ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ନୂଷାଡିହି ଗ୍ରାମର ଲୋକେ ଦେଢ ମାସରୁ ଅଧିକ ହେବ ପାନୀୟ ଜଳ ସମସ୍ୟା ନେଇ ଅତିଷ୍ଠ ହୋଇପଡ଼ିଥିଲେ।
ଅଭିଯୋଗ ଅନୁଯାୟୀ ଉକ୍ତ ଗାଁର ଲୋକେ ଅନତି ଦୂରରେ ଥିବା ଗୋପୀନାଥପୁରରେ ବସୁଧା ଯୋଜନାରେ ନିର୍ମିତ ପାଣିଟାଙ୍କିରୁ ପାନୀୟ ଜଳ ନେଉଥିଲେ, କିନ୍ତୁ ଗୋପୀନାଥପୁରର ଗ୍ରାମବାସୀ କୌଶଳ କରି ନୁଷାଡିହି ଗାଁକୁ ପାନୀୟ ଜଳ ବନ୍ଦ କରିଦେଇଥିଲେ। ଫଳରେ ନୂଷାଡିହି ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି । ସରପଞ୍ଚ ଉକ୍ତ ଅଞ୍ଚଳର ସମସ୍ୟା ସମାଧାନ କରିବେ ବୋଲି କଥା ଦେଇଥିଲେ। କିନ୍ତୁ କିଛି ସମାଧାନ ନ ହେବାରୁ ଗାଁ ଲୋକେ ବାଧ୍ୟ ହୋଇ ୨୨ ମାର୍ଚ୍ଚ ୨୪ ରେ ବିଡିଓଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଥିଲେ।
ଦାବି ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ତାପରେ ଗାଁ ଲୋକେ ପଞ୍ଚାୟତ ଅଫିସ ସାମନାରେ ଧାରଣାରେ ବସିଥିଲେ। ଏହାପରେ ବିଡିଓ, ତହସିଲଦାର, ପିଇଓ ଆସି ସମାଧାନ କରିଥିଲେ। କିଛି ଦିନ ଯିବା ପରେ ପୁଣି ପାଣି ସମସ୍ୟା ଦେଖା ଦେଇଥିଲା। ଏଣୁ ଗ୍ରାମବାସୀ ପାଣି ଛାଡୁଥିବା କର୍ମଚାରୀ (ଏସଇଏମ) ନାରାନ୍ ହେମ୍ବ୍ରମ୍ ଏବଂ ନୁଷାଡିହି ସରପଞ୍ଚ ଦୁର୍ଗା ପ୍ରସାଦ ହେମ୍ବ୍ରମଙ୍କ ନାଁରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଗୋରା, ଡେକଚି, ବାଲଟି ଧରି ପହଞ୍ଚି ଥାନାଅଧିକାରୀଙ୍କୁ ଏତଲା ପ୍ରଦାନ କରିଥିଲେ। ଉକ୍ତ ଅଞ୍ଚଳରେ ପାଣି ସମସ୍ୟା ଯଥାଶୀଘ୍ର ଦୂର ହେଉ ବୋଲି ଗାଁ ଲୋକେ ଥାନା ଘେରାଉ କରିବା ସହିତ ଦାବି କରିଥିଲେ। ତେବେ ଥାନା ଅଧୀକାରୀ ଗ୍ରାମବାସୀଙ୍କୁ ପାଣି ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଘରକୁ ଫେରିଥିଲେ। ଯଦି ସମସ୍ୟା ଦୂର ନହୁଏ ତାହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।