ରାୟଗଡା: ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକିବା ପରେ ଶେଷରେ ଗାଁ ରାସ୍ତାକୁ ତିଆରି କରିବା ପାଇଁ ଅଣ୍ଟା ଭିଡିଲେ ଗ୍ରାମର କିଛି ବ୍ୟକ୍ତି। ପାହାଡ଼ ନିକଟରେ ରାସ୍ତା କାମ ଚାଲୁଥିବା ଦୃଶ୍ୟ ଦେଖିଲେ ଯିଏ ବି ଭାବୁଥିବ ସରକାରଙ୍କ ଅନୁଦାନରେ କାମ ଚାଲିଛି। କିନ୍ତୁ ଏହି ରାସ୍ତା କାମ କୌଣସି ସରକାରୀ ଅନୁଦାନରେ ଚାଲୁନଥିଲା। ନିଜ ଗ୍ରାମର ରାସ୍ତା ତିଆରି ପାଇଁ ଅଣ୍ଟାଭିଡ଼ିଲେ ଗ୍ରାମର ସାତଜଣ ବ୍ୟକ୍ତି।ହାତରେ କୋଡ଼ି ଶାବଳ ଧରି ବଡ ବଡ଼ ପଥର ଗାତରେ ପକାଇ ସାଇଜ କରି ରଖି ପାଖାପାଖି ଚାରି କିଲୋମିଟର ମାଟି ରାସ୍ତା ତିଆରି କଲେ ରସ୍ତୁଗୁଡା ଗ୍ରାମର ସାତଜଣ ବ୍ୟକ୍ତି।

Advertisment

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତର ଅଙ୍କା ବଙ୍କା ରାସ୍ତାର ଚାରିଆଡେ ପାହାଡ଼ ମଝିରେ ଥିବା ରସ୍ତୁଗୁଡା ଗ୍ରାମର ରାସ୍ତାର କାହାଣୀ।ସରକାର ଆଦିବାସୀଙ୍କ ବିକାଶ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ରସ୍ତୁଗୁଡା ଗ୍ରାମର ରାସ୍ତା ହିଁ ସ୍ପଷ୍ଟ ପ୍ରମାଣିତ କରୁଛି ସରକାରଙ୍କ ବିକାଶର ବିକଳ ଚିତ୍ର।ପ୍ରତିବର୍ଷ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ନୟାନ୍ତ ହୋଇସାରିଥିଲେ। ଏପରିକି ଭୋଟ ମାଗିବା ପାଇଁ ଆସୁଥିବା ନେତା ମନ୍ତ୍ରୀମାନଙ୍କୁ ମଧ୍ୟ ରାସ୍ତା ଖଣ୍ଡିକ ପାଇଁ ଅନୁରୋଧ କରିଆସୁଥିଲେ। କିନ୍ତୁ ସମସ୍ତେ ଭୋଟ ନେଲେ ସିନା କେହି ମଧ୍ୟ ରସ୍ତୁଗୁଡା ଗ୍ରାମର ରାସ୍ତା ପାଇଁ ଧ୍ୟାନ ଦେଇନଥିଲେ। ଶେଷରେ ଗ୍ରାମର ୭ ଜଣ ବ୍ୟକ୍ତି ରାସ୍ତା ତିଆରି ପାଇଁ ଅଣ୍ଟା ଭିଡି ବାହାରି ରାସ୍ତାକୁ ତିଆରି କରିଥିଲେ।

publive-image

ଆଜି ଏହି ରାସ୍ତାରେ ଗାଡି ମଟର ଆସୁଥିବା ବେଳେ ରୋଗୀଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଯାଇ ପାରୁଥିବା ଗ୍ରାମବାସୀ କହନ୍ତି। ଯେଉଁ ରାସ୍ତାରେ ଦିନେ ପାଦରେ ଚାଲିବା କଷ୍ଟସାଧ୍ୟ ଥିଲା ସେହି ରାସ୍ତା ଆଜି ପକ୍କା ହୋଇନଥିଲେ ମଧ୍ୟ ଯାନବାହାନ ଚଳାଚଳ କରିପାରୁଛି। ତେବେ ରସ୍ତୁଗୁଡା ଗ୍ରାମବାସୀ କେବେ ପକ୍କା ରସ୍ତା ଦେଖିବାକୁ ହେଲେ ଆହୁରି କେତେବର୍ଷ ସଂଘର୍ଷ କରିବାକୁ ପଡିବ ତାହା ଦେଖିବାକୁ ବାକି ରହିଲା।