କଳାହାଣ୍ଡିରେ ଶ୍ରମଦାନ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ପଲସା ପଦର ଗ୍ରାମବାସୀ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଛନ୍ତି। ଭବାନୀପାଟଣା ଠାରୁ ମାତ୍ର ୧୩ କିମି ଦୂର ପଲସାପଦରରେ ରହନ୍ତି ପ୍ରାୟ ୨୭ଟି ଆଦିବାସୀ ପରିବାର। ତେବେ ଗାଁକୁ ଯିବାକୁ ତାଙ୍କପାଖେ ସବୁଦିନିଆ ରାସ୍ତାଟିଏ ନାହିଁ। ଗାଁରୁ ଭବାନୀପାଟଣା ଯିବାକୁ ହେଲେ ମୁରେଲ ନଦୀ ଡେଇଁ ଶଗଡା ଗ୍ରାମ ଦେଇ ପ୍ରାୟ ୨୫ କିମି ପଡ଼େ। ହେଲେ ଜଙ୍ଗଲ ଜମି ଦେଇ ଏହି ରାସ୍ତା ମାତ୍ର ୧୩ କିମି ପଡ଼ିଥାଏ। ବର୍ଷାଦିନେ ଏହି ରାସ୍ତାରେ ଯିବାପାଇଁ ଘୋର ଅସୁବିଧା ହୋଇଥାଏ। ଯଦି କାହାର ଦେହ ଖରାପ ହୋଇଥାଏ ରୋଗୀକୁ ଭବାନୀପାଟଣା ଡାକ୍ତରଖାନା ନେବାକୁ ହେଲେ ପ୍ରାୟ ୩ କିମି ଖଟରେ ଦୋଳା ସାହାଯ୍ୟରେ ନେବାକୁ ହୋଇଥାଏ। ଏହାପରେ ଆମ୍ବୁଲାନ୍‌ସରେ ଯିବାପାଇଁ ସୁବିଧା ହୁଏ ।

ବର୍ଷବର୍ଷ ଧରି ଏ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ଓ ଗ୍ରାମସଭାରେ ପାରିତ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେବେ ଚଳିତ ବର୍ଷ ଏକ କଚ୍ଚାରାସ୍ତା ତିଆରି ହୋଇଥିଲା। ହେଲେ ବର୍ଷାଦିନେ ନାଳରେ ପାଣି ରହୁଥିବାରୁ ଏହା ଉପରେ ଯିବାକୁ ଅସୁବିଧା ହୋଇଥାଏ। ତେଣୁ ଗ୍ରାମବାସୀ ନାଳ ଉପରେ ପଥର ବନ୍ଧ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏକତା ପରିଷଦ କଳାହାଣ୍ଡିର ସଂଯୋଜକଙ୍କ ପ୍ରେରଣାରେ ତିନିଦିନଧରି ଗ୍ରାମବାସୀ ପରିଶ୍ରମ କରି ଏହି ପଥର ବନ୍ଧ ନିର୍ମାଣ କରିବାରେ ସଫଳ ହୋଇପାରିଛନ୍ତି। ସେମାନେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ମାଟି ରାସ୍ତା ମଧ୍ୟ ନିର୍ମାଣ କରିଛନ୍ତି। ଏଥିରେ ୨୭ଟି ପରିବାରର ୫୦ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଶ୍ରମଦାନ କରିଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ରାସ୍ତା ନିର୍ମାଣକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର