ଜଳେଶ୍ୱର : ଯାତାୟାତରେ ବାଧକ ସାଜିଥିଲା ରେଳଫାଟକ, ୬ ଲକ୍ଷ ଖର୍ଚ୍ଚ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

୬୦ ଜଣ ଲୋକ ଜମିଦାନ ବି କଲେ, ଜଣେ ବ୍ୟକ୍ତି ଦେଲେ ୪ ଲକ୍ଷ
ସ୍ବର୍ଗତ ମୃତ୍ୟୁଞ୍ଜୟ କରଙ୍କ ନାମରେ ନାମିତ ହେଲା
ବିନା ପାରିଶ୍ରମିକରେ କାମ କଲେ ଯୁବକ

ଜଳେଶ୍ୱର : ବିନା ସରକାରୀ ସହାୟତାରେ ନିଜ ନିଜ ଭିତରେ ଚାନ୍ଦାଭେଦା ଓ ଶ୍ରମଦାନ କରି ପ୍ରାୟ ୧ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରିଦେଲେ। ଆଉ ପ୍ରମାଣିତ କରିଦେଲେ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ସମ୍ଭବ। ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ଶାନ୍ତିଆ ରେଳଫାଟକଠାରୁ ୬୦ ନମ୍ବର ଜାତୀୟ ରାଜପଥ ପର୍ଯ୍ୟନ୍ତ ୧ କିମି ରାସ୍ତା ନିର୍ମାଣ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ରାସ୍ତା ନିର୍ମାଣ ବାବଦରେ ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିରୁ ଜଳେଶ୍ୱରର ଜଣେ ବଦାନ୍ୟ ବ୍ୟକ୍ତି ନିଜ ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୪ ଲକ୍ଷ ଖର୍ଚ୍ଚ କରିଥିବା ବେଳେ ବାକି ୨ ଲକ୍ଷ ଟଙ୍କା ସ୍ଥାନୀୟ ଅଞ୍ଚଳବାସୀ ଦାନସୂତ୍ରରେ ଦେଇଛନ୍ତି। ଖାଲି ସେତିକି ନୁହେଁ, ରାସ୍ତା ପାଇଁ ଲୋକେ ଜମି ବି ଦାନ କରିଛନ୍ତି।

ସୂଚନାଯୋଗ୍ୟ, ଶାନ୍ତିଆ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ବାଧକ ସାଜିଛି ନୂଆବଜାର ରେଳ ଫାଟକ। ଜଳେଶ୍ଵର ପୌରପାଳିକା, ତହସିଲ, ଆର୍‌ଆଇ କାର୍ଯ୍ୟାଳୟ, ଡାକ୍ତରଖାନା ତଥା ସ୍କୁଲ୍‌, କଲେଜକୁ ଯିବା ପାଇଁ ହେଲେ ଶାନ୍ତିଆ ଅଞ୍ଚଳବାସୀଙ୍କୁ ନୂଆବଜାର ରେଳ ଫାଟକ ଅତିକ୍ରମ କରିବାକୁ ପଡ଼େ। ଅଧିକାଂଶ ସମୟ ଏଠାରେ ରେଳ ଫାଟକ ବନ୍ଦ ରହୁଥିବାରୁ ଲୋକେ ଘଣ୍ଟାଘଣ୍ଟା ଅପେକ୍ଷା ସାଙ୍ଗକୁ ନାନାଦି ହଇରାଣ ହୁଅନ୍ତି। ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଶାନ୍ତିଆ ଗ୍ରାମବାସୀ ଶାନ୍ତିଆ ରେଳଫାଟକରୁ ୬୦ ନମ୍ବର ଜାତୀୟ ରାଜପଥ ଯାଏ ୧ କିମି ବିକଳ୍ପ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ସହରର ବରିଷ୍ଠ ନାଗରିକ ତଥା ଶିକ୍ଷାବିତ୍ ଇଂ.ଅକ୍ଷୟ କରଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ କର ମଧ୍ୟ ନିଜ ବାପା ସ୍ବର୍ଗତ ମୃତ୍ୟୁଞ୍ଜୟ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାସ୍ତା ନିର୍ମାଣ ପାଇଁ ନିଜ ଆଡୁ ଆର୍ଥିକ ସହାୟତା ଦେବାକୁ ପ୍ରସ୍ତାବ ଦେଇଥିଲେ। ଗତ ୧୫ ତାରିଖରେ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହୋଇଛି। ରାସ୍ତା ନିର୍ମାଣରେ ଦୈନିକ ୩ଟି ଜେସିବି ଓ ୧୨ଟି ଟ୍ରାକ୍ଟର ଲାଗିଥିବା ବେଳେ ଗାଁର ୨୫ ଜଣ ଯୁବକ ବିନା ପାରିଶ୍ରମିକରେ କାମ କରିଥିଲେ। ରାସ୍ତା ନିର୍ମାଣ ପାଇଁ ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ଇଂ. ଅକ୍ଷୟ କର ୪ ଲକ୍ଷ ୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ବାକି ୨ ଲକ୍ଷ ଟଙ୍କା ଶାନ୍ତିଆ ତଥା ଆଖପାଖ ଅଞ୍ଚଳର ପ୍ରାୟ ୫୨ ଜଣ ଗ୍ରାମବାସୀ ଦାନ କରିଛନ୍ତି। ରାସ୍ତା ପାଇଁ କେବଳ ଆର୍ଥିକ ସହାୟତା ନୁହେଁ, ସ୍ଥାନୀୟ ଅଞ୍ଚଳର ପ୍ରାୟ ୬୦ ଜଣ ବଦାନ୍ୟ ବ୍ୟକ୍ତି ମଧ୍ୟ ସେମାନଙ୍କର ଜମି ଦାନ କରିଛନ୍ତି।

ଆଜି ନବବର୍ଷରେ ରାସ୍ତା ଉଦ୍‌ଘାଟନ ହୋଇଛି। ଏହାକୁ ସ୍ବର୍ଗତ ମୃତ୍ୟୁଞ୍ଜୟ କର ମାର୍ଗ ନାମରେ ନାମିତ କରାଯିବା ସହ ତାଙ୍କ ପୁଅ ଅକ୍ଷୟ କର ଏହାକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ବାମପନ୍ଥୀ ନେତା ସୀତାଂଶୁ ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ଭୂପତି ଚରଣ ଅଣ୍ଡିଆ, ପ୍ରାକ୍ତନ ନଗରପାଳ ପ୍ରବୀର ପ୍ରଧାନ, ବିଜେପି ନେତା ଅରୁଣ ବେଜ, କାର୍ତ୍ତିକ ଚନ୍ଦ୍ର ଗିରି, ଚିତ୍ତରଞ୍ଜନ ସାହୁ, ଜଳେଶ୍ଵର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ଯୋଗ ଦେଇଥିଲେ। ନିତ୍ୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର