ଗାଡ଼ି ଚାବି ଛଡ଼ାଇ ଲୋକେ ବିଧାୟକଙ୍କୁ ଘେରିିଲେ, ଭିଡିଓ ଭାଇରାଲ୍‌…

ଜଗତସିଂହପୁର ଟାଉନ୍‌ : ରାସ୍ତା ସମସ୍ୟାକୁ ନେଇ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ହଟହଟା ହେବାକୁ ପଡ଼ିଛି। ଅନ୍ଧାରୀ ପଞ୍ଚାୟତ ଗଣ୍ଡମୁଣ୍ଡା ଗାଁରେ ସ୍ଥାନୀୟ ଲୋକେ ତାଙ୍କୁ ଘଣ୍ଟାଏରୁ ଅଧିକ ସମୟ ଘେରିରହିଥିବା ଖବର ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାଦୁଆ ରାସ୍ତାକୁ ସଜଡ଼ା ଯାଉ ନଥିବାରୁ ଉତ୍ତେଜିତ ଲୋକେ ବିଧାୟକଙ୍କ ଗାଡ଼ିର ଚାବି ଛଡ଼ାଇବାକୁ ଚେଷ୍ଟା କରିବା ସହ ତାଙ୍କୁ କାଦୁଅରେ ଚାଲିବାକୁ ବାଧ୍ୟ କରିଥିଲେ। ଦୀର୍ଘ ଘଣ୍ଟାଏ କାଳ ଯୁକ୍ତତର୍କ ପରେ ବିଧାୟକ ରାଗିକି ଗାଡ଼ି ଛାଡ଼ି ଚାଲିଯିବାକୁ ବାହାରିବାରୁ ଲୋକେ ତାଙ୍କୁ ରାସ୍ତା ଛାଡ଼ିଥିଲେ। ସପ୍ତାହ ତଳେ ଘଟିଥିବା ଏହି ଘଟଣାର ଭିଡିଓ ବାଲିକୁଦା-ଏରସମା ଅଞ୍ଚଳରେ ଭାଇରାଲ୍‌ ହେବା ପରେ ଘଟଣାଟି ସମଗ୍ର ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ, ଗଣ୍ଡମୁଣ୍ଡା ଗାମରେ ୫ଶହ ଭୋଟରଙ୍କ ସମେତ ୭୫୦ ଲୋକ ବସବାସ କରନ୍ତି। ଗାଁର ରାସ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ଥିବାରୁ ୨୦୦୯ ନିର୍ବାଚନରେ ଏଠାରୁ ପ୍ରଥମ ଥର ଲଢ଼ୁଥିବା ଶ୍ରୀ ମୁଦୁଲି ନିର୍ବାଚନୀ ପ୍ରଚାରରେ ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ୫ବର୍ଷ ସେ ପ୍ରତିଶ୍ରୁତି ପୂରଣ କରି ନଥିଲେ। ଏହାପରେ ଆସିଲା ୨୦୧୪ ନିର୍ବାଚନ। ସେତେବେଳେ ମଧ୍ୟ ଶ୍ରୀ ମୁଦୁଲି ରାସ୍ତା ମରାମତି କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଗ୍ରାମବାସୀମାନେ ଏକାଧିକ ଥର ବିଧାୟକଙ୍କୁ ଭେଟିବା ସହ ସରପଞ୍ଚଙ୍କ ଜରିଆରେ ରାସ୍ତା ସମ୍ପର୍କରେ ମନେ ପକାଇଥିଲେ ବି ତାହାର ସୁଫଳ ମିଳିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଉଠିଥିଲା। ଗତ ସପ୍ତାହରେ ବିଧାୟକ ଏହି ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ। ଗଣ୍ଡମୁଣ୍ଡା ଗାଁ ସାଲାଇନ୍‌ ବନ୍ଧ ନିକଟରେ ବିଧାୟକଙ୍କ ଗାଡ଼ି ଆସୁଥିବା ଦେଖି ଗ୍ରାମବାସୀମାନେ ଏକଜୁଟ୍‌ ହୋଇ ତାଙ୍କ ଗାଡ଼ିକୁ ଘେରି ଯାଇଥିଲେ। ସେମାନେ ବିଧାୟକଙ୍କ ଗାଡ଼ିର ଚାବି ଛଡ଼ାଇବାକୁ ବି ଉଦ୍ୟମ କରିଥିଲେ। ବର୍ଷତମାମ୍‌ ସେମାନେ ଯେଉଁ କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି, ବିଧାୟକ ଥରେ ସେହି ରାସ୍ତାରେ ଚାଲିକରି ଯାଆନ୍ତୁ ବୋଲି ସେମାନେ ଅଡିବସିଥିଲେ। ବିଧାୟକ ଦୀର୍ଘ ସମୟ ଧରି ଗାଡ଼ିରୁ ନ ଓହ୍ଲାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲାା ବିଧାୟକ ଶ୍ରୀ ମୁଦୁଲି ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ପଚରାଉଚରା କରିଥିଲେ, ଯାହା ଯୁକ୍ତିତର୍କରେ ବଦଳିଥିଲା। ଗାଡ଼ି ଅଟକାଇଥିବାରୁ ଓ ରାସ୍ତା ପାଇଁ ତାଙ୍କୁ ଏପରି ବିରୋଧ କରାଯାଉଥିବାରୁ ବିଧାୟକ ବିରକ୍ତିି ପ୍ରକାଶ କରିଥିଲେ। ‘‘ଠିକାଦାରକୁ କାମ ଦିଆଯାଇଛି, ସେ କାମ କରିବ। ମୁଁ କ’ଣ ତା’ କାମ କରିବି?’’ ବୋଲି ବିଧାୟକ କହିଥିଲେ ବି ଲୋକେ ଶୁଣି ନଥିଲେ। ଶେଷରେ ବିଧାୟକ ଗାଡ଼ି ଛାଡ଼ି ଚାଲିକି ଯିବାକୁ ବାହାରିବାରୁ ଉତ୍ତେଜନା ସାମାନ୍ୟ ଥମିଥିଲା ଓ ଲୋକେ ବିଧାୟକଙ୍କ ରାସ୍ତା ଛାଡ଼ି ଦେଇଥିଲେ। ପାଖାପାଖି ଘଣ୍ଟାଏ କାଳ ରାସ୍ତାରେ ଅଟକି ବିଧାୟକ ହଟହଟା ହେବାର ଭିଡ଼ିଓ ଏବେ ବାଲିକୁଦା-ଏରସମା ଅଞ୍ଚଳରେ ଭାଇରାଲ୍‌ ହେବା ପରେ ସମଗ୍ର ଅଞ୍ଚଳ ପାଇଁ ଚର୍ଚାର ବିଷୟ ହୋଇଛି।

ଏ ସମ୍ପର୍କରେ ବିଧାୟକ ଶ୍ରୀ ମୁଦୁଲିଙ୍କୁ ପଚାରିବାରେ ସେ ଏହା ଉପରେ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ମୁଦୁଲି ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର