ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳରୁ ବଞ୍ଚିତ ଅଭିଯୋଗ: ଭୋଟ୍‌ ବର୍ଜନ କରି ବୁଥ୍‌ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ଦମଣ୍ଡା ଗ୍ରାମବାସୀ ଭୋଟ୍‌ ବର୍ଜନ କରି ବୁଥ୍‌ ଆଗରେ ଧାରଣାରେ ବସିଛନ୍ତି। ବର୍ଷ ବର୍ଷ ଧରି ସେମାନେ ଅବହେଳିତ ହୋଇ ରହିଛନ୍ତି। ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ଦାବି ପରେ ବି ନିର୍ବାଚିତ ଜନପ୍ରତିନିଧି କି ପ୍ରାଶାସନିକ ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ସେମାନେ ଭୋଟ୍‌ ବର୍ଜନ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗାଁରେ ପ୍ରାୟ ୩ଶହ ଭୋଟର ଅଛନ୍ତି। ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ସବୁଦିନିଆ ରାସ୍ତା, ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସୁବିଧା ନାହିଁ। ଦୀର୍ଘ ଦିନ ହେଲା ଅଞ୍ଚଳକୁ ଅବହେଳା କରି ଆସୁଥିବା ରାଜନୈତିକ ଦଳ କେବଳ ଭୋଟ୍‌ ବେଳେ ଆସନ୍ତି। ଜିତିଲା ପରେ ୫ ବର୍ଷ ପର୍ଯ୍ୟନ୍ତ ଦେଖା ମିଳେ ନାହିଁ। ଏହି ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଜରୁରୀକାଳୀନ ଚିକିତ୍ସା ପାଇଁ ୩ କିମି ଚାଲି ଚାଲି ଯିବା ସହିତ ରୋଗୀକୁ ଖଟରେ ବୋହି ନେବାକୁ ପଡ଼େ। ଗାଁରେ ନଳକୂଅ ନଥିବାରୁ ଗ୍ରାମବାସୀ ନାଳ କିମ୍ବା ଗାଡ଼ିଆର ପାଣି ପିଇବାକୁ ବାଧ୍ୟ ହୁଅନ୍ତି। ଫଳରେ ବିଭିନ୍ନ ସମୟରେ ନାନା ରୋଗରେ ଆକ୍ରାନ୍ତ ହୋଇ ଆବଶ୍ୟକ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି। ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଏକ ନାଳ ଡେଇଁ ଯିବାକୁ ପଡ଼େ। ବର୍ଷର ୬ ମାସ ଯାତାୟାତରେ ବାଧାପ୍ରାପ୍ତ ହୁଏ। ଏପରିକି ସ୍କୁଲ ଦୂରତା ୨ କିମି ହୋଇଥିବା ବେଳେ ବର୍ଷା ୪ ମାସ ଛାତ୍ରଛାତ୍ରୀ ପାଠ ପଢା ଠପ୍‌ ହୋଇଯାଏ।

ଏନେଇ ବାରମ୍ବାର ରାଜନେତାଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଏପରିକି ନଭେମ୍ବର ୯ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ଶେଷରେ ସେମାନେ ଭୋଟ୍‌ ବର୍ଜନ କରିଛନ୍ତି। ଭୀମସେନ ନାଏକଙ୍କ ନେତୃତ୍ୱରେ ଗ୍ରାମବାସୀ ବୁଥ୍‌ ଆଗରେ ଧାରଣାରେ ବସିଥିଲେ। ଘଟଣାସ୍ଥଳରେ ତହସିଲଦାର ଅବିନାଶ ପାଣ୍ଡିଆ ଓ ବିଡିଓ ଦେବୀ ପ୍ରସାଦ ଦାସ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଥିଲେ। ଫଳରେ ବୁଥ୍‌ରେ ଗୋଟିଏ ବି ଭୋଟ୍‌ ପଡ଼ି ନଥିଲା।

ସମ୍ବନ୍ଧିତ ଖବର