ବିଂଝାରପୁର: ବିଂଝାରପୁର ଥାନା ଅନ୍ତର୍ଗତ ଆଉଁରୀ ପଞ୍ଚାୟତ ଡିହକୂଳା ଗ୍ରାମରେ ମଦ ବିରୋଧରେ ଗ୍ରାମବାସୀ ଏକଜୁଟ ହୋଇ ଚୋରା ମଦ ଦୋକାନ ଭାଙ୍ଗିବା ସହ ଦୋକାନରେ ଥିବା ମଦକୁ ନଷ୍ଟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଡିହକୂଳା ଗ୍ରାମର ବିଜୟ ମଳିକଙ୍କ ପୁଅ ସଞ୍ଜୟ ବହୁଦିନ ହେଲା ଚୋରାମଦ ବେପାର କରିଆସୁଥିଲା। ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କିମ୍ବା ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା।
ଫଳରେ ଚୋରାମଦ ବିକ୍ରି ପାଇଁ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ଗ୍ରାମର ଶତାଧିକ ମହିଳାଙ୍କ ସମେତ ବହୁଲୋକ ବିରୋଧ ପ୍ରଦର୍ଶନ କରିବା ସହ ଚୋରାମଦ ବେପାରୀ ସଞ୍ଜୟ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଏଠାରୁ ଚୋରାମଦ କାରବାର ବନ୍ଦ କରିବା ସହ ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବିଂଝାରପୁର ପୁଲିସ ପହଞ୍ଚି ଏଠାରୁ ଚୋରାମଦ ଜବତ କରି ତଦନ୍ତ ଆରମ୍ଭ କରିଛି।