତେବେ, ତଦନ୍ତ ପରେ ବିଦ୍ୟାଳୟ ଠିକ୍ ଭାବେ ଚାଲିଛି ବୋଲି ସେ ନିଜର ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି। ଅନ୍ୟପକ୍ଷରେ, ତଦନ୍ତ କରିବା ପାଇଁ ବିଇଓ ଶ୍ରୀ ଲେଙ୍କାଙ୍କ ଏହିଭଳି ପ୍ରୟାସ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ୍ ମିଡ଼ିଆରେ ଏଭଳି ପଦକ୍ଷେପକୁ ବିଭିନ୍ନ ବର୍ଗର ଜନସାଧାରଣ, ବୁଦ୍ଧିଜୀବୀ ସାବାସୀ ଦେଇଛନ୍ତି। ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର