ଉମରକୋଟ: ଯାତାୟାତ ପାଇଁ ନାହିଁ ନିତିଦିନିଆ ରାସ୍ତା। ନାଳ ଉପରେ ନିର୍ମାଣ ହୋଇପାରୁନି ସ୍ଥାୟୀ ପୋଲ। ଖରା, ଶୀତରେ ନାଳରେ ପାଣି ରହୁନଥିବାରୁ ଯାତାୟାତ ସମସ୍ୟା ରହୁନି। କିନ୍ତୁ ବର୍ଷା ୪ ମାସ ଗ୍ରାମବାସୀଙ୍କ ଭରସା କାଠ ପୋଲ। ପୋଲ ଉପର ଦେଇ କେବଳ ବାଇକ୍, ସାଇକେଲ୍ ଚଳାଚଳ କରୁଥିବାରୁ ଜରୁରିକାଳୀନ ସମୟରେ ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ସ୍ବାଧୀନତାର ୭ ଦଶନ୍ଧି ପରେ ବି ଯାତାୟାତ ସମସ୍ୟାରେ ଯୁଝି ହେଉଛନ୍ତି ଉମରକୋଟ ବ୍ଲକ୍ ଶୁକିଗାଁ ପଞ୍ଚାୟତର ୫ଖଣ୍ଡ ଗ୍ରାମବାସୀ।

Advertisment

ନବରଙ୍ଗପୁର-ରାଇଘର ରାସ୍ତାରେ ରହିଛି ବେହେଡ଼ା ପଞ୍ଚାୟତ। ବେହେଡ଼ାରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପହଞ୍ଚିଛି। ବ୍ୟାଙ୍କଠାରୁ ଆରମ୍ଭ କରି କଲେଜ, ହାଇସ୍କୁଲ୍ ସବୁ କିଛି ରହିଛି ଏହି ପଞ୍ଚାୟତରେ। ହେଲେ ବେହେଡ଼ାରୁ ମାତ୍ର ୧ କିମି ଦୂରରେ ରହିଛି ଶୁକିଗାଁ ପଞ୍ଚାୟତର ଢେପଗୁଡ଼ା ଗାଁ। ବେହେଡ଼ା-ଢେପଗୁଡ଼ା ଗାଁକୁ ସଂଯୋଗ କରୁଥିବା ମାଟି, ମୋରମ ରାସ୍ତାରେ ରହିଛି ନାଳ। ବର୍ଷା ଦିନରେ ନାଳରେ ପାଣି ଜୋରରେ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ଗ୍ରାମବାସୀଙ୍କ ବାରମ୍ବାର ଗୁହାରି ସତ୍ତ୍ବେ ପ୍ରଶାସନ ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ କରୁନି। ଏହି ରାସ୍ତା ସମେତ ପୋଲ ଉପରେ ଶୁକିଗାଁ ପଞ୍ଚାୟତର ଢେପଗୁଡ଼ା, ବିରିଗୁଡ଼ା,‌ ଢେପଗୁଡ଼ା ସାନ୍ତା ସାହି, ଫୁଲଝଡ଼ି, ବିକାରିସାହି, ଦରଗାଗୁଡ଼ା, ବଣିଗୁଡ଼ା ଗ୍ରାମବାସୀ ନିର୍ଭର କରୁଛନ୍ତି। ଦୈନିକ ବିଭିନ୍ନ କାମରେ ୧୫୦୦ରୁ ୧୬୦୦ ଲୋକ ଯାତାୟାତ କରୁଥିଲେ ମଧ୍ୟ ରାସ୍ତା, ପୋଲ ନିର୍ମାଣକୁ ଅଣଦେଖା କରି ଆସୁଛି ପ୍ରଶାସନ।

ସ୍ଥାୟୀ ରାସ୍ତା ଓ ପୋଲ ନିର୍ମାଣକୁ ପ୍ରଶାସନର ଅଣଦେଖା
ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ
ଯନ୍ତ୍ରଣା ଭୋଗୁଛନ୍ତି ୫ ଖଣ୍ଡ ଗ୍ରାମବାସୀ

ବିକାଶଠୁ ବହୁ ଦୂରରେ ରହିଥିବା ଏହି ଗ୍ରାମବାସୀ ବଜାରଠୁ ଆରମ୍ଭ କରି ବ୍ୟାଙ୍କ, ଶିକ୍ଷା, ସ୍ବାସ୍ଥ୍ୟସେବା ପାଇଁ ବେହେଡ଼ା ପଞ୍ଚାୟତ କିମ୍ବା ଉମରକୋଟ ବ୍ଲକ୍ ସଦର ମହକୁମା ଉପରେ ନିର୍ଭରଶୀଳ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ପରେ ବିଡିଓ ଓ ଗ୍ରାମ୍ୟ ନିର୍ମାଣ ବିଭାଗ କର୍ତ୍ତୃପକ୍ଷ ରାସ୍ତା ଓ ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ। ସବୁ କିଛି ପ୍ରସ୍ତାବରେ ସୀମିତ ଥିବାରୁ ନାଳ ଉପରେ କାଠ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ। ୩୦ରୁ ୪୦ ଫୁଟ୍ ଲମ୍ବର କାଠ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଶ୍ରମଦାନ କରିଛନ୍ତି। କାଠ ପୋଲ ନିର୍ମାଣ ପରେ ନାଳ ଉପର ଦେଇ ଯାତାୟାତ ସ୍ବାଭାବିକ ହୋଇଥିବା ବେଳେ ବର୍ଷାରେ ମାଟି, ମୋରମ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। କାଦୁଅ ପଚ ପଚ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଯାତାୟାତ କରନ୍ତି। ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ରୋଗୀ ଓ ଗର୍ଭବତୀ ବହୁ କଷ୍ଟରେ ଢେପଗୁଡ଼ା ପହଞ୍ଚିବା ପରେ ଆମ୍ବୁଲାନ୍ସରେ ମେଡ଼ିକାଲ୍ ଯାଇଥାନ୍ତି। ପ୍ରତିକ୍ରିୟାରେ ଶୁକିଗାଁ ପଞ୍ଚାୟତ ସରପଞ୍ଚ ସୁବା ସାନ୍ତା କହିଛନ୍ତି, ବହୁବାର ଅବଗତ ପରେ ମଧ୍ୟ ପ୍ରଶାସନ ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ।