ବ୍ୟାସନଗର : ବ୍ୟାସନଗର ତହସିଲ ଅନ୍ତର୍ଗତ କୁଆଁରଦା ମୌଜାର ସରକାରୀ ଜମିକୁ ଚଞ୍ଚକତା କରି ପଟ୍ଟା ହାତେଇ ଥିବାରୁ ଏହାକୁ ରଦ୍ଦ କରିବା ଦାବିରେ କୁଆଁରଦା ଭୂମି ସୁରକ୍ଷା ସମିତି ପକ୍ଷରୁ ତହସିଲ ଅଫିସ ଘେରାଉ କରାଯାଇଛି। ଗୋପବନ୍ଧୁ ଛକଠାରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସମିତିର ସଭାପତି ଆଇନଜୀବୀ ନୃସିଂହ ଚରଣ ପୁହାଣଙ୍କ ସଭାପତିତ୍ୱରେ ତହସିଲ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପ୍ରତିବାଦ ସଭାରେ ଆଇଏନଟିୟୁସି ରାଜ୍ୟ ଉପସଭାପତି ତଥା ଅଣସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ସିଟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ରମାକାନ୍ତ ସାହୁ, ଆଇଏନଟିୟୁସିର ପରମାନନ୍ଦ ସେଠୀ, ଧୀରେନ୍ଦ୍ର ବେହେରା ଯୋଗଦେଇ ଏହାର ଦୃଢ଼ ପ୍ରତିବାଦ କରିଥିଲେ।
କୁଆଁରଦା ମୌଜା ଅଧୀନରେ ଥିବା ଖାତା ନଂ ୩୩୬, ପ୍ଲଟ ନଂ ୩୩୯ରେ ଥିବା ଜମିକୁ ନୂତନ ଖାତା ନଂ ୧୯୪/୧୫ କରାଯାଇଥିବାରୁ ମାମଲା ହୋଇଥିଲା। ଏହି ସରକାରୀ ଜମିକୁ ଜନୈକ ବ୍ୟକ୍ତି ଚଞ୍ଚକତା କରି ପଟ୍ଟା ହାତେଇବାକୁ ଦୃଢ଼ ବିରୋଧ କରିଥିଲେ। ଏହା ଉପରେ ୨୦୦୪ରେ ତତ୍କାଳୀନ ତହସିଲଦାର ସ୍ଥଗିତାଦେଶ ଜାରି କରିଥିଲେ। ଏହି ସମୟରେ ବ୍ୟାସନଗର ତହସିଲର ଜଣେ ପୂର୍ବତନ ଆରଆଇ ନବଘନ ମହାରଣା ତାଙ୍କ ପତ୍ନୀ ସିପ୍ରା ମହାରଣାଙ୍କ ନାମରେ ୨୦ ଡେସିମିଲ ଜମି ପଟ୍ଟା କରି ଚିନ୍ମୟୀ ପହିଙ୍କୁ ବିକ୍ରି କରି ଦେଇଥିଲେ। ଏହି ଘଟଣାକୁ ଗ୍ରାମବାସୀ ବିରୋଧ କରିଥିଲେ। ପରେ ଏହି ଜମିକୁ ପୁଣି ରାମ କୁମାର ଗୁପ୍ତାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।
ନୂଆଗଡ଼ ମୌଜାରେ ଥିବା ଗୁମ୍ଫା, ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ସ୍ତମ୍ଭ ଓ ସେନାବାହିନୀଙ୍କ ପାଇଁ ସଂରକ୍ଷିତ ସରକାରୀ ଜମିକୁ ଚଞ୍ଚକତା କରି ପଟ୍ଟା ଦିଆଯିବାକୁ ବିରୋଧ କରାଯାଇଛି। ଏହାକୁ ରଦ୍ଦ ନ କଲେ ଆଗାମୀ ଦିନରେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସନାତନ ସ୍ୱାଇଁ, ଦୀନବନ୍ଧୁ ମହାରଣା, ଲୋକନାଥ ଦଳାଇ, ମନୋଜ ମହାରଣା, ବନମାଳୀ ସ୍ୱାଇଁ, ପ୍ରଫୁଲ୍ଲ ପୁହାଣ, ଦୁଷ୍ମନ୍ତ ପାତ୍ର ଓ ମଦନ ମୋହନ ସ୍ୱାଇଁ ଘେରାଉରେ ସାମିଲ ଥିଲେ।