କଳାହାଣ୍ଡି: ମୃତା ମହିଳାଙ୍କ ଶବ ବ୍ୟବଚ୍ଛେଦ ଦାବି କରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜୁନାଗଡ଼: ସ୍ଥାନୀୟ ଚାରଭାଟି ଗାଁ’ରେ ଜଣେ ମହିଳାଙ୍କ ଅକାଳ ବିୟୋଗକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି।

ମୃତା ମହିଳାଜଣକ ହେଲେ ସୁଦାମ ଶତପଥୀଙ୍କ ପତ୍ନୀ ୪୦ ବର୍ଷୀୟ ସରିତା ଶତପଥି।

ହୃଦ୍‌ଘାତ ଯୋଗୁଁ ସରିତାଙ୍କର ମୃତ୍ୟୁ ଘଟିଛି ବୋଲି ସୁଦାମଙ୍କ ଘର ଲୋକେ କହୁଥିବା ବେଳେ ଗ୍ରାମବାସୀ ଏହାକୁ ଯୌତୁକ ଦାବି ସମ୍ବନ୍ଧୀୟ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି।

ପୂର୍ବରୁ ସରିତାଙ୍କୁ ବିଭିନ୍ନ ସମୟରେ ଶାଶୂଘର ଲୋକେ ଯୌତୁକ ଆଣିବାକୁ ଦାବି କରି ନିର୍ଯାତନା ଦେଇ ଆସୁଥିଲେ। ଏଥିରେ ଅସ୍ଥିର ହୋଇ ସରିତା ଥାନାରେ ଅଭିଯୋଗ କରିବା ପରେ ସ୍ୱାମୀ ସୁଦାମ ଏବଂ ଶାଶୂ ଶ୍ୱଶୁର ଗିରଫ ହୋଇ ଜେଲ୍‌ରେ ଥିଲେ। ତିନି ମାସ ଜେଲ୍‌ରେ ରହିବା ପରେ ଲିଖିତ ରାଜିନାମା ଦାଖଲ କରି ସେମାନେ ମୁକୁଳିଥିଲେ।

ସରିତାଙ୍କ ମୃତ୍ୟୁ ପରେ ତାଙ୍କର ଶବସତ୍କାର କରିବାକୁ ପରିବାର ଲୋକେ ପ୍ରସ୍ତୁତି କରୁଥିବା ବେଳେ ଗ୍ରାମବାସୀ ଏହାକୁ ହତ୍ୟାକାଣ୍ଡ କହି ଶବ ବ୍ୟବଚ୍ଛେଦ କରିବାକୁ ଅଡ଼ି ବସି ରାସ୍ତା ଅବରୋଧ କରିଥିଲେ।

ସରିତାଙ୍କର ହୃଦ୍‌ରୋଗ ଥିଲା ଏବଂ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ବାପଘର ଲୋକେ ମଧ୍ୟ କହୁଛନ୍ତି।

ଖବର ପାଇ ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ ଶବ ବ୍ୟବଚ୍ଛେଦ କରାଇବାକୁ କହିଥିଲେ। ପୁଲିସ ଗ୍ରାମବାସୀଙ୍କ ଠାରୁ ଲିଖିତ ଦାବି ଗ୍ରହଣ କରିବା ପରେ ସରିତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର