ପ୍ରଶାସନ ଶୁଣିଲାନି, ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଧର୍ମଶାଳା : ପ୍ରଶାସନ ଶୁଣିଲା ନାହିଁ। ବାଧ୍ୟ ହୋଇ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ। ଏମିତି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡ଼ଚଣାବାରି ଗାଁରେ। ଅସମ୍ପୂର୍ଣ୍ଣ ରାସ୍ତା ସାରିବାକୁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କାମ ହୋଇ ନଥିଲା। ବାଧ୍ୟ ହୋଇ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଗାଁ ରାସ୍ତା ନିର୍ମାଣ କରିଛନ୍ତି।

ପ୍ରାୟ ୧୦ବର୍ଷ ତଳେ ବଡ଼ଚଣାବାରି ଗାଁ ରାସ୍ତାକୁ କଂକ୍ରିଟ୍ କରାଯାଇଥିଲା। ସେ ସମୟରେ ୩୦ ଫୁଟ ରାସ୍ତା ନିର୍ମାଣ ଶେଷ ହୋଇ ପାରିନଥିଲା। ଫଳରେ ବର୍ଷାଦିନେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହେଉଥିଲା। ଦୀର୍ଘବର୍ଷ ହେଲା ଶତାଧିକ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏନେଇ ଗ୍ରାମବାସୀ ସ୍ଥାନୀୟ ଲୋକ ପ୍ରତିନିଧି ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏହାକୁ କେହି କର୍ଣ୍ଣପାତ କରିନଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ଆଜି ନିଜସ୍ବ ଉଦ୍ୟମରେ ଏହି ରାସ୍ତା ନିର୍ମାଣ କରିଛନ୍ତି। ପ୍ରତ୍ୟେକ ଘରୁ ଟଙ୍କା ଆଦାୟ କରି ରାସ୍ତାକୁ କଂକ୍ରିଟ୍ କରିଛନ୍ତି। ଗ୍ରାମର ସନ୍ତୋଷ କୁମାର ଦାସ, ସୁଜିତ୍ ଦାସ, ଚନ୍ଦନ ପରିଡ଼ା, ନିତ୍ୟାନନ୍ଦ ପରିଡ଼ା, ବିର‌ଞ୍ଚି ପରିଡ଼ା, ସଂଜୟ ଦାସ ରାସ୍ତା ନିର୍ମାଣରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର